ସ୍ବାସ୍ଥ୍ୟଗତ ପ୍ରଭାବ
ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ପ୍ରାୟତଃ ଏକ "ସାଇଲେଣ୍ଟ କିଲର" ବା ନୀରବ ହନ୍ତା ବୋଲି କୁହାଯାଏ । ଅନେକ ଦେଶରେ ଏହାର ଭୟାବହତାର ରିପୋର୍ଟ ସଠିକ୍ ଭାବେ ସାମ୍ନାକୁ ଆସିପାରେ ନାହିଁ । ଏକ ଗାଣିତିକ ମଡେଲ ଆକଳନ ଅନୁଯାୟୀ, ୨୦୦୦ ରୁ ୨୦୧୯ ମଧ୍ୟରେ ପ୍ରତିବର୍ଷ ବିଶ୍ୱରେ ହାରାହାରି ପ୍ରାୟ ୪,୮୯,୦୦୦ ଲୋକଙ୍କର ମୃତ୍ୟୁ କେବଳ ଏହି ଗ୍ରୀଷ୍ମ ପ୍ରବାହ ଜନିତ କାରଣରୁ ହୋଇଛି। ଶରୀର ଯେତିକି ପରିମାଣର ଉତ୍ତାପ ବାହାରକୁ ଛାଡ଼ିବା କଥା, ତା'ଠାରୁ ଅଧିକ ଗରମ ଗ୍ରହଣ କଲେ 'ହିଟ୍ ଷ୍ଟ୍ରେସ୍' ବା ତାପଜ ଚାପ ସୃଷ୍ଟି ହୋଇଥାଏ । ସାଧାରଣ ପରିସ୍ଥିତିରେ, ଶରୀର ଝାଳ ବୋହିବା ଏବଂ ଚର୍ମକୁ ରକ୍ତ ସଞ୍ଚାଳନ ବୃଦ୍ଧି କରି ନିଜର ତାପମାତ୍ରା ନିୟନ୍ତ୍ରଣ କରିଥାଏ । ମାତ୍ର ଯେତେବେଳେ ପାରିପାର୍ଶ୍ୱିକ ବାୟୁ ଅଧିକ ଗରମ ଓ ବିଶେଷ କରି ଆଦ୍ର (ହ୍ୟୁମିଡ୍) ହୋଇଯାଏ, ସେତେବେଳେ ଶରୀରର ଏହି ପ୍ରାକୃତିକ ଥଣ୍ଡା କରିବା ପ୍ରକ୍ରିୟା ସଂଘର୍ଷ କରେ । ଏହାସହ ଶରୀରର ଭିତର ତାପମାତ୍ରା ବଢ଼ିବାକୁ ଲାଗେ । ଡବ୍ଲୁ ଏଚଓ _ ଡବ୍ଲୁଏମଓ ଜଳବାୟୁ ଏବଂ ସ୍ୱାସ୍ଥ୍ୟ ମିଳିତ କାର୍ଯ୍ୟାଳୟର ସ୍ୱାସ୍ଥ୍ୟ ପରାମର୍ଶଦାତାଙ୍କ ଅନୁଯାୟୀ, କ୍ରମାଗତ କିଛି ଦିନ ଧରି ଏବଂ ବିଶେଷ କରି ରାତିରେ ଅଧିକ ତାପମାତ୍ରା ରହିବା ଦ୍ୱାରା ଶରୀର ପ୍ରତିଦିନ ପୂର୍ବରୁ ହିଁ ଚାପଗ୍ରସ୍ତ ରହିଥାଏ । ବୟସ୍କ ବ୍ୟକ୍ତି, ଛୋଟ ପିଲା, ଗର୍ଭବତୀ ମହିଳା, ବାହାରେ କାମ କରୁଥିବା ଶ୍ରମିକ, ଗୃହହୀନ ଏବଂ ଦୀର୍ଘଦିନର ରୋଗରେ ପୀଡ଼ିତ ଲୋକମାନେ ଏହା ଦ୍ୱାରା ସବୁଠାରୁ ଅଧିକ ବିପଦରେ ପଡ଼ନ୍ତି । ମାତ୍ର ଯଦି ତାପମାତ୍ରା ଦୀର୍ଘ ସମୟ ଧରି ପ୍ରଚଣ୍ଡ ରହେ ତେବେ ଏହି ହିଟ୍ ଷ୍ଟ୍ରେସ୍ ଯେକୌଣସି ବ୍ୟକ୍ତିଙ୍କୁ ପ୍ରଭାବିତ କରିପାରେ ।
ଏହି କ୍ଷେତ୍ରରେ କେବଳ ଦିନର ତାପମାତ୍ରା ନୁହେଁ, ବରଂ ରାତିର ସର୍ବନିମ୍ନ ତାପମାତ୍ରା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ୟୁରୋପ ଓ ଏସିଆର କିଛି ଭାଗରେ ରାତିର ତାପମାତ୍ରା ୨୦ଡିଗ୍ରୀ ସେଲସିଅସରୁ କମ୍ ନହେବା ସ୍ଥିତିକୁ ବହୁଳ ଭାବେ "ଟ୍ରପିକାଲ ନାଇଟ୍" କୁହାଯାଏ । ଯାହା ଗ୍ରୀଷ୍ମ ପ୍ରବାହ ସମୟରେ ବିଶେଷ କରି ସହରଗୁଡ଼ିକରେ ବେଶ୍ ସାଧାରଣ ହୋଇଯାଏ । ରାତି ସମୟରେ ହିଁ ମାନବ ଶରୀରର ସୁଧାର ହେବା କଥା । ଆମେ ଶୋଇବା ସମୟରେ ଆମ ଶରୀରର ଭିତର ତାପମାତ୍ରା ହ୍ରାସ ପାଏ, ହୃଦ୍ରୋଗ ପ୍ରଣାଳୀ ବିଶ୍ରାମ ନିଏ ଏବଂ ଦିନସାରାର ଗରମ ଜନିତ ଚାପ କମିବାକୁ ଲାଗେ । ମାତ୍ର ଯେତେବେଳେ ରାତି ଗରମ ରହେ, ସେତେବେଳେ ସେହି ସୁଧାର ପ୍ରକ୍ରିୟା ହୋଇପାରେ ନାହିଁ । ଏଭଳି ସ୍ଥିତିରେ ଶରୀର ୨୪ ଘଣ୍ଟା ଚାପରେ ରହିଥାଏ । ସେଥିପାଇଁ ଗ୍ରୀଷ୍ମ ପ୍ରବାହର ସ୍ୱାସ୍ଥ୍ୟଗତ ପ୍ରଭାବ ଆକଳନ କରିବା ସମୟରେ ମଧ୍ୟାହ୍ନର ସର୍ବୋଚ୍ଚ ତାପମାତ୍ରା ଅପେକ୍ଷା ରାତିର ସର୍ବନିମ୍ନ ତାପମାତ୍ରା ଅଧିକ ସ୍ପଷ୍ଟ ସୂଚନା ଦେଇଥାଏ । ଉଦାହରଣ ସ୍ୱରୂପ, ଗୋଟିଏ ଦିନରେ ତାପମାତ୍ରା ୩୮ଡିଗ୍ରୀ ସେଲସିଅସ ଛୁଇଁବା ପରେ ଯଦି ରାତିରେ ୧୮ ଡିଗ୍ରୀ ସେଲସିଅସ କୁ ଖସିଆସେ, ତାହା ସେହି ଦିନଠାରୁ ସମ୍ପୂର୍ଣ୍ଣ ଭିନ୍ନ ଯେଉଁଠି ଦିନର ତାପମାତ୍ରା ୩୬ଡିଗ୍ରୀ ସେଲସିଅସ ରହି ରାତିସାରା ୨୫ଡିଗ୍ରୀ ସେଲସିଅସ ରୁ ଉପରେ ରହିଥାଏ । ଏହି ଦ୍ୱିତୀୟ ସ୍ଥିତିରେ ସ୍ୱାସ୍ଥ୍ୟଗତ ବିପଦ ବହୁତ ଅଧିକ ଥାଏ । ଏହା ବ୍ୟତୀତ, ଗ୍ରୀଷ୍ମ ପ୍ରବାହ ସମୟରେ କୌଣସି ଛାଇ କିମ୍ବା ସବୁଜ ସ୍ଥାନ ନଥିବା ଘନ ସହରୀ ପରିବେଶରେ "ଅର୍ବାନ ହିଟ୍ ଆଇଲ୍ୟାଣ୍ଡ ଇଫେକ୍ଟ" ଯୋଗୁଁ ପ୍ରକୃତ ତାପମାତ୍ରା ଆହୁରି କିଛି ଡିଗ୍ରୀ ବୃଦ୍ଧି ପାଇ ବିପଦକୁ ଅଧିକ ବଢ଼ାଇଦିଏ । ଏଭଳି ସ୍ଥିତିରେ ଯଦି କୌଣସି ଆଞ୍ଚଳିକ ତାପମାତ୍ରା ୩୫ଡିଗ୍ରୀ ସେଲସିଅସ ଥାଏ, ତେବେ ତାହା ସହରର ଗଳିରେ ୩୮ କିମ୍ବା ୪୦ ଡିଗ୍ରୀ ସେଲସିଅସ ଭଳି ଅନୁଭୂତ ହୋଇପାରେ ଏବଂ ରାତି ଯାହା ସାଧାରଣତଃ କିଛି ଆଶ୍ୱସ୍ତି ଆଣିବା କଥା, ତାହା ଆଖପାଖ ଅଞ୍ଚଳ ତୁଳନାରେ ଅଧିକ ଗରମ ରହିଥାଏ ।




