ଶକ୍ତି ସଂକଟର ପ୍ରଭାବ

ଶକ୍ତି ସଂକଟର ପ୍ରଭାବ
Ipsita Picture
By: Ipsita
Published On

 

ଏହି ଭୟଙ୍କର ଶକ୍ତି ସଂକଟ ଆନ୍ତର୍ଜାତୀୟ ରାଜନୀତିରେ ଅପ୍ରତ୍ୟାଶିତ ସମୀକରଣ ସୃଷ୍ଟି କରି ଚାଲିଥିବା ବେଳେ, ଏହାର ସୁଦୂରପ୍ରସାରୀ ପ୍ରଭାବ ସତ୍ତ୍ବ ବିଶ୍ବ ବଜାରରେ ତୈଳ ଓ ଗ୍ୟାସ୍ର ମୂଲ୍ୟ ଅତ୍ୟଧିକ ବଢିନଥିବା ନେଇ ସମୀକ୍ଷକ ମତ ଦେଉଛନ୍ତି । ଯାହା ପଛରେ କେତେକ ଗୁରୁତ୍ବପୂର୍ଣ୍ଣ କାରଣ ରହିଛି, ସେଥିମଧ୍ୟରୁ ଆନ୍ତର୍ଜାତୀୟ ଶକ୍ତି ସଂସ୍ଥା ଆଇଇଏ ନିଜ ସଦସ୍ୟ ଦେଶଗୁଡ଼ିକୁ ମିଳିତ ଭାବେ ବଜାରକୁ ୪୧୨ ମିଲିୟନ ବ୍ୟାରେଲ୍ ତୈଳ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ଆମେରିକୀୟ କମ୍ପାନୀଗୁଡ଼ିକ ସେମାନଙ୍କର ରପ୍ତାନିକୁ ସର୍ବକାଳୀନ ଉଚ୍ଚ ସ୍ତରକୁ ନେଇଛନ୍ତି, ଏବଂ ଅପରପକ୍ଷେ ଚୀନ୍ ନିଜ ସୁରକ୍ଷା ପାଇଁ ଆମଦାନୀ ପ୍ରାୟ ୨୦ ପ୍ରତିଶତ ହ୍ରାସ କରିଛି । ଏହାସହିତ ରୁଷିଆ ମଧ୍ୟ ଏହି ସଂକଟ ଯୋଗୁଁ ନିଜର ରପ୍ତାନି ବୃଦ୍ଧି ସହ ଅଶୋଧିତ ତୈଳର ଅଧିକ ମୂଲ୍ୟ ପାଇ ଲାଭବାନ ହୋଇଛି । ସାଉଦି ଆରବ ଓ ସଂଯୁକ୍ତ ଆରବ ଏମିରେଟ୍ସର ପାଇପଲାଇନ୍ ଗୁଡ଼ିକ ପାରସ୍ୟ ଉପସାଗରକୁ ଏଡ଼ାଇ ତୈଳ ଯୋଗାଣ ଜାରି ରଖିଥିବାରୁ ବିଶ୍ବ ବଜାରରେ ମୂଲ୍ୟ ପ୍ରତି ବ୍ୟାରେଲ୍ ପିଛା ୧୦୦ ଡଲାର ଆଖପାଖରେ ସୀମିତ ରହିଛି । ଏହି ସାମୟିକ ସ୍ଥିତି ଏକ ବଡ଼ ବିପର୍ଯ୍ୟୟକୁ ରୋକିବା ପାଇଁ ପ୍ରସ୍ତୁତ କରାଯାଇଥିବା ବେଳେ ଏହା ସ୍ପଷ୍ଟ ପ୍ରମାଣିତ କରିଛି ଯେ ସରକାରଙ୍କ ରଣନୈତିକ ତୈଳ ସଂରକ୍ଷଣର ମୂଲ୍ୟ କେତେ ଅଧିକ, ଯାହା ଚୀନ୍, ଜାପାନ, ଦକ୍ଷିଣ କୋରିଆ ଏବଂ ଅଧିକାଂଶ ୟୁରୋପୀୟ ୟୁନିଅନ ଭଳି ପ୍ରମୁଖ ଆମଦାନୀକାରୀ ଦେଶଗୁଡ଼ିକୁ ସ୍ବକାଳୀନ ଭାବେ ବଡ଼ ଆଘାତରୁ ରକ୍ଷା କରିଛି । ମାତ୍ର ଏଭଳି ସଂରକ୍ଷଣ ନଥିବା ଦକ୍ଷିଣ-ପୂର୍ବ ଏସିଆ ଏବଂ ଆଫ୍ରିକାର ଗରିବ ଦେଶଗୁଡ଼ିକ ପ୍ରଥମ ମାସରୁ ହିଁ ଜରୁରୀକାଳୀନ କଟକଣା ଲଗାଇବାକୁ ବାଧ୍ୟ ହୋଇଛନ୍ତି। ଅନ୍ୟପଟେ, ଇରାନର ଆକ୍ରମଣ ଯୋଗୁଁ କତାରର ତରଳୀକୃତ ପ୍ରାକୃତିକ ଗ୍ୟାସ୍ ଉତ୍ପାଦନ ବହୁଳ ଭାବେ ହ୍ରାସ ପାଇଥିବା ବେଳେ ଆମେରିକୀୟ କମ୍ପାନୀଗୁଡ଼ିକ ନିଜର ଗ୍ୟାସ୍ ରପ୍ତାନିକୁ ଦ୍ରୁତ ଗତିରେ ବଢ଼ାଇ ଚାଲିଛନ୍ତି । ଯାହା ୨୦୨୭ ଆରମ୍ଭ ସୁଦ୍ଧା ୩୦ ପ୍ରତିଶତ ଏବଂ ଆଗାମୀ ୩ ବର୍ଷ ମଧ୍ୟରେ ଦୁଇଗୁଣ ହେବାକୁ ଯାଉଥିବାରୁ ଏହି ହରମୁଜ୍ ସଂକଟ ଆମେରିକାକୁ ବିଶ୍ବ ଗ୍ୟାସ୍ ବାଣିଜ୍ୟର ଏକଛତ୍ର କେନ୍ଦ୍ରବିନ୍ଦୁ ଭାବେ ଉଭା କରିବ ।

ବାସ୍ତବରେ କେବଳ ରୁଷିଆ କିମ୍ବା ଆମେରିକା ନୁହେଁ, ବରଂ ପାରସ୍ୟ ଉପସାଗର ବାହାରେ ଥିବା ଜାତୀୟ ତୈଳ କମ୍ପାନୀ ପରିଚାଳିତ ପ୍ରତ୍ୟେକ ଦେଶ ଯେପରିଆଲଜେରିଆ, ନାଇଜେରିଆ, ଗୁଏନା, କାଜାଖସ୍ତାନ, ବ୍ରାଜିଲ, କାନାଡା ଏବଂ ନରୱେ ମଧ୍ୟ ଏହି ବର୍ଦ୍ଧିତ ମୂଲ୍ୟରୁ ବିପୁଳ ରାଜସ୍ୱ ପାଉଛନ୍ତି । ତେବେ ତୈଳ ଭଳି ପ୍ରାକୃତିକ ଗ୍ୟାସ୍ ପାଇଁ କୌଣସି ସରକାରୀ ରଣନୈତିକ ସଂରକ୍ଷଣ ନଥିବାରୁ ଦେଶଗୁଡ଼ିକ କେବଳ ବାଣିଜ୍ୟିକ ଗ୍ୟାସ୍ ଭଣ୍ଡାର ଉପରେ ନିର୍ଭର କରନ୍ତି, ଯାହା ବଡ଼ ଯୋଗାଣ ସଂକଟ ପାଇଁ ଉଦ୍ଦିଷ୍ଟ ନୁହେଁ । ସେଥିପାଇଁ ଆମଦାନୀକାରୀ ରାଷ୍ଟ୍ରଗୁଡ଼ିକ କୋଇଲା, ସୌରଶକ୍ତି ଏବଂ ଆଣବିକ ଶକ୍ତି ଆଡ଼କୁ ଦ୍ରୁତ ଗତିରେ ଗତି କରୁଛନ୍ତି ।

କିଭଳି କରୁଛନ୍ତି ମୁକାବିଲା

ବିଶ୍ବର ବିଭିନ୍ନ ଦେଶ ଏହି ଅପ୍ରତ୍ୟାଶିତ ସଂକଟର କିଭଳି ମୁକାବିଲା କରୁଛନ୍ତି ସମ୍ପର୍କରେ ଯଦି ଆମେ ସମୀକ୍ଷା କରିବା, ତେବେ କେବଳ ଜାଳେଣି ବଦଳାଇବା ନୁହେଁ, ବରଂ ପାରସ୍ୟ ଉପସାଗରୀୟ ତୈଳ ଓ ଗ୍ୟାସ୍ ଉପରେ ଅତ୍ୟଧିକ ନିର୍ଭରଶୀଳ ସରକାରଗୁଡ଼ିକ ଚାହିଦା ହ୍ରାସ କରିବା ପାଇଁ ଅନେକ ଜରୁରୀକାଳୀନ ସୁରକ୍ଷାମୂଳକ ପଦକ୍ଷେପ ଗ୍ରହଣ କରୁଥିବା ଦେଖିବାକୁ ମିଳିବ । ଯେଉଁଥିରେ ସାପ୍ତାହିକ କାର୍ଯ୍ୟଦିବସକୁ ଚାରି ଦିନକୁ କମାଇବା, ସରକାରୀ କର୍ମଚାରୀଙ୍କ ପାଇଁ ୱାର୍କ-ଫ୍ରମ୍-ହୋମ୍ବାଧ୍ୟତାମୂଳକ କରିବା, ଏୟାର କଣ୍ଡିସନର୍ ବ୍ୟବହାର ସୀମିତ କରିବା ଏବଂ ବିଦ୍ୟୁତ ଉତ୍ପାଦନ ସହ ଶିଳ୍ପ କ୍ଷେତ୍ର ପାଇଁ ପାୱାର୍ କଟ୍ ଓ ଜାଳେଣି ରାସନିଂ ବ୍ୟବସ୍ଥା ଲାଗୁ କରିବା ଅନ୍ତର୍ଭୁକ୍ତ। ୟୁରୋପ ଓ ଦକ୍ଷିଣ-ପୂର୍ବ ଏସିଆର ଅନେକ ଦେଶ ସମେତ ଅନ୍ତତଃ ପକ୍ଷେ ୫୦ଟି ରାଷ୍ଟ୍ର ଶକ୍ତି ଉତ୍ପାଦ ଉପରୁ ଟିକସ ହ୍ରାସ କରିଥିବା ବେଳେ ପ୍ରାୟ ୩୦ଟି ଦେଶ ସିଧାସଳଖ ଜାଳେଣି ସବସିଡି ପ୍ରଦାନ କରୁଛନ୍ତି । ଉପସାଗରୀୟ ଅଞ୍ଚଳରୁ ରପ୍ତାନି ହେଉଥିବା ପ୍ରମୁଖ ସାମଗ୍ରୀ ମଧ୍ୟରେ ସାର ତିଆରି କଞ୍ଚାମାଲ ଥିବାରୁ, ଖାଦ୍ୟ ସାମଗ୍ରୀର ମୂଲ୍ୟ ନିୟନ୍ତ୍ରଣରେ ରଖିବା ପାଇଁ ବିଭିନ୍ନ ସରକାର କୃଷି ସେକ୍ଟରକୁ ସିଧାସଳଖ ଆର୍ଥିକ ସହାୟତା ବଢ଼ାଇ ଦେଇଛନ୍ତି। ୱାଶିଂଟନ୍ ଡି.ସି. ସ୍ଥିତ ଥିଙ୍କ୍ ଟ୍ୟାଙ୍କ୍ ବ୍ରୁକିଙ୍ଗ୍ସର ତଥ୍ୟ ଅନୁଯାୟୀ, ବିଶ୍ବର ପ୍ରାୟ ୧୦୪ଟି ଦେଶ ଏହି ସଂକଟର ପ୍ରଭାବକୁ ପ୍ରଶମିତ କରିବା ପାଇଁ ଜରୁରୀକାଳୀନ ନୀତି ଆପଣେଇଛନ୍ତି । ଯେଉଁଥିରେ ସରକାରଙ୍କ ଦ୍ବାରା ଦିଆଯାଉଥିବା ବିଭିନ୍ନ ପ୍ରକାରର ସବସିଡି ସବୁଠାରୁ ଆଗରେ ରହିଛି । ମାତ୍ର ଅର୍ଥନୀତିଜ୍ଞମାନଙ୍କ ମତରେ ଏଭଳି ସହାୟତା ଏକ ସଂକୁଚିତ ବଜାରରେ ଅତ୍ୟଧିକ ବ୍ୟବହାରକୁ ପ୍ରୋତ୍ସାହିତ କରିବା ସହ ସରକାରଙ୍କୁ କରଜ ବୋଝ ତଳେ ଚାପି ଦେଇଥାଏ, କିନ୍ତୁ ଏହାର ସପକ୍ଷରେ ସବୁଠାରୁ ବଡ଼ ଯୁକ୍ତି ହେଉଛି ସାମାଜିକ ସ୍ଥିରତାରକ୍ଷା କରିବା । କାରଣ ଇତିହାସ ସାକ୍ଷୀ ଅଛି ଯେ ଜାଳେଣି ଦରର ଅହେତୁକ ବୃଦ୍ଧି ହିଁ ଜନଅସନ୍ତୋଷ ଓ ଗଣବିଦ୍ରୋହର ସବୁଠାରୁ ବଡ଼ କାରଣ ସାଜିଥାଏ। ଏହାର ନିକଟତର ଉଦାହରଣ ଆମେ ବର୍ତ୍ତମାନର କେନ୍ୟା (୨୦୨୬), କାଜାଖସ୍ତାନ (୨୦୨୨) ଏବଂ ନିଜେ ଇରାନରେ ଦେଖିବାକୁ ପାଇଛୁ । ଯେଉଁଠାରେ ତୈଳ ଦର ବୃଦ୍ଧି ଯୋଗୁଁ ବ୍ୟାପକ ହିଂସାକାଣ୍ଡ, ନାଗରିକଙ୍କ ମୃତ୍ୟୁ ଏବଂ ସାମାଜିକ ଶୃଙ୍ଖଳା ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଥିଲା । ୨୧ଶ ଶତାବ୍ଦୀରେ ଏହି ଶକ୍ତି ସଂକଟର ଅର୍ଥ କେବଳ ଆର୍ଥିକ କ୍ଷତି ନୁହେଁ, ବରଂ ଏହାଠାରୁ ଢେର ଅଧିକ, କାରଣ ମଧ୍ୟମ ଓ ନିମ୍ନ ଆୟକାରୀ ଦେଶଗୁଡ଼ିକ ଆଧୁନିକୀକରଣ ଦୌଡ଼ରେ ସାମିଲ ହେବା ପାଇଁ ବର୍ତ୍ତମାନର ବିଶ୍ବ ଶକ୍ତି ବ୍ୟବସ୍ଥା ଉପରେ ନିର୍ଭର କରିବା ବ୍ୟତୀତ ସେମାନଙ୍କ ପାଖରେ ଅନ୍ୟ କୌଣସି ବିକଳ୍ପ ନଥିଲା ।   ପୂର୍ବରୁ ୧୯୭୯ ରୁ ୧୯୮୫ ମସିହା ମଧ୍ୟରେ, ଦ୍ବିତୀୟ ତୈଳ ସଂକଟ (ଯାହା ଇରାନ ଯୋଗୁଁ ହିଁ ହୋଇଥିଲା) ପରେ ବିଶ୍ବର ବିକଶିତ ରାଷ୍ଟ୍ରଗୁଡ଼ିକ ତୈଳ ଉପରୁ ନିର୍ଭରଶୀଳତା କମାଇବା ପାଇଁ ନିଜର ଶକ୍ତି ଅର୍ଥନୀତିକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଥିଲେ । ସେତେବେଳେ ବିଦ୍ୟୁତ ଉତ୍ପାଦନ, ଶିଳ୍ପ ଓ ଘରୋଇ ଜାଳେଣି କ୍ଷେତ୍ରରେ ତୈଳ ବଦଳରେ କୋଇଲା, ପ୍ରାକୃତିକ ଗ୍ୟାସ୍ ଓ ଆଣବିକ ଶକ୍ତିର ବ୍ୟବହାର ବ୍ୟାପକ ହେବା ସହ ଲୋକେ ଆମେରିକାର ବଡ଼ ବଡ଼ ଅଧିକ ଜାଳେଣି ଖାଉଥିବା ଗାଡ଼ି ପରିବର୍ତ୍ତେ ଜାପାନ ଓ ୟୁରୋପର ଛୋଟ କାର୍ ବ୍ୟବହାର କରିବା ଆରମ୍ଭ କରିଥିଲେ । ଏଥିରୁ ସ୍ପଷ୍ଟ ସଙ୍କେତ ମିଳୁଛି ଯେ ଆଜିର ସମୟରେ ମଧ୍ୟ ସେଭଳି କିଛି ବଡ଼ ପରିବର୍ତ୍ତନର ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଯେଉଁଥିପାଇଁ ବର୍ଷ ୨୦୨୬ରେ ଇଲେକ୍ଟ୍ରିକ୍ ଭେହିକିଲ୍ ବିକ୍ରି ୟୁରୋପରେ ୩୦ ପ୍ରତିଶତ ଏବଂ ଲାଟିନ୍ ଆମେରିକା ଓ ଏସିଆ ମହାଦେଶରେ ପ୍ରାୟ ୭୫ ରୁ ୮୦ ପ୍ରତିଶତ ବୃଦ୍ଧି ପାଇଛି । ପ୍ରସିଦ୍ଧ ଅର୍ଥନୀତିଜ୍ଞ ପଲ୍ ରୋମର୍ଙ୍କ ସେହି ଆପ୍ତବାକ୍ୟ ଅନୁଯାୟୀ "କୌଣସି ସଂକଟକୁ ବେକାର ଯିବାକୁ ଦେବା ଉଚିତ୍ ନୁହେଁ", ତେଣୁ ବର୍ତ୍ତମାନର ଏହି ବିଶ୍ବ ସଂକଟ ହୁଏତ ଗ୍ଲୋବାଲ୍ ଇଭି  ବିପ୍ଳବକୁ ଏକ ନୂଆ ପରିପକ୍ବତା ପ୍ରଦାନ କରିପାରେ। ତଥାପି ଏହି ପରିବର୍ତ୍ତନର ପଥରେ ଅନେକ ପ୍ରତିବନ୍ଧକ ମଧ୍ୟ ରହିଛି, କାରଣ ଯଦି ତୈଳ ଆମଦାନୀକାରୀ ଦେଶଗୁଡ଼ିକ ଶକ୍ତି କ୍ଷେତ୍ରରେ ପରିବର୍ତ୍ତନ ଚାହୁଁଛନ୍ତି । ତେବେ ରପ୍ତାନିକାରୀ ଦେଶଗୁଡ଼ିକର ସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ, ଯେଉଁମାନଙ୍କର ରାଜସ୍ୱ ଏହି ସଂକଟ ଯୋଗୁଁ ବହୁ ଗୁଣ ବଢ଼ିଯାଇଛି ଏବଂ ସେମାନେ ଉତ୍ପାଦନ ବଢ଼ାଇ ଅଧିକ ଲାଭ କମାଇବାକୁ ଚାହିଁବେ, ତେଣୁ ଏହି ଐତିହାସିକ ଶକ୍ତି ସଂକଟକୁ ଏତେ ସହଜରେ କୌଣସି ସରଳ ସମାଧାନର ରୂପ ଦିଆଯାଇ ପାରିବ ନାହିଁ ବୋଲି ସମୀକ୍ଷକ ମତ ଦେଉଛନ୍ତି ।

Tags: