ତନ୍ଦୁରର ଇତିହାସ
ଦୁନିଆର ଯେକୌଣସି ପ୍ରାନ୍ତରେ ଥିବା ଭାରତୀୟ ରେଷ୍ଟୁରାଣ୍ଟର ମେନୁରେ 'ତନ୍ଦୁରୀ' ଖାଇବା ସହଜରେ ଦେଖିବାକୁ ମିଳିଥାଏ। ମାଟିର ପାତ୍ର ସଦୃଶ ଚୁଲାରେ ରୁଟି ସେକିବାର ଏହି ବୈଜ୍ଞାନିକ କଳା ଆଧୁନିକ ନୁହେଁ, ବରଂ ଏହା ଅତି ପ୍ରାଚୀନ ସମୟରୁ ଚାଲିଆସୁଛି। ହରପ୍ପା ସଭ୍ୟତାରୁ ଏହାର ଆରମ୍ଭ ହୋଇଛି ।
ଆଜି ତନ୍ଦୁରରେ ମାଂସ ଏବଂ ଅନ୍ୟାନ୍ୟ ସ୍ୱାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ କରାଯାଉଥିଲେ ହେଁ, ଇତିହାସ ସୂଚାଏ ଯେ ପ୍ରାୟ ୫,୦୦୦ ବର୍ଷ ପୂର୍ବେ ସିନ୍ଧୁ ସଭ୍ୟତା ବା ହରପ୍ପା ସଭ୍ୟତା ସମୟରୁ ହିଁ ଲୋକମାନେ ଏହି ତନ୍ଦୁରର ଚମତ୍କାରୀ ସ୍ୱାଦ ଉପଭୋଗ କରିଆସୁଛନ୍ତି । ଏହି ଐତିହାସିକ ସ୍ଥାନଗୁଡ଼ିକର ଖନନ ସମୟରେ ମିଳିଥିବା ମାଟିର ସିଲିଣ୍ଡର ଆକୃତିର ଚୁଲା ଏହାର ପ୍ରମାଣ ଦିଏ । ମାଟି ତଳେ ଗାତ କରି କୋଇଲା ନିଆଁରେ ପ୍ରସ୍ତୁତ ଏହି ଚୁଲା ଭିତରେ ତାପମାତ୍ରା ପ୍ରାୟ ୪୦୦ ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ପହଞ୍ଚିଥାଏ । ଯାହା ରୁଟି ଏବଂ ମାଂସକୁ ଏକ ସ୍ୱତନ୍ତ୍ର ପୋଡ଼ା ବା ଧୂଆଁଳିଆ ସ୍ୱାଦ ପ୍ରଦାନ କରିଥାଏ । ଯେଉଁ କାରଣରୁ ଏଗୁଡିକର ସ୍ବାଦ ବଢିଯାଇଥାଏ । ମୋଗଲ ସମ୍ରାଟ ଜାହାଙ୍ଗୀର ଏହି ସ୍ୱାଦପ୍ରତି ଏତେ ଆକୃଷ୍ଟ ଥିଲେ ଯେ ସେ ନିଜର ସେନା ଶିବିର ଯାତ୍ରା ସମୟରେ ମଧ୍ୟ ସାଙ୍ଗରେ ଏକ ପୋର୍ଟେବଲ୍ ତନ୍ଦୁର ରଖୁଥିଲେ ।
ସାମାଜିକ ସଦଭାବନାର ମାଧ୍ୟମ : ମୋଗଲ ଶାସନ ପରେ ଶିଖ୍ ସମ୍ପ୍ରଦାୟରେ ମଧ୍ୟ ଏହା ବେଶ୍ ଆଦୃତ ହୋଇଥିଲା । ଶିଖ୍ ଧର୍ମର ପ୍ରତିଷ୍ଠାତା ଗୁରୁ ନାନକ ଦେବ ସମାଜରେ ଧର୍ମନିରପେକ୍ଷତାକୁ ପ୍ରୋତ୍ସାହିତ କରିବା ପାଇଁ 'ସାଞ୍ଝା ଚୁଲ୍ହା' (ସାଧାରଣ ତନ୍ଦୁର) ବ୍ୟବସ୍ଥା ଆରମ୍ଭ କରିଥିଲେ । ଯେଉଁଠାରେ ସବୁ ବର୍ଗର ମହିଳାମାନେ ଏକାଠି ହୋଇ ରୁଟି ପ୍ରସ୍ତୁତ କରୁଥିଲେ ଏବଂ ସମସ୍ତେ ଏକତ୍ର ଭୋଜନ କରୁଥିଲେ । ୧୯୪୭ ମସିହାରେ ଦେଶର ଐତିହାସିକ ବିଭାଜନ ସମୟରେ କୁନ୍ଦନ ଲାଲ୍ ଗୁଜରାଲ୍ ନାମକ ଜଣେ ବ୍ୟକ୍ତି ପେଶାୱାରରୁ ଦିଲ୍ଲୀକୁ ଶରଣାର୍ଥୀ ଭାବେ ଚାଲିଆସିଥିଲେ । ସେ ନିଜ ସହିତ ୧୯୨୦ ମସିହାରୁ ଆରମ୍ଭ କରିଥିବା ତନ୍ଦୁରୀ ପରମ୍ପରାକୁ ମଧ୍ୟ ନେଇ ଆସିଥିଲେ ଏବଂ ଦିଲ୍ଲୀର ଦରିୟାଗଞ୍ଜରେ ପ୍ରସିଦ୍ଧ 'ମୋତି ମହଲ' ରେଷ୍ଟୁରାଣ୍ଟର ସ୍ଥାପନା କରିଥିଲେ ।
ଆନ୍ତର୍ଜାତୀୟ ସ୍ତରରେ ପ୍ରସିଦ୍ଧି : ମୋତି ମହଲର ଏହି ମାଟି ଚୁଲାରେ ପ୍ରସ୍ତୁତ କ୍ରିସ୍ପି ତନ୍ଦୁରୀ ରୁଟି ଏବଂ ରୋଷ୍ଟେଡ୍ ଚିକେନ୍ ସାରା ବିଶ୍ୱରେ ଚହଳ ପକାଇଥିଲା । ଏହି ରେଷ୍ଟୁରାଣ୍ଟରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ରିଚାର୍ଡ ନିକ୍ସନ, କାନାଡାର ପ୍ରଧାନମନ୍ତ୍ରୀ ପିଆର ଟ୍ରୁଡୋ, ନେପାଳର ମହାରାଜା ଏବଂ ସୋଭିଏତ୍ ନେତାଙ୍କ ସମେତ ଭାରତର ଅନେକ ପ୍ରଧାନମନ୍ତ୍ରୀ ଏବଂ ବିଶିଷ୍ଟ ବ୍ୟକ୍ତିତ୍ୱମାନେ ଏହି ସ୍ୱାଦିଷ୍ଟ ଖାଦ୍ୟର ଆନନ୍ଦ ନେଇଛନ୍ତି । ପେଶାୱାରର ଏକ ସାଧାରଣ ଦୋକାନରୁ ଆରମ୍ଭ ହୋଇଥିବା ଏହି ମାଟି ଚୁଲାର ସରଳ ଚିନ୍ତାଧାରା ଆଜି ୯୦ରୁ ଅଧିକ ଆଉଟ୍ଲେଟ୍ ସହ ବିଶ୍ୱସ୍ତରୀୟ 'ଦ ମୋତି ମହଲ ଗ୍ରୁପ୍'ରେ ପରିଣତ ହୋଇଛି, ଯାହା ଭାରତୀୟ ସରଳ ରୋଷେଇ କଳାକୁ ବିଶ୍ବରେ ପ୍ରଚାର କରୁଛି ।




