ପରିବେଶ ଉପରେ ଯୁଦ୍ଧ ପ୍ରଭାବ
ବିଭିନ୍ନ ସମୟରେ ପୃଥିବୀରେ ଦେଶଦେଶ ମଧ୍ୟରେ ଭିନ୍ନଭିନ୍ନ କାରଣରୁ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଥାଏ । ଏହି ଯୁଦ୍ଧ ବର୍ତ୍ତମାନ ପାରମ୍ପରିକ ପଦ୍ଧତିରୁ ଆଧୁନିକ ପଦ୍ଧତିରେ ପହଞ୍ଚି ସାରିଛି । ଯୁଦ୍ଧ କୌଶଳର କ୍ରମାଗତ ଆଧୁନିକୀକରଣ ପୃଥିବୀର ଜୈବ-ଭୌତିକ ସନ୍ତୁଳନକୁ ବିପଦରେ ପକାଇଥିବା ନେଇ ଅନେକ ରିପୋର୍ଟ ପ୍ରକାଶ ପାଇଛି । ଆଧୁନିକ ଯୁଦ୍ଧରେ ବ୍ୟବହୃତ ଅସ୍ତ୍ରଶସ୍ତ୍ରର ବିନାଶକାରୀ କ୍ଷମତା ପୂର୍ବ ଅପେକ୍ଷା ଯଥେଷ୍ଟ ଅଧିକ । ବିଶେଷ କରି ରାସାୟନିକ ଅସ୍ତ୍ରରୁ ପରମାଣୁ ଅସ୍ତ୍ର ପର୍ଯ୍ୟନ୍ତ ଯୁଦ୍ଧର ଯେଉଁ ବିବର୍ତ୍ତନ ଘଟିଛି, ତାହା ପରିସଂସ୍ଥା ବା ଇକୋସିଷ୍ଟମ ଉପରେ ଅତ୍ୟଧିକ ଚାପ ସୃଷ୍ଟି କରୁଛି । ଯୁଦ୍ଧ କ୍ଷେତ୍ରରେ ବ୍ୟବହୃତ ବିଭିନ୍ନ ପ୍ରକାରର ପରିବେଶ ବିଷାକ୍ତ ପଦାର୍ଥ, ଯଥା ‘ଭାରୀ ଧାତୁ’ , ମାଟି ଓ ପବନରେ ଦଶନ୍ଧି ଦଶନ୍ଧି ଧରି ରହିଥାଏ । ଶୁଷ୍କ ଓ ମରୁଭୂମି ଅଞ୍ଚଳରେ ଏହି ବିଷାକ୍ତ କଣିକାଗୁଡ଼ିକ ବାୟୁ ପ୍ରବାହ ମାଧ୍ୟମରେ ବହୁ ଦୂର ପର୍ଯ୍ୟନ୍ତ ବ୍ୟାପି ଅନ୍ୟ ଅଞ୍ଚଳର ପରିବେଶକୁ ମଧ୍ୟ ପ୍ରଦୂଷିତ କରିଥାଏ । ଉଦାହରଣ ସ୍ୱରୂପ, ଭିଏତନାମ ଯୁଦ୍ଧ ସମୟରେ ବ୍ୟବହୃତ 'ଏଜେଣ୍ଟ ଅରେଞ୍ଜ' ଭଳି ଘାତକ ରସାୟନର ଜେନୋଟୋକ୍ସିକ୍ ପ୍ରଭାବ ଆଜି ମଧ୍ୟ ମାନବ ଶରୀର ଓ ପ୍ରକୃତିରେ ଦେଖିବାକୁ ମିଳୁଛି, ଯାହା ପିଢ଼ି ପରେ ପିଢ଼ି ପର୍ଯ୍ୟନ୍ତ ଜନ୍ମଗତ ବିକୃତି ସୃଷ୍ଟି କରିବାରେ ସକ୍ଷମ। ଯୁଦ୍ଧର କୁପ୍ରଭାବ କେବଳ ଯୁଦ୍ଧଭୂମିରେ ସୀମିତ ରହେ ନାହିଁ, ବରଂ ଏହା ପରବର୍ତ୍ତୀ ୨୦ ରୁ ୩୦ ବର୍ଷ ପର୍ଯ୍ୟନ୍ତ ପରିବେଶ ସୁରକ୍ଷା ନୀତିକୁ ଦୁର୍ବଳ କରିଦେଇଥାଏ। ଯୁଦ୍ଧ ଯୋଗୁଁ ସୃଷ୍ଟି ହେଉଥିବା ଆର୍ଥିକ ସଙ୍କଟ, ଶକ୍ତି ସଙ୍କଟ ଏବଂ ଜୀବାଶ୍ମ ଜାଳେଣିର ଦର ବୃଦ୍ଧି ବିଶ୍ୱସ୍ତରୀୟ ଜଳବାୟୁ କାର୍ଯ୍ୟାନୁଷ୍ଠାନକୁ ପଛକୁ ଠେଲି ଦିଏ । ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ହେଉଛି ଯେ, ବିଶ୍ୱର ମୋଟ ଗ୍ରୀନ୍ ହାଉସ୍ ଗ୍ୟାସ୍ ନିର୍ଗମନର ପ୍ରାୟ ୫.୫% କେବଳ ସାମରିକ କ୍ଷେତ୍ର ବା ମିଲିଟାରୀ ସେକ୍ଟରରୁ ଆସିଥାଏ। ଦୁଃଖର ବିଷୟ ଏହି କି ଯେ, ଦେଶଗୁଡ଼ିକ ନିଜର ଗ୍ରୀନ୍ ହାଉସ୍ ଗ୍ୟାସ୍ ଆକଳନ ସମୟରେ ସାମରିକ ଗତିବିଧିରୁ ହେଉଥିବା ପ୍ରଦୂଷଣକୁ ପ୍ରାୟତଃ ଅନ୍ତର୍ଭୁକ୍ତ କରନ୍ତି ନାହିଁ। ତେଣୁ ଯୁଦ୍ଧ କେବଳ ସାମାଜିକ ଓ ରାଜନୈତିକ ସ୍ଥିରତା ନଷ୍ଟ କରେ ନାହିଁ, ବରଂ ଏହା ଆମର ପୃଥିବୀକୁ ଏକ ସ୍ଥାୟୀ ପରିବେଶଗତ ବିପଦ ଆଡ଼କୁ ଟାଣି ନେଉଛିବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି । ଇତିହାସରେ ଏଭଳି ଅନେକ ଯୁଦ୍ଧର ଉଦାହରଣ ରହିଛି, ଯେଉଁଥିରେ ଆମ ପରିବେଶକୁ ଅନେକ ଭୟାବହ କ୍ଷତି ସହିବାକୁ ପଡିଛି ।



