ଭାରତୀୟ ସେନା ଦିବସ

ଭାରତୀୟ ସେନା ଦିବସ
Ipsita Picture
By: Ipsita
Published On

 

ଏହା ହେଉଛି ଭାରତୀୟ ମାନଙ୍କ ପାଇଁ ଗର୍ବ ଓ ଗୌରବର ଦିନ । ପ୍ରତିବର୍ଷ ଜାନୁଆରୀ ୧୫ ତାରିଖରେ ସମଗ୍ର ଦେଶରେ ଅତ୍ୟନ୍ତ ଉତ୍ସାହର ସହିତ ଏହି ଦିବସ ପାଳିତ ହୁଏ । ଏହି ଦିନଟି ଦେଶ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ସେହି ବୀର ଯବାନମାନଙ୍କୁ ସମ୍ମାନ ଜଣାଇବା ଏବଂ ସେମାନଙ୍କର ଅଦମ୍ୟ ସାହସକୁ ମନେ ପକାଇବା ପାଇଁ ଉଦ୍ଦିଷ୍ଟ। ଭାରତୀୟ ସେନା ଦିବସ ପାଳନ ପଛରେ ଏକ ଗୁରୁତ୍ୱପୂର୍ଣ୍ଣ ଐତିହାସିକ କାରଣ ରହିଛି । ୧୯୪୯ ମସିହା ଜାନୁଆରୀ ୧୫ ତାରିଖରେ, ଫିଲ୍ଡ ମାର୍ଶଲ କେ.ଏମ୍. କରିଆପ୍ପା ବ୍ରିଟିଶ ଜେନେରାଲ୍ ଫ୍ରାନ୍ସିସ୍ ବୁଚର୍ଙ୍କଠାରୁ ଭାରତୀୟ ସେନାର ପ୍ରଥମ କମାଣ୍ଡର-ଇନ୍-ଚିଫ୍ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ । ଏହା ଭାରତୀୟ ସେନା ଇତିହାସରେ ଏକ ସ୍ମରଣୀୟ ମୁହୂର୍ତ୍ତ ଥିଲା, କାରଣ ଏହି ଦିନ ଭାରତୀୟ ସୈନ୍ୟବାହିନୀର ନେତୃତ୍ୱ ପ୍ରଥମ କରି ଜଣେ ଭାରତୀୟଙ୍କ ହାତକୁ ଆସିଥିଲା । ସେବେଠାରୁ ଏହି ଐତିହାସିକ ଦିନକୁ ସ୍ମରଣ କରିବା ପାଇଁ ପ୍ରତିବର୍ଷ ସେନା ଦିବସ ପାଳନ କରାଯାଉଛି । ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସେନାବାହିନୀର ନିରନ୍ତର ସେବା ଓ ବଳିଦାନକୁ ସୀକୃତି ଦେବା । ଭାରତୀୟ ସେନା କେବଳ ଯୁଦ୍ଧ ସମୟରେ ନୁହେଁ, ବରଂ ବନ୍ୟା, ବାତ୍ୟା ଓ ଭୂକମ୍ପ ପରି ପ୍ରାକୃତିକ ବିପତ୍ତି ସମୟରେ ମଧ୍ୟ ଦେଶବାସୀଙ୍କୁ ସୁରକ୍ଷା ଯୋଗାଇ ଦେଇଥାଏ । ସୀମାରେ ଜଳୁଥିବା ଅଖଣ୍ଡ ଜ୍ୟୋତି ପରି ଆମର ଯବାନମାନେ ଶୂନ ଡିଗ୍ରୀ ତାପମାତ୍ରାଠାରୁ ଆରମ୍ଭ କରି ପ୍ରଚଣ୍ଡ ଖରାରେ ମଧ୍ୟ ଦେଶର ସୁରକ୍ଷା ପାଇଁ ସଜାଗ ରହିଥାନ୍ତି । ସେମାନଙ୍କର ଏହି ସ୍ବାର୍ଥପରତା ଶୂନ୍ୟ ସେବାକୁ ସମ୍ମାନ ଜଣାଇବା ଏହି ଦିବସର ପ୍ରକୃତ ମହତ୍ତ୍ବ ।ପ୍ରତିବର୍ଷ ଏହି ଦିବସ ଏକ ସ୍ୱତନ୍ତ୍ର ବିଷୟବସ୍ତୁ ବା ଥିମ୍କୁ ନେଇ ପାଳନ କରାଯାଏ । ଏହାର ମୂଳ ଲକ୍ଷ୍ୟ ହେଉଛି ଭାରତୀୟ ସେନାକୁ ଆଧୁନିକୀକରଣ କରିବା ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ସ୍ୱାବଲମ୍ବୀ କରିବା । ସେନାବାହିନୀରେ ନାରୀ ଶକ୍ତିର ଭାଗିଦାରୀ ଏବଂ ଆତ୍ମନିର୍ଭର ଭାରତ ଅଭିଯାନ ଅଧୀନରେ ସ୍ୱଦେଶୀ ଯୁଦ୍ଧାସ୍ତ୍ରର ବ୍ୟବହାର ଉପରେ ଏବେ ଗୁରୁତ୍ୱ ଦିଆଯାଉଛି । ସେନା ଦିବସ ଅବସରରେ ଦେଶର ବିଭିନ୍ନ ପ୍ରାନ୍ତରେ ଭବ୍ୟ ପ୍ୟାରେଡ୍ ଓ ସାମରିକ ପ୍ରଦର୍ଶନୀ ଆୟୋଜିତ ହୋଇଥାଏ । ଏହି ଦିନ ସେନାମୁଖ୍ୟ ସୈନିକମାନଙ୍କୁ ସେମାନଙ୍କର ଅସାଧାରଣ ବୀରତ୍ୱ ପାଇଁ 'ସେନା ପଦକ' ଓ 'ବୀରତା ପୁରସ୍କାର'ରେ ସମ୍ମାନିତ କରିଥାନ୍ତି । ଭାରତୀୟ ସେନା ଦିବସ ଅନେକ ବୀର ଯବାନଙ୍କର ତ୍ୟାଗ ସମ୍ପର୍କରେ ଆମକୁ ସ୍ମରଣ କରାଇଦେଇଥାଏ ।

Tags: