ଭାରତୀୟ ଆଞ୍ଚଳିକ ସିନେମାର କ୍ରେଜ
କାନ୍ସରେ ଇଣ୍ଡୋ-ଆମେରିକାନ୍ ଫିଲ୍ମ ‘ବମ୍ବେ ଷ୍ଟୋରିଜ୍’ ର ସ୍କ୍ରିନିଂ କରାଯିବ । ଏହି ଚଳଚ୍ଚିତ୍ରଟି ମଣ୍ଟୋଙ୍କ ଉପନ୍ୟାସ ଉପରେ ଆଧାରିତ, ଯେଉଁଥିରେ ୧୯୩୦ ଦଶକର ବମ୍ବେରେ ରହୁଥିବା ସେକ୍ସ ୱାର୍କର୍ସଙ୍କ ଜୀବନ ଶୈଳୀ ଓ କାହାଣୀ ଦର୍ଶାଯାଇଛି । ଏହି ଫିଲ୍ମକୁ ରାହତ ଶାହ କାଜମୀ ନିର୍ଦ୍ଦେଶନା ଦେଇଛନ୍ତି । ଫିଲ୍ମର ସ୍କ୍ରିନିଂ ସମୟରେ ଅଭିନେତ୍ରୀ ମୌନୀ ରୟ କାନ୍ସରେ ଉପସ୍ଥିତ ରହିବାନେଇ ସୂଚନା ରହିଛି । ଏହା ବ୍ୟତୀତ, ଏହି ମହୋତ୍ସବର କ୍ଲାସିକାଲ୍ ସେଗମେଣ୍ଟରେ ୪୦ ବର୍ଷର ପୁରୁଣା ପ୍ରସିଦ୍ଧ ମାଲାୟାଲମ୍ ଫିଲ୍ମ ‘ଅମ୍ମା ଅରିୟାନ୍’ ର ମଧ୍ୟ ସ୍କ୍ରିନିଂ କରାଯିବ । ସୂଚନା ଅନୁଯାୟୀ, ୧୯୮୬ ମସିହାର ଏହି ଫିଲ୍ମ ଖୁବ ପରିଚିତ । ଏହି ଚଳଚ୍ଚିତ୍ରଟି ବ୍ରିଟିଶ୍ ଫିଲ୍ମ ଇନଷ୍ଟିଚ୍ୟୁଟ୍ର ଶ୍ରେଷ୍ଠ ୧୦ଟି ଭାରତୀୟ ଚଳଚ୍ଚିତ୍ର ତାଲିକାରେ ସ୍ଥାନ ପାଇଥିବା ବେଳେ ଏହାକୁ ଭାରତର ସବୁଠାରୁ ବଡ଼ ପରୀକ୍ଷାମୂଳକ ସିନେମା ଭାବେ ଗଣନା କରାଯାଏ । ବିଭିନ୍ନ ସମୀକ୍ଷକଙ୍କ ଦ୍ୱାରା ବହୁମୁଖୀ ଅର୍ଥରେ ବ୍ୟାଖ୍ୟା କରାଯାଉଥିବା ଏହି ଫିଲ୍ମଟି ଲୋକଙ୍କଠାରୁ ପାଣ୍ଠି ସଂଗ୍ରହ କରି ନିର୍ମାଣ କରାଯାଇଥିଲା ଏବଂ ଏହା ଶ୍ରେଷ୍ଠ ସିନେମାଟୋଗ୍ରାଫି ପାଇଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମଧ୍ୟ ଲାଭ କରିଛି ।

ପଞ୍ଜାବୀ ସିନେମା : ଲୋକପ୍ରିୟ ଗାୟକ ତଥା ଅଭିନେତା ଏମି ବିର୍କଙ୍କ ଫିଲ୍ମ ‘ଚାରଦିକଲା’ ର ସ୍କ୍ରିନିଂ କାନ୍ସରେ ହେବାକୁ ଯାଉଛି । ଏହି ସ୍କ୍ରିନିଂ ପାଇଁ ଏମି ବିର୍କ କାନ୍ସରେ ଡେବ୍ୟୁ କରିବେ । ତାଙ୍କ ସହ କୋ-ଷ୍ଟାର ରୁପି ଗିଲ୍ ମଧ୍ୟ କାନ୍ସରେ ଯୋଗଦେବାନେଇ ସୂଚନା ରହିଛି ।
ମାଲାୟାଲମ୍ ସିନେମା : ମାଲାୟାଲମ୍ ଫିଲ୍ମ ନିର୍ମାତା ଚିଦାମ୍ବରମଙ୍କ ଫିଲ୍ମ ‘ବାଲନ: ଦ ବୟ’ ର ସ୍କ୍ରିନିଂ କାନ୍ସରେ ହୋଇଛି, ଯାହା ପୁରା ଭାରତୀୟଙ୍କୁ ଗର୍ବିତ କରିଛି ।
ଗୁଜୁରାଟୀ ସିନେମା : ଅଭିନେତ୍ରୀ ମାନସୀ ପାରେଖ ଏହି ବର୍ଷ ପ୍ରଯୋଜକ ପାର୍ଥିବ ଗୋହିଲଙ୍କ ସହ କାନ୍ସରେ ଯୋଗ ଦେବେ । ଗୁଜୁରାଟୀ ଫିଲ୍ମ ‘ଲାଲୋ: କ୍ରିଷ୍ଣା ସଦା ସହାୟତେ’ ର ମଧ୍ୟ କାନ୍ସରେ ସ୍କ୍ରିନିଂ ନେଇ ସୂଚନା ରହିଛି ।
ମରାଠୀ ସିନେମା : ମରାଠୀ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଅଭିନେତା ଅଶୋକ ସରାଫ, ନିବେଦିତା ସରାଫ, ଅଭିନେତ୍ରୀ ପ୍ରାଜକ୍ତା ମାଲି ଏବଂ ପ୍ରଯୋଜକ କେଦାର ଜୋଶୀ କାନ୍ସର ଅଂଶ ହେବେ ।



