ଶିବଲିଙ୍ଗ ପଛର ଇତିହାସ
ଶ୍ରାବଣ ମାସ ଆସିଲେ ଶିବଲିଙ୍ଗ ଉପରେ ପାଣି ଢାଳିବା ପାଇଁ ଦୂର ଦୂରାନ୍ତରୁ ଧାଇଁ ଆସନ୍ତି ଶିବଭକ୍ତମାନେ । ଭଗବାନ ଶିବଙ୍କ ପ୍ରତୀକ ରୂପେ ଶିବଲିଙ୍ଗକୁ ପୂଜା କରାଯାଏ । ଭଗବାନଙ୍କର ଏହି ପବିତ୍ର ପ୍ରତୀକ ପଛରେ ଲୁଚିରହିଛି ଅନେକ ରୋଚକ ତଥ୍ୟ । ବର୍ତ୍ତମାନ ନୁହେଁ, କାହିଁ କେଉଁ କାଳରୁ ଶିବଲିଙ୍ଗ ପୂଜନ କରିବାର ପ୍ରଥା ଚାଲିଆସୁଛି । ଏହା ଅନେକ ପ୍ରକାରର ହୋଇଥିବାବେଳେ ଏହାର ଭିନ୍ନ ପରିଚୟ ମଧ୍ୟ ରହିଛି । ଆସନ୍ତୁ ଜାଣିବା […]
ଶ୍ରାବଣ ମାସ ଆସିଲେ ଶିବଲିଙ୍ଗ ଉପରେ ପାଣି ଢାଳିବା ପାଇଁ ଦୂର ଦୂରାନ୍ତରୁ ଧାଇଁ ଆସନ୍ତି ଶିବଭକ୍ତମାନେ । ଭଗବାନ ଶିବଙ୍କ ପ୍ରତୀକ ରୂପେ ଶିବଲିଙ୍ଗକୁ ପୂଜା କରାଯାଏ । ଭଗବାନଙ୍କର ଏହି ପବିତ୍ର ପ୍ରତୀକ ପଛରେ ଲୁଚିରହିଛି ଅନେକ ରୋଚକ ତଥ୍ୟ । ବର୍ତ୍ତମାନ ନୁହେଁ, କାହିଁ କେଉଁ କାଳରୁ ଶିବଲିଙ୍ଗ ପୂଜନ କରିବାର ପ୍ରଥା ଚାଲିଆସୁଛି । ଏହା ଅନେକ ପ୍ରକାରର ହୋଇଥିବାବେଳେ ଏହାର ଭିନ୍ନ ପରିଚୟ ମଧ୍ୟ ରହିଛି । ଆସନ୍ତୁ ଜାଣିବା ଶିବଲିଙ୍ଗର ଉତ୍ପତ୍ତି ଓ ଇତିହାସ ସମ୍ବନ୍ଧରେ ।
ଶିବଲିଙ୍ଗକୁ ଲିଙ୍ଗା, ପାର୍ଥିବ ଲିଙ୍ଗ, ଲିଙ୍ଗମ୍ କିମ୍ବା ଶିବ ଲିଙ୍ଗମ୍ ଆଦି କୁହନ୍ତି । ଭଗବାନ ଶିବଙ୍କର ଏହା ହେଉଛି ପ୍ରତିମାବିହୀନ ଆକୃତି । ପ୍ରାକୃତିକ ରୂପେ ସ୍ୱୟମ୍ଭୁ ଶିବଲିଙ୍ଗ ଅଧିକାଂଶ ଶିବ ମନ୍ଦିରରେ ସ୍ଥାପିତ ହୋଇଥାଏ । ଶିବଲିଙ୍ଗ ସାଧାରଣତଃ ଗୋଲାକାର ଆକୃତି ଉପରେ ଛିଡା ହୋଇଥିବା ପ୍ରତୀୟମାନ ହୁଏ, ଯାହାକୁ ପୀଠ ବା ପୀଠମ୍ ବୋଲି କୁହାଯାଏ । ମୂଲ୍ୟବାନ ଖଣିଜ ପଥର କିମ୍ବା ଧାତୁ କିମ୍ବା ମାଟିରେ ପ୍ରସ୍ତୁତ ହୋଇଥିବା ଏହି ସ୍ତମ୍ଭକାର ବା ଅଣ୍ଡାକାର ଶିବଲିଙ୍ଗ ଭଗବାନ ଶିବଙ୍କ ନିରାକାର ସର୍ବବ୍ୟାପୀ ବାସ୍ତବିକତାକୁ ଦର୍ଶାଏ । ଏହାକୁ ସାଧାରଣତଃ ମନ୍ଦିରର ଗର୍ଭଗୃହରେ ସ୍ଥାପନ କରାଯାଏ । ସମାଜରେ ପାରମ୍ପରିକ ରୂପେ ଶିବଲିଙ୍ଗକୁ ଭଗବାନ ଶିବଙ୍କ ଊର୍ଜା ସ୍ୱରୂପ ମନେ କରାଯାଏ ।

ଉତ୍ପତ୍ତି
ସିନ୍ଧୁ ଘାଟି ସଭ୍ୟତାର ଖନନ ସମୟରେ କାଳିଗଙ୍ଗା ଏବଂ ଅନ୍ୟ ଖନନ ସ୍ଥାନରେ ମିଳିଥିବା ଶିବଲିଙ୍ଗରୁ ପ୍ରାରମ୍ଭିକ ଶିବଲିଙ୍ଗ ପୂଜନର ପ୍ରମାଣ ମିଳେ । ଏଥିରୁ ଶିବଲିଙ୍ଗର ପୂଜା ୩୫୦୦ ଖ୍ରୀଷ୍ଟପୂର୍ବରୁ ୨୩୦୦ ଖ୍ରୀଷ୍ଟପୂର୍ବ ମଧ୍ୟରେ ହୋଇଥିବା ଦର୍ଶାଏ । ମାନବବିଜ୍ଞାନୀ କ୍ରିଷ୍ଟୋଫର ଜନ୍ ଫୁଲରଙ୍କ କହିବା ମୁତାବକ ଏହି ସମୟରେ ଅଧିକାଂଶ ମାନବରୂପୀ ମୂର୍ତ୍ତି ମିଳିଥିଲା । ମାତ୍ର ଏହି ଶିବଲିଙ୍ଗର ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ ଥିଲା । ଅନେକ ସ୍ଥାନରେ ପ୍ରାକୃତିକ ଶିବଲିଙ୍ଗ ସନ୍ଧାନ କରାଯାଇଛି । ତନ୍ମଧ୍ୟରୁ ପଶ୍ଚିମ ହିମାଳୟରେ ଅମରନାଥ ନାମକ ଏକ ଗୁମ୍ଫାରେ ଥିବା ଶିବଲିଙ୍ଗ ଅନ୍ୟତମ । ପ୍ରତ୍ୟେକ ଶୀତଋତୁରେ ଏହି ଗୁମ୍ଫାର ତଳଭାଗରେ ବୁନ୍ଦା ବୁନ୍ଦା ଜଳ ପଡି ବରଫର ଶିବଲିଙ୍ଗ ସୃଷ୍ଟି ହୁଏ । ତୀର୍ଥଯାତ୍ରୀଙ୍କ ମଧ୍ୟରେ ଏହା ବହୁ ଲୋକପ୍ରିୟ । ସେହିପରି ଆମେରିକାର ହୱାଇ ରାଜ୍ୟରେ ଥିବା କଦାବୁଲ ହିନ୍ଦୁ ମନ୍ଦିରରେ ୩୨୦ କିଲୋ ଓଜନ ଏବଂ ୩ ଫୁଟ ଉଚ୍ଚତାବିଶିଷ୍ଟ ସ୍ୱୟମ୍ଭୁ ସ୍ପଟିକ ଶିବଲିଙ୍ଗ ସ୍ଥାପିତ ରହିଛି । ଏହାଛଡା ହିମାଳୟର ଗଢବାଲ କ୍ଷେତ୍ରରେ ଥିବା ଏକ ପାହାଡ ଉପରେ ବି ପ୍ରାକୃତିକ ଶିବଲିଙ୍ଗ ରହିଛି । ଉତ୍ତରାଖଣ୍ଡସ୍ଥିତ ଗଙ୍ଗୋତ୍ରୀ ହିମାନୀ ନିକଟରେ ପିରାମିଡ୍ ରୂପେ ଏହା ପ୍ରଥମେ ସୃଷ୍ଟି ହେଲା । ସେହିପରି ଆନ୍ଧ୍ରପ୍ରଦେଶର ବୋରା ଗୁମ୍ଫାରେ ପ୍ରାକୃତିକ ସ୍ୱୟମ୍ଭୁ ଶିବଲିଙ୍ଗ, ବାଣଲିଙ୍ଗ ନର୍ମଦା ନଦୀ ଉପରେ, ଛତିଶଗଡର ଭୂତେଶ୍ୱର ଶିବଲିଙ୍ଗ, ଅରୁଣାଚଳ ପ୍ରଦେଶର ସିଦ୍ଧେଶ୍ୱର ନାଥ ମନ୍ଦିରର ଶିବଲିଙ୍ଗ ଆଦିକୁ ପ୍ରାକୃତିକ ଶିବଲିଙ୍ଗ କୁହାଯାଏ । ପ୍ରନିତାତ୍ତ୍ୱିକ ଅନୁସନ୍ଧାନ ମୁତାବକ, ମେସୋପଟାମିଆ ଏବଂ ବେବିଲୋନ୍ରେ ବି ଶିବଲିଙ୍ଗର ପୂଜା କରାଯାଉଥିବାର ପ୍ରମାଣ ମିଳିଛି । ଏହାବ୍ୟତୀତ ମହେଞ୍ଜୋଦାରୋ ଓ ହରªାର ବିକଶିତ ସଂସ୍କୃତିରେ ବି ଶିବଲିଙ୍ଗର ପୂଜା କରାଯିବାର ପ୍ରନିତାତ୍ତ୍ୱିକ ଅବଶେଷ ମିଳିଛି । ମନୁଷ୍ୟ ସଭ୍ୟତାର ଆରମ୍ଭରେ ଲୋକମାନଙ୍କ ଜୀବନ ପଶୁ ଓ ପ୍ରକୃତି ଉପରେ ନିର୍ଭର ଥିଲା । ତେଣୁ ସେମାନେ ପଶୁଙ୍କ ସଂରକ୍ଷିତ ଦେବତା ରୂପେ ଶିବରୂପୀ ପଶୁପତିଙ୍କୁ ପୂଜାର୍ଚ୍ଚନା କରୁଥିଲେ । ହରªା ସଭ୍ୟତାରୁ ମିଳିଥିବା ଏକ ଅବଶେଷ ଉପରେ ତିନି ମୁହଁ ଥିବା ଜଣେ ପୁରୁଷଙ୍କର ଦୃଶ୍ୟ ରହିଛି ଏବଂ ତାଙ୍କ ଆଖପାଖରେ ଅନେକ ପଶୁ ରହିଛନ୍ତି । ଏହାକୁ ଭଗବାନ ଶିବଙ୍କର ପଶୁପତି ରୂପ ଭାବେ ଆଖ୍ୟା ଦିଆଯାଇଛି ।

ପ୍ରତୀକ
ଶିବଲିଙ୍ଗର ତିନୋଟି ଭାଗ ରହିଛି । ପ୍ରଥମ ଭାଗ ରୂପେ ଲିଙ୍ଗର ତଳଭାଗ ଅର୍ଥାତ୍ ଚାରିପଟେ ଭୂମିଗତ ହୋଇ ରହିଥିବା ଅଂଶକୁ ବୁଝାଏ । ସେହିପରି ଆଠ ସଂଖ୍ୟା ସଦୃଶ ହୋଇ ରହିଥିବା ଅଂଶକୁ ମଧ୍ୟ ଭାଗ ଏବଂ ଅଣ୍ଡାକାର ଅଂଶକୁ ଏହାର ଉପର ତଥା ଶୀର୍ଷ ଭାଗ ରୂପେ ବୁଝାଯାଏ । ଶିବଲିଙ୍ଗର ଉଚ୍ଚତାକୁ ସମ୍ପୂର୍ଣ୍ଣ ମଣ୍ଡଳ ବା ପରିଧିର ଏକ ତୃତୀୟାଂଶ ବୋଲି ଦର୍ଶାଯାଏ । କେବଳ ଏତିକି ନୁହେଁ, ଏହି ତିନି ଭାଗକୁ ଯଥାକ୍ରମେ ବ୍ରହ୍ମା, ବିଷ୍ଣୁ ଏବଂ ମହେଶ୍ୱରଙ୍କ ପ୍ରତୀକ ରୂପେ ମନେ କରାଯାଏ । ଶୀର୍ଷ ଭାଗରେ ଜଳାଭିଶେକ କରାଯାଏ, ଯାହା ତଳେ କରାଯାଇଥିବା ଏକ ମାର୍ଗ ଦେଇ ବହିଯାଏ । ଶିବଙ୍କ ମଥାରେ ତିନୋଟି ରେଖା, ଯାହାକୁ ତ୍ରିପୁଣ୍ଡ ବୋଲି କୁହାଯାଏ ଏବଂ ଗୋଟିଏ ବିନ୍ଦୁ ଥାଏ । ଠିକ୍ ସେହିପରି ଶିବଲିଙ୍ଗର ଅଣ୍ଡାକାର ଭାଗରେ ଏହି ରେଖା ଓ ବିନ୍ଦୁ ଅଙ୍କାଯାଏ । ପ୍ରାଚୀନ ମୁନି ଋଷିମାନଙ୍କ ଦ୍ୱାରା ବ୍ରହ୍ମାଣ୍ଡର ଏହି ରହସ୍ୟକୁ ବୁଝାଯାଇ ଭିନ୍ନ ଭିନ୍ନ ରୂପେ ଏହାର ସ୍ପଷ୍ଟିକରଣ ଦିଆଯାଇଛି । ଅପରପକ୍ଷେ ଶିବଲିଙ୍ଗ ପ୍ରମୁଖ ରୂପେ ଦୁଇ ପ୍ରକାରର । ପ୍ରଥମଟି ଆକାଶୀୟ ବା ଉଲ୍କା ଶିବଲିଙ୍ଗ ଏବଂ ଦ୍ୱିତୀୟଟି ପାରଦ ଶିବଲିଙ୍ଗ । ମାତ୍ର ପୌରାଣିକ କଥାନୁସାରେ ଶିବଲିଙ୍ଗ ପ୍ରମୁଖ ରୂପେ ୬ ପ୍ରକାରର ହୋଇଥାଏ । ସେଗୁଡିକ ହେଉଛି ଦେବଲିଙ୍ଗ, ଅସୁରଲିଙ୍ଗ, ଅର୍ଶ ଲିଙ୍ଗ, ପୁରାଣ ଲିଙ୍ଗ, ମନୁଷ୍ୟ ଲିଙ୍ଗ ଏବଂ ସ୍ୱୟମ୍ଭୁ ଲିଙ୍ଗ । ଦେବତା ତଥା ମାନବଙ୍କ ଦ୍ୱାରା ସ୍ଥାପିତ କରାଯାଇଥିବା ଲିଙ୍ଗକୁ ଦେବଲିଙ୍ଗ, ଅସୁରମାନଙ୍କ ଦ୍ୱାରା ସ୍ଥାପିତ ଲିଙ୍ଗକୁ ଅସୁର ଲିଙ୍ଗ, ପ୍ରାଚୀନ କାଳରେ ଅଗସ୍ତ୍ୟ ମୁନି ନାମକ ଜଣେ ଋଷିଙ୍କ ଦ୍ୱାରା ସ୍ଥାପିତ ଲିଙ୍ଗକୁ ଅର୍ଶ ଲିଙ୍ଗ, ପୌରାଣିକ ସମୟର ବ୍ୟକ୍ତିଙ୍କ ଦ୍ୱାରା ସ୍ଥାପିତ ଲିଙ୍ଗକୁ ପୁରାଣ ଲିଙ୍ଗ, ଧନୀକ ଶ୍ରେଣୀର ବ୍ୟକ୍ତି ବା ରାଜା ମହାରାଜାଙ୍କ ଦ୍ୱାରା ସ୍ଥାପିତ ଲିଙ୍ଗକୁ ମନଷ୍ୟ ଶିବଲିଙ୍ଗ ଏବଂ କୌଣସି କାରଣବଶତଃ ସ୍ୱୟଂ ମହାଦେବ ଲିଙ୍ଗ ରୂପେ ପ୍ରକଟ ହୋଇଥିଲେ ତେଣୁ ଏହାକୁ ସ୍ୱୟମ୍ଭୁ ଶିବଲିଙ୍ଗ ବୋଲି କୁହାଯାଏ । ଭାରତର ଅନେକ ସ୍ଥାନରେ ସ୍ୱୟମ୍ଭୁ ଶିବଲିଙ୍ଗ ସ୍ଥାପିତ ଅଛି । ରାବଣ ବି ଗୋଟିଏ ଶିବଲିଙ୍ଗ ସ୍ଥାପନ କରିଥିଲେ, ଯାହା ଅସୁର ଲିଙ୍ଗ ଶ୍ରେଣୀରେ ଆସେ ।




