ପ୍ରବାସୀ ପ୍ରକ୍ରିୟା
ପ୍ରାଣୀ ଜଗତର ପ୍ରବାସୀ ପ୍ରକ୍ରିୟା ବା ମାଇଗ୍ରେସନ ହେଉଛି ପ୍ରକୃତିର ଏକ ଅତି ରହସ୍ୟମୟ ତଥା ବିସ୍ମୟକର ପ୍ରକ୍ରିୟା । ଯେଉଁଥିରେ ବିଭିନ୍ନ ପ୍ରଜାତିର ଜୀବଜନ୍ତୁ ନିଜର ବଂଶ ରକ୍ଷା, ଉପଯୁକ୍ତ ଖାଦ୍ୟର ସନ୍ଧାନ ଏବଂ ପ୍ରତିକୂଳ ପରିବେଶରୁ ରକ୍ଷା ପାଇବା ପାଇଁ ହଜାର ହଜାର କିଲୋମିଟର ଦୂରତା ଅତିକ୍ରମ କରିଥାନ୍ତି । ଏହି ପ୍ରକ୍ରିୟା ମୁଖ୍ୟତଃ ପକ୍ଷୀ, ସ୍ତନ୍ୟପାୟୀ ପ୍ରାଣୀ, ମାଛ, ସରୀସୃପ, ଉଭୟଚର ଏବଂ କୀଟପତଙ୍ଗ ଆଦି ସମସ୍ତ ପ୍ରମୁଖ ଜୀବ ଗୋଷ୍ଠୀଙ୍କ ମଧ୍ୟରେ ଦେଖାଯାଇଥାଏ, ଯାହା ସ୍ଥାନୀୟ ଜଳବାୟୁରେ ପରିବର୍ତ୍ତନ କିମ୍ବା ଋତୁଚକ୍ର ଅନୁଯାୟୀ ସଂଘଟିତ ହୋଇଥାଏ । ଏହାକୁ ଏକ ପ୍ରକୃତ ପରିବ୍ରଜନ ଭାବେ ଗଣନା କରାଯାଏ ଯେତେବେଳେ ଏହି ଯାତ୍ରା ଏକ ନିର୍ଦ୍ଧିଷ୍ଟ ବାର୍ଷିକ ଧାରା ଅନୁସରଣ କରେ, ଯେପରିକି ଉତ୍ତର ଗୋଲାର୍ଦ୍ଧର ପକ୍ଷୀମାନେ ଅତ୍ୟଧିକ ଶୀତରୁ ବର୍ତ୍ତିବା ପାଇଁ ଦକ୍ଷିଣ ଦିଗକୁ ଉଡ଼ିଯିବା କିମ୍ବା ଆଫ୍ରିକାର ୱାଇଲ୍ଡବିଷ୍ଟ୍ ମାନେ ସବୁଜ ଘାସର ସନ୍ଧାନରେ ଦଳଗତ ଭାବେ ବାର୍ଷିକ ଯାତ୍ରା କରିବା । କେବଳ ଦୂରତା ନୁହେଁ, ବରଂ ଜୀବନ ଚକ୍ରର ଏକ ଅଂଶ ଭାବେ ବାସସ୍ଥାନର ବଡ଼ ଧରଣର ପରିବର୍ତ୍ତନକୁ ମଧ୍ୟ ପରିବ୍ରଜନ କୁହାଯାଏ, ଯାହାର ଏକ ଜ୍ୱଳନ୍ତ ଉଦାହରଣ ହେଉଛି ଆଟଲାଣ୍ଟିକ୍ ସାଲମନ ମାଛ କିମ୍ବା ସି-ଲାମ୍ପ୍ରେମାନେ ନିଜ ଜନ୍ମିତ ନଦୀ ଛାଡ଼ି ବିଶାଳ ସମୁଦ୍ରକୁ ଯାତ୍ରା କରିବା । ପୂର୍ବ କାଳରେ ଯେତେବେଳେ ବିଜ୍ଞାନ ଏତେ ପ୍ରଗତି କରିନଥିଲା, ସେତେବେଳେ ପ୍ରାଣୀମାନଙ୍କର ଏହି ଅଦୃଶ୍ୟ ହୋଇଯିବା ଏବଂ ପୁଣି ଫେରିଆସିବା ଉପରେ ଅନେକ କାଳ୍ପନିକ ଲୋକକଥା ପ୍ରଚଳିତ ଥିଲା । ଯଥା ଲୋକେ ବିଶ୍ୱାସ କରୁଥିଲେ ଯେ ‘ବାର୍ନାକଲ୍ ଗିଜ୍’ ପକ୍ଷୀମାନେ ପ୍ରକୃତରେ ସମୁଦ୍ରର କାଠ ଗଣ୍ଡିରେ ଲାଗିଥିବା ଏକ ପ୍ରକାର ଶାମୁକା ବା ‘ଗୁଜ୍ ବାର୍ନାକଲ୍’ରୁ ଜନ୍ମ ହୁଅନ୍ତି । ମାତ୍ର ଆଧୁନିକ ଯୁଗରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ସହାୟତାରେ ପକ୍ଷୀଙ୍କ ଗୋଡ଼ରେ ଚିହ୍ନଟକାରୀ ରିଙ୍ଗ୍ ଲଗାଇବା କିମ୍ବା ଅତି ସୂକ୍ଷ୍ମ ଇଲେକ୍ଟ୍ରୋନିକ୍ ଟ୍ରାକିଂ ଉପକରଣ ବ୍ୟବହାର କରି ସେମାନଙ୍କର ଗତିପଥ ଓ ଆଚରଣକୁ ନିଖୁଣ ଭାବେ ଅନୁଧ୍ୟାନ କରାଯାଉଛି, ଯାହା ପରିବେଶ ବିଜ୍ଞାନ ଓ ଜୀବବିଜ୍ଞାନ କ୍ଷେତ୍ରରେ ଏକ ନୂତନ ଦିଗ ଉନ୍ମୋଚନ କରିଛି ।
ରହିଛି ବିଭିନ୍ନ ପ୍ରକାର
ପ୍ରାଣୀ ଜଗତରେ ସ୍ଥାନାନ୍ତରଣ ବା ପ୍ରବାସୀ ପ୍ରକ୍ରିୟା ଏକ ଜଟିଳ ତଥା ରୋମାଞ୍ଚକର । ଯାହା କେବଳ ଦୂରତା ଅତିକ୍ରମ କରିବା ନୁହେଁ, ବରଂ ଜୀବନ ବଞ୍ଚାଇବାର ଏକ ସଂଘର୍ଷ। ଏହା ହେଉଛି ପ୍ରାଣୀମାନଙ୍କର ଏକ ନିରନ୍ତର ଗତି, ଯେଉଁଥିରେ ସେମାନେ ନିଜର ଶାରୀରିକ ଶକ୍ତି ବ୍ୟବହାର କରି କିମ୍ବା କୌଣସି ବାହ୍ୟ ମାଧ୍ୟମ ଦ୍ୱାରା ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟସ୍ଥଳକୁ ଯାତ୍ରା କରନ୍ତି । ଏହି ପ୍ରକ୍ରିୟାରେ ପ୍ରାଣୀମାନେ ସାଧାରଣ ଦୈନନ୍ଦିନ କାର୍ଯ୍ୟକଳାପ ଅପେକ୍ଷା ବହୁତ ବଡ଼ ସ୍ତରରେ ସ୍ଥାନ ପରିବର୍ତ୍ତନ କରିଥାନ୍ତି । କେତେକ ପ୍ରଜାତି ପାଇଁ ଏହା ବାଧ୍ୟତାମୂଳକ ହୋଇଥିବାବେଳେ ଅନ୍ୟମାନଙ୍କ ପାଇଁ ଏହା ପରିସ୍ଥିତି ଉପରେ ନିର୍ଭର କରେ । ଯେତେବେଳେ ଏକ ଗୋଷ୍ଠୀର ସମସ୍ତ ପ୍ରାଣୀ ସ୍ଥାନାନ୍ତରିତ ହୁଅନ୍ତି, ତାହାକୁ 'ପୂର୍ଣ୍ଣ ପ୍ରବାସୀ' ବା ଫୁଲ ମାଇଗ୍ରେସନ କୁହାଯାଏ ଏବଂ ଯେତେବେଳେ କେବଳ କିଛି ନିର୍ଦ୍ଦିଷ୍ଟ ବୟସ ବା ଲିଙ୍ଗର ପ୍ରାଣୀ ଯାତ୍ରା କରନ୍ତି, ତାହାକୁ 'ପାର୍ଥକ୍ୟମୂଳକ ପ୍ରବାସୀ' ବା ଡିଫ୍ରେନସିଆଲ ମାଇଗ୍ରେସନ କୁହାଯାଏ । ଦୁର୍ଭିକ୍ଷ କିମ୍ବା ଅତ୍ୟଧିକ ଜନସଂଖ୍ୟା ଚାପ ଯୋଗୁଁ ମଧ୍ୟ ଅନିୟମିତ ପ୍ରବାସୀ ପ୍ରକ୍ରିୟା ଦେଖିବାକୁ ମିଳିଥାଏ । ଋତୁଭିତ୍ତିକ ପ୍ରବାସୀ ପ୍ରକ୍ରିୟା ହେଉଛି ସବୁଠାରୁ ସାଧାରଣ ରୂପ, ଯେଉଁଠାରେ ପ୍ରାଣୀମାନେ ଖାଦ୍ୟର ଉପଲବ୍ଧତା ଏବଂ ଜଳବାୟୁ ପରିବର୍ତ୍ତନ ଅନୁଯାୟୀ ନିଜର ବାସସ୍ଥାନ ବଦଳାନ୍ତି। ପାସିଫିକ୍ ସାଲମନ ମାଛ ପ୍ରଜନନ ପାଇଁ ସମୁଦ୍ରରୁ ନଦୀର ସ୍ରୋତ ଅଭିମୁଖେ ଯାତ୍ରା କରନ୍ତି। ସେହିପରି ଅନେକ ପକ୍ଷୀ ମଧ୍ୟ ଏଥିରେ ସାମିଲ ହୋଇଥାଆନ୍ତି । ସମୁଦ୍ରରେ ମଧ୍ୟ 'ଟାଇଡାଲ୍' ବା ଜୁଆର-ଭଟ୍ଟା ଭିତ୍ତିକ ପ୍ରବାସୀ ପ୍ରକ୍ରିୟା ଦେଖାଯାଏ । ଯେଉଁଥିରେ କଙ୍କଡ଼ା ଓ ଛୋଟ ମାଛମାନେ ଜୁଆର ସମୟରେ ଖାଦ୍ୟ ଅନ୍ୱେଷଣରେ କୂଳକୁ ଆସନ୍ତି। ଏହି ସମସ୍ତ ପ୍ରକ୍ରିୟା ପ୍ରକୃତିର ସନ୍ତୁଳନ ରକ୍ଷା କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ।



