ନାକ ରକ୍ତସ୍ରାବର କାରଣ ହୋଇପାରେ ଗରମ
ଗ୍ରୀଷ୍ମ ଋତୁରେ ଅତ୍ୟଧିକ ଉତ୍ତାପ ଯୋଗୁଁ ବାୟୁମଣ୍ଡଳ ଶୁଷ୍କ ହୋଇଯାଏ, ଯାହା ଶ୍ୱାସକ୍ରିୟା ସମୟରେ ନାକର ଭିତର ମ୍ୟୁକସ ସ୍ତରରେ ଉତ୍ତେଜନା ସୃଷ୍ଟି କରିବା ସହ ରକ୍ତବାହୀ ନଳୀ ଗୁଡ଼ିକୁ ଫାଟିବାର କାରଣ ସାଜିଥାଏ । ଯେଉଁ କାରଣରୁ ନାକରୁ ରକ୍ତ ପଡ଼ିଥାଏ, ଯାହାକୁ ସାଧାରଣ ଭାଷାରେ ‘ନାକରୁ ରକ୍ତସ୍ରାବ’ ଏବଂ ଚିକିତ୍ସା ବିଜ୍ଞାନରେ ‘ଏପିଷ୍ଟାକ୍ସିସ’ କୁହାଯାଏ । ‘ନ୍ୟାସନାଲ ଲାଇବ୍ରେରୀ ଅଫ୍ ମେଡିସିନ୍’ ଅନୁଯାୟୀ, ବିଶ୍ୱର ପ୍ରାୟ ୬୦ ପ୍ରତିଶତ ଲୋକ ନିଜ ଜୀବନକାଳ ମଧ୍ୟରେ କେବେ ନା କେବେ ଏହି ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ଯଦିଓ ଅଧିକାଂଶ କ୍ଷେତ୍ରରେ ଏହା ସାଧାରଣ ହୋଇଥାଏ, ମାତ୍ର କେତେକ ପରିସ୍ଥିତିରେ ଏହା କୌଣସି ଗମ୍ଭୀର ରୋଗର ସଙ୍କେତ ମଧ୍ୟ ହୋଇପାରେ । ଶରୀରରେ ଜଳୀୟ ଅଂଶର ଅଭାବ, ଅତ୍ୟଧିକ ଖରା, ଉଷ୍ମ ପବନ, ନାକରେ ଆଙ୍ଗୁଠି ପୂରାଇବା ଯୋଗୁଁ ଆଘାତ ଲାଗିବା, ଆଲର୍ଜି, ସର୍ଦ୍ଦି-ଜ୍ୱର, ସାଇନସ୍, ନେଜାଲ୍ ସ୍ପ୍ରେ’ର ଅତ୍ୟଧିକ ବ୍ୟବହାର, ଧୂମ୍ରପାନ ଏବଂ ରାସାୟନିକ ପଦାର୍ଥର ସଂସ୍ପର୍ଶରେ ଆସିବା ଯୋଗୁଁ ନାକର ଭିତର ସ୍ତର ଶୁଷ୍କ ଓ ଦୁର୍ବଳ ହୋଇ ଏହି ସମସ୍ୟା ଉପୁଜିଥାଏ । ଏହା ବ୍ୟତୀତ ହାଇ ବ୍ଲଡ୍ ପ୍ରେସର, ରକ୍ତ ପତଳା କରିବା ଔଷଧ ସେବନ ଏବଂ ହିମୋଫିଲିଆ ଭଳି ରକ୍ତ ସମ୍ବନ୍ଧୀୟ ରୋଗ, ଭିଟାମିନ୍ ସି ଓ କେର ଅଭାବ, ଲିଭର କିମ୍ବା କିଡନୀ ସମସ୍ୟା ଏବଂ ନାକ ଭିତରେ ଟ୍ୟୁମର୍ କିମ୍ବା ପଲିପ୍ ରହିବା କାରଣରୁ ମଧ୍ୟ ବାରମ୍ବାର ନାକରୁ ରକ୍ତ ବାହାରିଥାଏ । ବିଶେଷ କରି ୨ ରୁ ୧୦ ବର୍ଷର କୋମଳମତି ଶିଶୁ, ୪୫ ରୁ ୮୦ ବର୍ଷର ବୟସ୍କ ବ୍ୟକ୍ତି , ଗର୍ଭବତୀ ମହିଳା ଏବଂ ନିୟମିତ ବ୍ଲଡ୍ ଥିନର୍ ବ୍ୟବହାର କରୁଥିବା ଲୋକମାନଙ୍କ କ୍ଷେତ୍ରରେ ନାକରୁ ରକ୍ତସ୍ରାବ ହେବାର ଆଶଙ୍କା ଓ ବିପଦ ସବୁଠାରୁ ଅଧିକ ରହିଥାଏ । ଖରାଦିନେ ଯେତେ ସମ୍ଭବ ଗରମରୁ ଦୂରେଇ ରହିବେ ସେଥିପ୍ରତି ଯତ୍ନବାନ ହୁଅନ୍ତୁ । ସେହିଭଳି ଏଭଳି ପରିସ୍ଥିତି ଉପୁଜିଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।



