ଆନ୍ତର୍ଜାତୀୟ ଅନୁବାଦ ଦିବସ
ପ୍ରତିବର୍ଷ ସେପ୍ଟେମ୍ବର ୩୦ ତାରିଖରେ ସାରା ବିଶ୍ୱରେ 'ଆନ୍ତର୍ଜାତୀୟ ଅନୁବାଦ ଦିବସ' ପାଳିତ ହୋଇଆସୁଛି । ଯାହା ବିଶ୍ୱର ଅନୁବାଦକ, ଓ ଭାଷା ବିଶେଷଜ୍ଞମାନଙ୍କ ଅସାଧାରଣ ଯୋଗଦାନକୁ ସମ୍ମାନ ଜଣାଇବାର ଏକ ବିଶେଷ ମଞ୍ଚ ସାଜିଛି । ବାଇବେଲକୁ ଗ୍ରୀକ୍ ଓ ହୀବ୍ରୁରୁ ଲାଟିନ୍ ଭାଷାକୁ ଅନୁବାଦ କରି ଅନୁବାଦ ସାହିତ୍ୟରେ ବିପ୍ଳବ ଆଣିଥିବା ମହାନ୍ ଭାଷାବିତ୍ ସେଣ୍ଟ ଜେରୋମ୍ଙ୍କ ଶ୍ରାଦ୍ଧ ଦିବସକୁ ସ୍ମରଣୀୟ କରିବା ପାଇଁ ୧୯୯୧ ମସିହାରେ 'ଇଣ୍ଟରନ୍ୟାସନାଲ ଫେଡେରେସନ ଅଫ୍ ଟ୍ରାନ୍ସଲେଟରସ' ଦ୍ୱାରା ଏହି ଦିବସ ପାଳନର ପରିକଳ୍ପନା କରାଯାଇଥିଲା । ପରବର୍ତ୍ତୀ ସମୟରେ ୨୦୧୭ ମସିହାରେ ସଂଯୁକ୍ତ ରାଷ୍ଟ୍ର ସାଧାରଣ ସଭା ଏହାକୁ ଆନୁଷ୍ଠାନିକ ମାନ୍ୟତା ପ୍ରଦାନ କରିଥିଲା । ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଭାଷାଗତ ବ୍ୟବଧାନକୁ ଦୂର କରି ବିଶ୍ୱବ୍ୟାପୀ ଶାନ୍ତି, ସାଂସ୍କୃତିକ ଆଦାନପ୍ରଦାନ, କୂଟନୀତି, ବାଣିଜ୍ୟ ଏବଂ ଜ୍ଞାନର ପ୍ରସାରକୁ ସୁଗମ କରିବା । ବିଶେଷକରି ସାହିତ୍ୟ, ବିଜ୍ଞାନ, ଆଇନ୍ ଓ ଚିକିତ୍ସା କ୍ଷେତ୍ରରେ ସଠିକ୍ ସୂଚନା ପହଞ୍ଚାଇବା ସହ ବିଲୁପ୍ତପ୍ରାୟ ଆଞ୍ଚଳିକ ଭାଷାଗୁଡ଼ିକର ସଂରକ୍ଷଣ ଏବଂ ବିଶ୍ୱାୟନର ଏହି ଯୁଗରେ ବିଭିନ୍ନ ଦେଶ ଓ ସଂସ୍କୃତି ମଧ୍ୟରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କ ଗଢ଼ିତୋଳିବାରେ ଅନୁବାଦକମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।




