ଭାସମାନ ଘର
ବର୍ତ୍ତମାନ ଭାରତର ବିଭିନ୍ନ ରାଜ୍ୟରେ ଦେଖିବାକୁ ମିଳିଛି ବନ୍ୟା ପରିସ୍ଥିତି, ଯେଉଁ କାରଣରୁ ଅନେକ ଲୋକ ନିଜ ବାସ ଗୃହ ହରାଇବା ସହିତ ଜଳବନ୍ଦୀ ଜୀବନ ବଞ୍ଚୁଛନ୍ତି । ତେବେ ଏଭଳି ସମସ୍ୟାରୁ ମୁକୁଳିବା ପାଇଁ ବିହାରର ଜଣେ ଯୁବକ ନିର୍ମାଣ କରିଛନ୍ତି ଭାସମାନ ଘର, ଯାହା ବର୍ତ୍ତମାନ ଖୁବ ଚର୍ଚ୍ଚାର ବିଷୟ ପାଲିଟିଛି । ପ୍ରତିବର୍ଷ ମୌସୁମୀ ଋତୁ ଆସିଲେ ବିହାରର ହଜାର ହଜାର ପରିବାର ଗୋଟିଏ ବଡ଼ ଭୟ ମଧ୍ୟରେ ଦିନ କାଟନ୍ତି । ନଦୀର ଜଳସ୍ତର ବୃଦ୍ଧି ପାଇବା ଯୋଗୁଁ ଘର ଭିତରେ ପାଣି ପଶିଯାଏ, ରାସ୍ତାଘାଟ ବୁଡ଼ିଯାଏ ଏବଂ ସମ୍ପୂର୍ଣ୍ଣ ଅଞ୍ଚଳ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପଡ଼େ । କିନ୍ତୁ ଏବେ ଗଙ୍ଗା ନଦୀ କୂଳରେ ଏପରି ଏକ ବିଶେଷ ଘର ତିଆରି କରାଯାଇଛି, ଯାହା ବନ୍ୟା ପାଣି ବଢ଼ିବା ସହିତ ନିଜେ ମଧ୍ୟ ଉପରକୁ ଭାସିବାକୁ ଲାଗିବ । ବିହାରରେ ମୌସୁମୀ ବନ୍ୟା ଯୋଗୁଁ ହେଉଥିବା ବ୍ୟାପକ କ୍ଷତି ଦେଖିବା ପରେ ପ୍ରଶାନ୍ତ କୁମାରଙ୍କ ମନରେ ଏହି ନିଆରା ଚିନ୍ତାଧାରା ଆସିଥିଲା । ପ୍ରଶାନ୍ତ ପେଶାରେ ଜଣେ ଇଞ୍ଜିନିୟର, ଯାହା ତାଙ୍କର ଏହି ଚାନ୍ତାଧାରାକୁ ଅଧିକ ଖୋରାକ ଯୋଗାଇଥିଲା । ତାଙ୍କର ଚିନ୍ତାଧାରାରୁ ଜନ୍ମ ନେଇଥିଲା ଭାରତର ପ୍ରଥମ ଜଳବାୟୁ-ସହନଶୀଳ ଭାସମାନ ଘର ।
ଗଙ୍ଗା ନଦୀ କୂଳରେ ତିଆରି ହୋଇଥିବା ଏହି ତିନି ବଖରିଆ ଘରଟି ପ୍ରଚଣ୍ଡ ଖରାଦିନେ ଥଣ୍ଡା ଓ ପବନପୂର୍ଣ୍ଣ ରହୁଥିବା ବେଳେ ଶୀତଦିନେ ଉଷୁମ ରହେ ଏବଂ ବନ୍ୟା ସମୟରେ ପାଣି ଉପରେ ସହଜରେ ଭାସିପାରେ । ପ୍ରକୃତି ସହ ତାଳ ଦେଇ ରହିବା ପାଇଁ ତିଆରି କରାଯାଇଥିବା ଏହି ଘର ଦେଶର ଏକ ବଡ଼ ଜଳବାୟୁ ସମସ୍ୟାର ସରଳ ସମାଧାନ ସାଜିଛି ।
ବିଶେଷତ୍ବ
ଏହି ଘରର ବିଶେଷତ୍ୱ ହେଉଛି, ଏହାକୁ ତିଆରି କରିବା ପାଇଁ ବ୍ୟବହୃତ ସମସ୍ତ ସାମଗ୍ରୀ କେବଳ ୧୦ କିଲୋମିଟର ବ୍ୟାସାର୍ଦ୍ଧ ମଧ୍ୟରୁ ସଂଗ୍ରହ କରାଯାଇଛି, ଯାହା ପରିବେଶ ପ୍ରଦୂଷଣକୁ ଯଥେଷ୍ଟ କମ୍ କରିଥାଏ । ଏଥିରେ ପୁରୁଣା ବ୍ୟବହୃତ ପାଇପ୍ ଏବଂ ଗାଈ ଗୋବର, ଚୂନ, ଗୁଡ଼ ଓ ଧାନ କୁଣ୍ଡାରୁ ତିଆରି ଇଟା ବ୍ୟବହାର କରାଯାଇଛି । ଏହାସହ ବିଦ୍ୟୁତ୍ ପାଇଁ ସୋଲାର ପ୍ୟାନେଲ୍, ସବୁଜ ବଗିଚା ଏବଂ ବର୍ଜ୍ୟବସ୍ତୁକୁ ଖତରେ ପରିଣତ କରୁଥିବା ଶୁଖିଲା ଶୌଚାଳୟ ବ୍ୟବସ୍ଥା ମଧ୍ୟ ରହିଛି । ଏହି ସମ୍ପୂର୍ଣ୍ଣ ନିଆରା ଘରଟି ମାତ୍ର ୬ ଲକ୍ଷ ଟଙ୍କା ଖର୍ଚ୍ଚରେ ତିଆରି ହୋଇଛି । ପ୍ରଶାନ୍ତଙ୍କ ସ୍ୱପ୍ନ କେବଳ ଗୋଟିଏ ଘର ମଧ୍ୟରେ ସୀମିତ ନୁହେଁ । ସେ ଏହି ନିର୍ମାଣ ଖର୍ଚ୍ଚକୁ ୧.୫ ଲକ୍ଷ ଟଙ୍କାକୁ କମାଇବା ପାଇଁ ଚେଷ୍ଟା କରୁଛନ୍ତି, ଯାହାଦ୍ୱାରା ଗରିବ ଓ ସାଧାରଣ ଲୋକମାନେ ଏହାକୁ ସହଜରେ ଆପଣାଇପାରିବେ । ଆଗାମୀ ଦିନରେ ବିହାରରେ ଏକ ସମ୍ପୂର୍ଣ୍ଣ "ଭାସମାନ ଗାଁ" ଗଢ଼ିତୋଳିବାକୁ ସେ ଲକ୍ଷ୍ୟ ରଖିଛନ୍ତି, ଯାହା ବନ୍ୟା ସମୟରେ ମଧ୍ୟ ସୁରକ୍ଷିତ ଓ ଆତ୍ମନିର୍ଭରଶୀଳ ହୋଇରହିପାରିବ । ତାଙ୍କର ଏହି ନିଆରା ନିର୍ମାଣ ଶୈଳୀର ପ୍ରଶଂସା ସବୁଆଡେ ହେବା ସହିତ ସୋସିଆଲ ମିଡିଆରେ ଏହା ଖୁବ ଚର୍ଚ୍ଚିତ ପାଲଟିଛି ।




