ଶରୀରରେ ମିଳାଇବ ପେସ୍ମେକର
ସାଧାରଣ ଶରୀରରେ ଯନ୍ତ୍ର ଲଗାଇ ଚଳିବା ବେଶ୍ କଷ୍ଟକର ହୋଇଥାଏ । ବୈଜ୍ଞାନିକମାନେ ଏହି ସମସ୍ୟାକୁ ଦୂର କରିବା ପାଇଁ ସର୍ବଦା ଚେଷ୍ଟା କରିଥାଆନ୍ତି । ସେହିକ୍ରମରେ ବୈଜ୍ଞାନିକମାନେ ଏକ ପେସ୍ମେକର ନିର୍ମାଣ କରିଛନ୍ତି ଯାହା ମନୁଷ୍ୟ ଶରୀରରେ ଆପେଆପେ ମିଶିଯିବ ବା ନଷ୍ଟହୋଇଯିବ, ଏହାକୁ ଆଉ କାଢିବାକୁ ପଡିବନାହିଁ । ଏକ ରିପୋର୍ଟ ଅନୁସାରେ ବୈଜ୍ଞାନିକମାନେ ଏହି ପେସମେକରକୁ ଚର୍ମ ଉପରେ ବେତାର ସେନସରର ଏକ ସିରିଜ ସହ ସଂଯୋଗ କରିଛନ୍ତି । ଏହା ପେସମେକରକୁ ପରିଚାଳିତ କରିବା ସହିତ ରୋଗୀଙ୍କର ଧ୍ୟାନ ମଧ୍ୟ ରଖିବ । ଏହି ଉପକରଣଟି ଦେଖିବାକୁ ପୁରାପୁରି ପତଳା ହୋଇଥିବାବେଳେ ଏହା ସମ୍ପୁର୍ଣ୍ଣଭାବେ ବାୟୋକମ୍ପାଟେବୁଲ । ଏହାକୁ ଚଳାଇବା ପାଇଁ କୌଣସି ବ୍ୟାଟେରିର ମଧ୍ୟ ଆବଶ୍ୟକତା ପଡିନଥାଏ । ଏହାକୁ ଜଳରେ ଦ୍ରବୀଭୂତ ହୋଇପାରୁଥିବା ସାମଗ୍ରୀରୁ ତିଆରି କରାଯାଇଛି । ଯାହାଫଳରେ ଶରୀରରେ ଥିବା ତରଳ ପଦାର୍ଥରେ ଏହା ମିଳାଇଯିବ । ଏହି ପେସମେକରକୁ ପୂର୍ବବର୍ଷ ନର୍ଥେଓ୍ୱଷ୍ଟନ ୟୁନିଭର୍ସିଟି ଓ ଜର୍ଜ ଓ୍ୱାସିଂଟନ ୟୁନିଭର୍ସିଟିରେ ପ୍ରଦର୍ଶନ କରାଯାଇଥିଲା । ପେସମେକରର ସମସ୍ତ ତଥ୍ୟକୁ କମ୍ପ୍ୟୁଟର ସାହାଯ୍ୟରେ ଡାକ୍ତରମାନେ ମନିଟର କରିଥାଆନ୍ତି । ଏହାକୁ ମନୁଷ୍ୟ ଶରୀରେ ଲଗାଯିବା ପୂର୍ବରୁ ପଶୁଙ୍କ ଶରୀରରେ ପରୀକ୍ଷା କରାଯିବ ବୋଲି ବୈଜ୍ଞାନିକମାନେ ପ୍ରକାଶ କରିଛନ୍ତି । ଏନେଇ ଅଧିକ ଗବେଷଣା ଜାରି ରହିଥିବା ଜଣାପଡିଛି ।
Related Posts



