ଭାରତରେ ପ୍ରଭାବ
ବିଶ୍ୱସ୍ତରୀୟ ଯୋଗାଣ ବାଧା ଏବଂ ଆମଦାନୀ ଉପରେ ନିର୍ଭରଶୀଳତା ବର୍ତ୍ତମାନ ଭାରତରେ ଶକ୍ତି ସଙ୍କଟ ସୃଷ୍ଟି କରିଛି । ଦେଶରେ ଅନେକ କ୍ଷେତ୍ରରେ ଶକ୍ତି ସଙ୍କଟ ଉପୁଜିଥିବା ଦେଖିବାକୁ ମିଳିଛି । ଏହା ମୁଖ୍ୟତଃ ବିଶ୍ୱସ୍ତରୀୟ ଯୋଗାଣ ବାଧା ଏବଂ ଆମଦାନୀ ହେଉଥିବା ଇନ୍ଧନ ଉପରେ ଅତ୍ୟଧିକ ନିର୍ଭରଶୀଳତା ଯୋଗୁଁ ସୃଷ୍ଟି ହୋଇଛି । ପଶ୍ଚିମ ଏସିଆରେ ଭୂ-ରାଜନୈତିକ ଉତ୍ତେଜନା ଏବଂ 'ଷ୍ଟ୍ରେଟ୍ ଅଫ୍ ହରମୁଜ୍' ଭଳି ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ମାର୍ଗରେ ବାଧା ସୃଷ୍ଟି ହେବା ଫଳରେ ଅଶୋଧିତ ତୈଳ ଏବଂ ଗ୍ୟାସ ମୂଲ୍ୟରେ ଅତ୍ୟଧିକ ବୃଦ୍ଧି ଘଟିଛି । ଏହାଦ୍ୱାରା ଦେଶବ୍ୟାପୀ ବ୍ୟାପକ ଅର୍ଥନୈତିକ ସମସ୍ୟା, ବ୍ୟବସାୟ ବନ୍ଦ ହେବା ଏବଂ ଇନ୍ଧନ ଅଭାବ ପରିସ୍ଥିତି ଦେଖାଦେଇଛି। ସେହିଭଳି ଗଲ୍ଫ (ଉପସାଗରୀୟ) ଅଞ୍ଚଳରେ ବଢ଼ୁଥିବା ସଂଘର୍ଷ ଏବଂ ଗୁରୁତ୍ୱପୂର୍ଣ୍ଣ ମାର୍ଗଗୁଡ଼ିକ ଅବରୋଧ ହେବା ଯୋଗୁଁ ବିଶ୍ୱ ଏପର୍ଯ୍ୟନ୍ତ ସବୁଠାରୁ ଗମ୍ଭୀର ଶକ୍ତି ଯୋଗାଣ ବାଧାର ସମ୍ମୁଖୀନ ହୋଇଛି । ଯାହା ବିଶ୍ୱ ଅଶୋଧିତ ତୈଳ ଏବଂ ତରଳୀକୃତ ପ୍ରାକୃତିକ ଗ୍ୟାସ ବଜାରକୁ ଗଭୀର ଭାବେ ପ୍ରଭାବିତ କରିଛି। ଭାରତରେ ଏଲପିଜି ଏବଂ ସିଏନଜି ଅଭାବ ମଧ୍ୟ ଦେଖିବାକୁ ମିଳିଛି । ଭାରତ ତା’ର ଘରୋଇ ବ୍ୟବହାର ପାଇଁ ଏଲପିଜିର ଏକ ବଡ଼ ଅଂଶ ଆମଦାନୀ କରିଥାଏ, ଯାହାଫଳରେ ଦେଶ ଆନ୍ତର୍ଜାତୀୟ ମୂଲ୍ୟର ଅସ୍ଥିରତା ପ୍ରତି ଅତ୍ୟଧିକ ସଂବେଦନଶୀଳ ହୋଇପଡ଼ିଛି । ଯୋଗାଣରେ ଅଭାବ ଏବଂ ସରକାରୀ ମୂଲ୍ୟକୁ ଚାପି ରଖିବା କାରଣରୁ ବଜାରରେ କଳାବଜାରୀ ବୃଦ୍ଧି ପାଇଛି । ଯାହା ଘରୋଇ ଏବଂ ବାଣିଜ୍ୟିକ ଉଭୟ କ୍ଷେତ୍ରକୁ ଅତିଷ୍ଠ କରିଦେଇଛି । ଏହି ସଙ୍କଟର ମୁକାବିଲା ପାଇଁ ସରକାର ଅସ୍ଥାୟୀ ଭାବେ ୨୧ଟି ରାଜ୍ୟରେ ଜନ ବିତରଣ ବ୍ୟବସ୍ଥା ବା ପିଡିଏସ ମାଧ୍ୟମରେ କିରୋସିନି ଯୋଗାଣ ପୁନର୍ବାର ଆରମ୍ଭ କରିଛନ୍ତି । ଯାହାଦ୍ୱାରା ଗରିବ ଓ ଅସହାୟ ପରିବାରଗୁଡ଼ିକୁ ଏଲପିଜିର ମୂଲ୍ୟ ବୃଦ୍ଧି ଏବଂ ରନ୍ଧନ ଗ୍ୟାସର ଅନିଶ୍ଚିତତାରୁ ରକ୍ଷା କରାଯାଇପାରିବ । ସେହିଭଳି ପେଟ୍ରୋଲ ଡିଜେଲ କ୍ଷେତ୍ରରେ ମଧ୍ୟ ଅନେକ ସମସ୍ୟା ଉପୁଜିଛି । ଦେଶରେ ଏହାର ଅଭାବ ମଧ୍ୟ ଦେଖିବାକୁ ମିଳିଛି । କିଛି ରାଜ୍ୟରେ ଏହା ଖୁବ ଅଧିକ ସଙ୍କଟ ମଧ୍ୟରେ ରହିଛି । ତେବେ ଏହି ସମସ୍ୟାକୁ ମୁକାବିଲା କରିବାକୁ ସରକାରଙ୍କ ପକ୍ଷରୁ ଇଭି ଉପରେ ଗୁରୁତ୍ବ ଦିଆଯିବା ସହିତ ଏହାର ବ୍ୟବହାର ବଢାଯାଇଛି । ସେହିଭଳି ୱାର୍କ ଫ୍ରମ ହୋମ୍କୁ ସରକାର ଗୁରୁତ୍ବ ଦେବା ସହିତ ଭେଇକିଲ ସେୟାରିଂ ପଲିସି ଲାଗୁ କରିଛନ୍ତି । ସେହିଭଳି ଅନେକ ସରକାରୀ ଅଫିସ ସହ ସରକାରୀ ପରିବହନ ଯାନ ଗୁଡିକୁ ଇଭିରେ ପରିଣତ କରାଯାଇଛି ।
ତେବେ ଏହି ସଙ୍କଟର ସିଧାସଳଖ ଅର୍ଥନୈତିକ ଏବଂ ଘରୋଇ ଓ ବାଣିଜ୍ୟିକ ପ୍ରଭାବ ରହିଛି । ଇନ୍ଧନ ମୂଲ୍ୟ ବୃଦ୍ଧି ଯୋଗୁଁ ସାରା ଦେଶରେ ମୁଦ୍ରାସ୍ଫୀତି (ମହଙ୍ଗା ମାଡ଼) ବଢ଼ିବାରେ ଲାଗିଛି । ଅପରପକ୍ଷେ, ସିଏନଜି ଏବଂ ଗ୍ୟାସ ଅଭାବ ଯୋଗୁଁ କ୍ଷୁଦ୍ର ଶିଳ୍ପ କାରଖାନା ଏବଂ ହସ୍ପିଟାଲିଟି କ୍ଷେତ୍ର ଅସ୍ଥାୟୀ ଭାବେ ବନ୍ଦ ହେବାକୁ ବାଧ୍ୟ ହୋଇଛି। ଏହି କାରଣରୁ କୃଷି କ୍ଷେତ୍ରରେ ମଧ୍ୟ ପରୋକ୍ଷରେ ଚାପ ଦେଖିବାକୁ ମିଳିଛି । ସାର କାରଖାନାଗୁଡ଼ିକ ଗ୍ୟାସ ଯୋଗାଣ ଅଭାବର ସମ୍ମୁଖୀନ ହେଉଛନ୍ତି, ଯାହାଫଳରେ ଫସଲ ଉତ୍ପାଦନ ହ୍ରାସ ପାଇବା ସହ କୃଷି ଖର୍ଚ୍ଚ ବୃଦ୍ଧି ହେବାର ଆଶଙ୍କା ଦେଖାଦେଇଛି । ତେବେ ମଧ୍ୟପ୍ରାଚ୍ୟର ବାଧାପ୍ରାପ୍ତ ସାମୁଦ୍ରିକ ମାର୍ଗ ଉପରେ ନିର୍ଭରଶୀଳତା କମାଇବା ପାଇଁ ଭାରତ ନିଜର ଶକ୍ତି ଉତ୍ସଗୁଡ଼ିକର ବିବିଧକରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଛି । ଏଥିପାଇଁ 'କେପ୍ ଅଫ୍ ଗୁଡ୍ ହୋପ୍' ମାର୍ଗ ଦେଇ ରୁଷରୁ ତୈଳ ଆମଦାନୀ ବହୁ ପରିମାଣରେ ବୃଦ୍ଧି କରାଯାଇଛି ଏବଂ ଆଲଜେରିଆ ଓ ଅଷ୍ଟ୍ରେଲିଆ ଭଳି ବିକଳ୍ପ ଦେଶଗୁଡ଼ିକରୁ ଶକ୍ତି ସଂଗ୍ରହ ସୁନିଶ୍ଚିତ କରାଯାଉଛି ।



