ଡେଟିଂ ଆପ ବ୍ୟବହାର ପାଇଁ ପ୍ରୋତ୍ସାହନ
ଜାପାନରେ କ୍ରମାଗତ ଭାବେ ହ୍ରାସ ପାଉଥିବା ଜନ୍ମହାର ଏବଂ ବିବାହ ପ୍ରତି ଯୁବପିଢ଼ିଙ୍କ ଅନାଗ୍ରହକୁ ଦୃଷ୍ଟିରେ ରଖି ସେଠାକାର ସରକାର ଏକ ଆଶ୍ଚର୍ଯ୍ୟଜନକ ଯୋଜନା ଆରମ୍ଭ କରିଛନ୍ତି । ଏହି ଯୋଜନାରେ ସିଙ୍ଗଲ୍ ବା ଅବିବାହିତ ଯୁବକଯୁବତୀମାନଙ୍କୁ ଡେଟିଂ ଆପ୍ ବ୍ୟବହାର କରିବା ପାଇଁ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି । ଜାପାନର କୋଚି ପ୍ରିଫେକ୍ଚରରେ ୨୦ ରୁ ୩୯ ବର୍ଷ ବୟସର ସିଙ୍ଗଲ୍ ଲୋକଙ୍କୁ ଡେଟିଂ ଆପ୍ସର ସବସ୍କ୍ରିପସନ୍ ଏବଂ ରେଜିଷ୍ଟ୍ରେସନ୍ ଫିସ୍ ବାବଦକୁ ୨୦,୦୦୦ ୟେନ୍ ପ୍ରାୟ ୧୨,୦୦୦ ଟଙ୍କା ପର୍ଯ୍ୟନ୍ତ ସବସିଡି ପ୍ରଦାନ କରାଯିବାର ବ୍ୟବସ୍ଥା ହୋଇଛି । ଏହା ୧ ଏପ୍ରିଲ ୨୦୨୬ ରୁ ଆରମ୍ଭ ହୋଇ ୧୦ ମାର୍ଚ୍ଚ ୨୦୨୭ ପର୍ଯ୍ୟନ୍ତ ଜାରି ରହିବ। କେବଳ ସେତିକି ନୁହେଁ, ସରକାର ମ୍ୟାଚ୍-ମେକିଂ ଇଭେଣ୍ଟ୍ ବା ସାଥୀ ଖୋଜିବା ପାଇଁ ଆୟୋଜିତ ହେଉଥିବା କାର୍ଯ୍ୟକ୍ରମଗୁଡ଼ିକୁ ମଧ୍ୟ ୧,୦୦,୦୦୦ ୟେନ୍ (ପ୍ରାୟ ୫୮,୦୦୦ ଟଙ୍କା) ପର୍ଯ୍ୟନ୍ତ ସହାୟତା ଯୋଗାଇ ଦେଉଛନ୍ତି । ଯାହାଫଳରେ ଲୋକେ ପରସ୍ପରକୁ ଭେଟିବା ସହ ବିବାହ ପାଇଁ ମନ ବଳାଇବେ। ପ୍ରକୃତରେ ଜାପାନରେ ବଢୁଥିବା ମହଙ୍ଗା ମାଡ଼, ବୟସ୍କଙ୍କ ସଂଖ୍ୟା ବୃଦ୍ଧି ଏବଂ ଯୁବବର୍ଗଙ୍କ ମଧ୍ୟରେ ବିବାହ ପ୍ରତି ଥିବା ଦୂରତା ଯୋଗୁଁ ୨୦୨୫ରେ ଜନ୍ମହାର ସର୍ବନିମ୍ନ ସ୍ତରକୁ ଖସି ଆସିଛି । ଯାହାକୁ ନିୟନ୍ତ୍ରଣ କରିବା ପାଇଁ ସରକାର ଏବେ ସିଧାସଳଖ ଡେଟିଂକୁ ପ୍ରୋତ୍ସାହନ ଦେବା ଭଳି ପନ୍ଥା ଆପଣାଇଛନ୍ତି ।



