ମଣିଷର ରହିଛି ତୃତୀୟ ଆଖି
ମଣିଷ ମୁଣ୍ଡ ଭିତରେ ଲୁଚି ରହିଛି ତୃତୀୟ ଆଖି, ବୈଜ୍ଞାନିକମାନେ ୬୦୦ ମିଲିୟନ ବର୍ଷ ପୁରୁଣା ଏହି ରହସ୍ୟ ଉନ୍ମୋଚନ କରିବାରେ ସକ୍ଷମ ହୋଇଛନ୍ତି । ଏକ ଜର୍ଣ୍ଣାଲରେ ପ୍ରକାଶିତ ଏକ ନୂତନ ଅଧ୍ୟୟନ ଅନୁଯାୟୀ, ବୈଜ୍ଞାନିକମାନେ ମଣିଷ ମୁଣ୍ଡ ଭିତରେ ଲୁଚି ରହିଥିବା ଏକ ପ୍ରାଚୀନ ଆଲୋକ-ସଂବେଦନଶୀଳ ଅଙ୍ଗର ସନ୍ଧାନ ପାଇଛନ୍ତି । ଯାହାର ଇତିହାସ ପ୍ରାୟ ୬୦୦ ମିଲିୟନ ବର୍ଷ ପୁରୁଣା ବୋଲି ଜଣାପଡ଼ିଛି। ଏହି ଗବେଷଣା ମଣିଷ ମସ୍ତିଷ୍କର ଗଭୀରରେ ଥିବା ମଟର ଦାନା ସଦୃଶ 'ପିନିଆଲ୍ ଗ୍ଲାଣ୍ଡ' ଉପରେ ଆଧାରିତ । ଯାହା ସୂର୍ଯ୍ୟକିରଣ ସଂସ୍ପର୍ଶରେ ନଆସିଲେ ମଧ୍ୟ ଶରୀରରେ ଆଲୋକ ଓ ଅନ୍ଧାରର ସନ୍ତୁଳନ ରକ୍ଷା କରିବା ସହ ନିଦ୍ରା ଚକ୍ରକୁ ନିୟନ୍ତ୍ରଣ କରୁଥିବା 'ମେଲାଟୋନିନ' ହରମୋନ ପ୍ରସ୍ତୁତ କରିଥାଏ। ଗବେଷକମାନେ ଏହାକୁ "ଟ୍ରାଇ-କର୍ଣ୍ଣିଆ ଥିଓରୀ" ନାମ ଦେଇ କହିଛନ୍ତି ଯେ, ପିନିଆଲ୍ ଗ୍ଲାଣ୍ଡ ଏବଂ ମଣିଷ ଆଖିର ରେଟିନା ପ୍ରକୃତରେ ପ୍ରାୟ ୫୭୫ ମିଲିୟନ ବର୍ଷ ପୂର୍ବେ ସମୁଦ୍ରରେ ବାସ କରୁଥିବା ଏକ ପ୍ରାଚୀନ ଜୀବର ସମାନ ଆଲୋକ-ସଂବେଦନଶୀଳ ଅଙ୍ଗରୁ ବିକଶିତ ହୋଇଛନ୍ତି। ସେହି ପ୍ରାଚୀନ ଜୀବର ଦୁଇଟି ପାର୍ଶ୍ୱ ଆଖି ସହ ମୁଣ୍ଡ ଉପରେ ଏକ ତୃତୀୟ ଆଲୋକ ସେନ୍ସର ଥିଲା । କାଳକ୍ରମେ ମାଟି ତଳେ ବୁଡ଼ି ରହିବା କାରଣରୁ ପାର୍ଶ୍ୱ ଆଖି ନଷ୍ଟ ହୋଇଯାଇଥିଲା ଏବଂ ପରେ ପୁନର୍ବାର ସମୁଦ୍ରକୁ ଫେରିବା ପରେ ସେହି ତୃତୀୟ ଆଖିର କିଛି ଅଂଶ ପାର୍ଶ୍ୱକୁ ଯାଇ 'ରେଟିନା' ପାଲଟିଥିବା ବେଳେ ମୂଳ ଅଙ୍ଗଟି ମସ୍ତିଷ୍କ ଭିତରେ ରହିଯାଇଥିଲା ବୋଲି ବୈଜ୍ଞାନିକ ପ୍ରକାଶ କରିଛନ୍ତି । ପ୍ରଫେସର ଥୋମାସ ବେଡେନଙ୍କ ନେତୃତ୍ୱରେ ବୈଜ୍ଞାନିକମାନେ ବିଭିନ୍ନ ମାଛ ଓ ପ୍ରଜାତିର ଜେନେଟିକ ତଥ୍ୟକୁ ସମୀକ୍ଷା କରି ଏହି ନିଷ୍କର୍ଷରେ ପହଞ୍ଚିଛନ୍ତି ଏବଂ ନ୍ୟୁଜିଲାଣ୍ଡର 'ଟୁଆଟାରା' ନାମକ ସରୀସୃପ ପାଖରେ ଆଜି ବି ଏହି ତୃତୀୟ ଆଖି ମୁଣ୍ଡ ଉପରେ ସ୍ପଷ୍ଟ ଦେଖାଯାଏ ବୋଲି ଅଧ୍ୟୟନରେ ଉଲ୍ଲେଖ କରାଯାଇଛି ।



