ହେରା ପଞ୍ଚମୀ

ହେରା ପଞ୍ଚମୀ
Ipsita Picture
By: Ipsita
Published On

 

ମହାପ୍ରଭୁଙ୍କ ଘୋଷଯାତ୍ରାର ପ୍ରତ୍ୟେକଟି ସୋପାନ ବେଶ ରୋମାଞ୍ଚକର ଓ ଭକ୍ତି ଭାବରେ ପୂର୍ଣ୍ଣ ହୋଇଥାଏ । ସେହିଭଳି ଏକ ସୋପାନ ହେଲା ହେରା ପଞ୍ଚମୀ, ଯେଉଁଥିରେ ଓଡିଆ ଘରର ଚଳଣିକୁ ପ୍ରଭୁ ନିଜ ଲିଳା ମାଧ୍ୟମରେ ପ୍ରକାଶ କରିଥାଆନ୍ତି । ରଥଯାତ୍ରାଠାରୁ ପାଞ୍ଚଦିନ ଅର୍ଥାତ ଆଷାଢ଼ ଶୁକ୍ଳ ପଞ୍ଚମୀ ଦିନକୁ ହେରାପଞ୍ଚମୀ କୁହାଯାଏ । ରଥଯାତ୍ରାରେ ଜଗନ୍ନାଥ ନିଜ ପତ୍ନୀଙ୍କୁ ଉପେକ୍ଷା କରି ନିଜର ଭାଇ ଓ ଭଉଣୀଙ୍କୁ ନେଇ ଗୁଣ୍ଡିଚା ମନ୍ଦିର ଯିବାପରେ, ମହାଲକ୍ଷ୍ମୀ ରୋଷ ହୋଇ ଏହାର କାରଣ ପଚାରିବା ନିମନ୍ତେ ଏକ ସୁସଜ୍ଜିତ ପାଲିଙ୍କିରେ ଆଡ଼ପ ମଣ୍ଡପକୁ ଯାତ୍ରା କରିଥାନ୍ତି। ତେବେ ମହାଲକ୍ଷ୍ମୀଙ୍କ କ୍ରୋଧ ଜର୍ଜରିତ ରୂପ ଦେଖି ମହାପ୍ରଭୁଙ୍କ ସେବକମାନେ ଗୁଣ୍ଡିଚା ମନ୍ଦିରର ମୁଖ୍ୟଦ୍ୱାର ବନ୍ଦ କରିଦିଅନ୍ତି । ନାକଚଣା ବାଟ ଦେଇ ଜଗମୋହନକୁ ଯାଇ ବିମଳାଙ୍କ ପ୍ରଦତ୍ତ କର୍ପୁରରେ ଲକ୍ଷ୍ମୀ ଆଳତି କରନ୍ତି। ପତ୍ନୀଙ୍କ ରାଗ ଶାନ୍ତ କରିବା ପାଇଁ ମହାପ୍ରଭୁ ଦୁଇଦିନ ମଧ୍ୟରେ ଫେରିଯିବାର ପ୍ରତିଶ୍ରୁତି ଦେଇ ରଥ ଦକ୍ଷିଣ ମୋଡ଼ କରିବା ନିମନ୍ତେ ବରାଦ କରିଥାନ୍ତି । ଲୋକାଚାର ଦୃଷ୍ଟିରୁ ଜଗନ୍ନାଥ ଲକ୍ଷ୍ମୀଙ୍କୁ ସିଂହାସନ ପାଖକୁ ନ ନେବାରୁ କ୍ରୋଧ ଜର୍ଜରିତା ପତ୍ନୀ ରଥର କିଛି ଅଂଶ ଭାଙ୍ଗି ଦେଇ ହେରାଗୌରୀ ସାହି ବାଟେ ଫେରି ଆସନ୍ତି । ଜଗନ୍ନାଥ ନିଜ କଥା ରଖିବାରେ ଅସଫଳ ହେବାରୁ ଫେରିବା ଦିନ ବଳଭଦ୍ର ଓ ସୁଭଦ୍ରା ନିଳାଦ୍ରୀ ମଣ୍ଡପକୁ ବିଜେ କଲେ ମଧ୍ୟ ପ୍ରଭୁଙ୍କ ପାଇଁ ଦ୍ୱାର ବନ୍ଦ ରହେ । ଏହା ଲକ୍ଷ୍ମୀ ନାରାୟଣ କଳି ଭାବେ ପରିଚିତ। ଶ୍ରୀମନ୍ଦିର ଇତିହାସରୁ ଜଣାଯାଏ, ହେରାପଞ୍ଚମୀ ଉତ୍ସବ ମହାରାଜା କପିଳେନ୍ଦ୍ରଦେବଙ୍କ ସମୟରୁ ପାଳିତ ହୋଇଆସୁଅଛି । ଏହି ପବିତ୍ର ହେରାପଞ୍ଚମୀ ପାଳନ ମାଧ୍ୟମରେ ସାମାଜିକ ଜୀବନରେ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ଅନାବିଳ ପ୍ରେମର ଏକ ଭିନ୍ନ ପରିପ୍ରକାଶ ହେବା ସହ ଏହା ଗୃହସ୍ଥମାନଙ୍କ ପାଇଁ ଏକ ଶିକ୍ଷଣୀୟ ଚଳଣୀର ବାର୍ତ୍ତା ବହନ କରୁଛି ।

Tags: