ସୁସ୍ଥ ମାତୃତ୍ବ
କଥାରେ ଅଛି ମାଆ ସୁସ୍ଥ ରହିଲେ ଦେଶ ସୁସ୍ଥ ରହିବ । ଗୋଟିଏ ଶିଶୁର ଲାଳନ ପାଳନ ଗର୍ଭ ଅବସ୍ଥାରୁ ହିଁ ଆରମ୍ଭ ହୋଇଥାଏ । ସେଥିପାଇଁ ଗର୍ଭବତୀ ମାଆମାନଙ୍କର ଖୁବ ଯତ୍ନ ନେବାର ଆବଶ୍ୟକତା ରହିଛି । ମାଆର ଯତ୍ନ ନେବା ଦ୍ବାରା ହିଁ ଗୋଟିଏ ସୁସ୍ଥ ଶିଶୁ ଦୁନିଆକୁ ଆସିବାରେ ସକ୍ଷମ ହୋଇଥାଏ ।
ନାରୀଟିଏ ଯେତେବେଳେ ଗର୍ଭବତୀ ହୋଇଥାଏ, ସେତେବେଳେ ସେ ଏକ ନୂଆ ଜୀବନକୁ ନିଜ ଭିତରେ ବଢାଇଥାଏ । ଏହି ଅବସ୍ଥାରେ ଉକ୍ତ ମହିଳାଙ୍କର ଶାରିରୀକ ଓ ମାନସିକ ଉଭୟସ୍ତରରେ ଖୁବ ଅଧିକ ଯତ୍ନର ଆବଶ୍ୟକତା ପଡିଥାଏ । ଏହି ସମୟରେ ସ୍ବାସ୍ଥ୍ୟର ଅଧିକ ଯତ୍ନ ନେବାକୁ ହୋଇଥାଏ କାରଣ ଏହି ସମୟରେ ବିଭିନ୍ନ କମ୍ଲିକେସନ ରହିବାର ଆଶଙ୍କା ମଧ୍ୟ ବେଶିଥାଏ । ତେବେ ନିକଟରେ ହୋଇଥିବା ସର୍ଭେ ଅନୁସାରେ ଭାରତରେ ଗର୍ଭବତୀଙ୍କ କ୍ଷେତ୍ରରେ ହୃଦରୋଗ ବଢୁଥିବାର ଦେଖିବାକୁ ମିଳିଛି । ଭାରତର ବିଭିନ୍ନ ମେଡିକାଲ କଲେଜରେ ଏନେଇ ସର୍ଭେ କରାଯିବା ପରେ ଏଭଳି ରିପୋର୍ଟ ସାମନାକୁ ଆସିଛି । ୨୦୨୪ରୁ ଆରମ୍ଭ ହୋଇଥିବା ଏହି ସର୍ଭେ ୨୦୨୮ ପର୍ଯ୍ୟନ୍ତ ଜାରି ରହିବ । ଏହି ସର୍ଭେ ଓଡ଼ିଶାର ଏସ୍ସିବି ମେଡିକାଲ କଲେଜରେ ମଧ୍ୟ କରାଯାଇଥିଲା । ଯେଉଁଥିରେ ମିଳିଥିବା ତଥ୍ୟ ଅନୁସାରେ ପ୍ରାୟ ଏକ ହଜାର ଗର୍ଭବତୀଙ୍କ ମଧ୍ୟରେ ୯୪ ଜଣଙ୍କର ହୃଦରୋଗ ସମସ୍ୟା ରହୁଛି । ତେବେ ଏହା ପଛର କାରଣକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଆରମ୍ଭ ହୋଇଛି । ତେବେ ଏହା କେବଳ ଭାରତ ନୁହେଁ ସାରାବିଶ୍ବରେ ଏକ ସମସ୍ୟା ପାଲଟିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ, ଉଚ୍ଚ ଆୟକାରୀ ଦେଶଗୁଡ଼ିକ ତୁଳନାରେ ଦକ୍ଷିଣ ଏସିଆର ନିମ୍ନ-ମଧ୍ୟମ ଆୟକାରୀ ଦେଶଗୁଡ଼ିକରେ ମାତୃ ମୃତ୍ୟୁ ହାର ଅଧିକ ଥିବା ଜଣାପଡ଼ିଛି। ଗର୍ଭାବସ୍ଥା ସମୟରେ ହୃଦ୍ରୋଗ ଏହି ମୃତ୍ୟୁର ଏକ ପ୍ରମୁଖ କାରଣ ବୋଲି ବିବେଚନା କରାଯାଉଛି। ଗର୍ଭଅବସ୍ଥାରେ ନାରୀଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବା ପଛରେ ଖରାପ ଜୀବନଶୈଳୀ, ଅତ୍ୟଧିକ ଚିନ୍ତା ଆଦିକୁ ଦାୟୀ କରାଯାଇଛି । ଗର୍ଭାବସ୍ଥାର ପ୍ରଥମ ତ୍ରୈମାସିକରୁ ଆରମ୍ଭ କରି ପ୍ରସବ ପରବର୍ତ୍ତୀ ସମୟ ପର୍ଯ୍ୟନ୍ତ ଜଣେ ମହିଳାଙ୍କ ଶରୀରରେ ଅନେକ ଶାରୀରିକ ଓ ହୃଦୟ ସମ୍ବନ୍ଧୀୟ ପରିବର୍ତ୍ତନ ଦେଖାଦେଇଥାଏ । ମା' ଏବଂ ଭୃଣର ଆବଶ୍ୟକତାକୁ ପୂରଣ କରିବା ପାଇଁ ଏହି ଅନୁକୂଳ ପରିବର୍ତ୍ତନଗୁଡ଼ିକ ଅତ୍ୟନ୍ତ ଜରୁରୀ। ଏହି ସମୟରେ ରକ୍ତର ପ୍ଲାଜମା ପରିମାଣ ବଢ଼ିଥାଏ, ହୃଦ୍ସ୍ପନ୍ଦନ ବୃଦ୍ଧି ପାଏ ଏବଂ କାର୍ଡିଆକ୍ ଆଉଟପୁଟ୍ ପ୍ରାୟ ୪୦-୫୦% ପର୍ଯ୍ୟନ୍ତ ବୃଦ୍ଧି ପାଇଥାଏ । ଏଥିସହିତ ରକ୍ତଚାପ ଏବଂ ଫୁସଫୁସର ରକ୍ତ ପ୍ରବାହ ପ୍ରତିରୋଧରେ ହ୍ରାସ ଘଟେ । ଏକ ସୁସ୍ଥ ହୃଦୟ ଏହି ସମସ୍ତ ପରିବର୍ତ୍ତନକୁ ସହଜରେ ଗ୍ରହଣ କରିପାରେ । ହେଲେ ଯଦି ମହିଳାଙ୍କର ପୂର୍ବରୁ କୌଣସି ହୃଦ୍ରୋଗ ଥାଏ, ତେବେ ଗର୍ଭାବସ୍ଥାର ଏହି ଚାପ ଜଟିଳ ପରିସ୍ଥିତି ସୃଷ୍ଟି କରିଥାଏ । ଏହା ମା' ଏବଂ ଶିଶୁ ଉଭୟଙ୍କ ପାଇଁ ବିପଦଜନକ ହୋଇପାରେ । ଅନେକ ଦେଶଗୁଡ଼ିକରେ ପ୍ରାୟ ୧-୪% ଗର୍ଭାବସ୍ଥାରେ ହୃଦ୍ରୋଗଜନିତ ସମସ୍ୟା ଦେଖାଯାଏ ଏବଂ ପୂର୍ବରୁ ହୃଦ୍ରୋଗ ଥିବା ମହିଳାଙ୍କ କ୍ଷେତ୍ରରେ ମୃତ୍ୟୁ ହାର ଚାରି ଗୁଣ ଅଧିକ ଥାଏ । ତେବେ ହୃଦ୍ରୋଗ ଜନିତ ମାତୃ ମୃତ୍ୟୁ ମଧ୍ୟରୁ ପ୍ରାୟ ୫୦% ରୁ ଅଧିକ ମୃତ୍ୟୁକୁ ସଠିକ୍ ସମୟରେ ଚିକିତ୍ସା ଦ୍ୱାରା ରୋକାଯାଇପାରିବ । ଏଥିପାଇଁ ନିଜେ ମାଆ, ପରିବାର ସଦସ୍ୟ ଏବଂ ଚିକିତ୍ସକ ସଚେତନ ହୋଇପାରିଲେ ଏହାକୁ ସହଜରେ ରୋକାଯାଇ ପାରିବ ।
Related Posts



