ସ୍ବାସ୍ଥ୍ୟ ଉପରେ ପ୍ରଭାବ
ଗ୍ରୀଷ୍ମପ୍ରବାହ କାରଣରୁ ସମାଜରେ ଅନେକ ରୋଗ ଦେଖିବାକୁ ମିଳୁଛି । ଧୀରେଧୀରେ ଯେଉଁ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ତେଣୁ ବଢୁଥିବା ଖରାର ନକରାତ୍ମକ ପ୍ରଭାବ ଖୁବ ଅଧିକମାତ୍ରାରେ ଶରୀର ଉପରେ ଦେଖିବାକୁ ମିଳୁଛି ।
ସଂକ୍ରାମକ ରୋଗ ବୃଦ୍ଧି
ତାପମାତ୍ରା ବୃଦ୍ଧି ପାଇବା ଫଳରେ ଖାଦ୍ୟ ଏବଂ ଜଳରେ ବ୍ୟାକ୍ଟେରିଆ ବଂଶବୃଦ୍ଧି ପାଇଁ ଅନୁକୂଳ ପରିସ୍ଥିତି ସୃଷ୍ଟି ହୋଇଥାଏ। ଏହାଦ୍ୱାରା ଡାଇରିଆ (ଝାଡ଼ାବାନ୍ତି), ହଇଜା (କଲେରା), ଇନଫେକ୍ଟିଭ୍ ଗ୍ୟାଷ୍ଟ୍ରୋଏଣ୍ଟେରାଇଟିସ୍, ଡିସେଣ୍ଟ୍ରି ଭଳି ସମସ୍ୟା ଦେଖାଦେଇଥାଏ, ଯାହା ବିଶୁଦ୍ଧ ପାନୀୟ ଜଳର ଅଭାବ ଏବଂ ଅସ୍ୱାସ୍ଥ୍ୟକର ପରିବେଶ ଯୋଗୁଁ ଜଣଙ୍କଠାରୁ ଅନ୍ୟଜଣଙ୍କୁ ବ୍ୟାପିଥାଏ।
ଡିହାଇଡ୍ରେସନ
ଅତ୍ୟଧିକ ଗରମର ସଂସ୍ପର୍ଶରେ ଆସୁଥିବା ଲୋକମାନେ କ୍ରମାଗତ ଭାବେ ଜଳାଭାବ ବା ଡିହାଇଡ୍ରେସନର ଶିକାର ହୋଇଥାନ୍ତି । ଯାହା ସେମାନଙ୍କୁ ହୃଦ୍ରୋଗ, ଶ୍ୱାସକ୍ରିୟା ଜନିତ ସମସ୍ୟା, ଅଂଶୁଘାତ ଏବଂ କ୍ରୋନିକ୍ କିଡନୀ ରୋଗ ପ୍ରତି ଅଧିକ ଦୁର୍ବଳ କରିଦିଏ। ଅତ୍ୟଧୀକ ତାପମାତ୍ରା ଯୋଗୁଁ ବାୟୁମଣ୍ଡଳ ସ୍ଥିର ହୋଇଯାଏ, ଯାହାଦ୍ୱାରା ଆଲର୍ଜେନ୍ ଏବଂ ପ୍ରଦୂଷକଗୁଡ଼ିକ ବାୟୁରେ ଅଟକି ରହନ୍ତି ଓ ଏହାଫଳରେ ଶ୍ୱାସ-ହୃଦଯନ୍ତ୍ର ଜନିତ ମୃତ୍ୟୁହାର ବୃଦ୍ଧି ପାଇଥାଏ।
ମାନସିକ ସ୍ୱାସ୍ଥ୍ୟକୁ ପ୍ରଭାବିତ
ବିଶେଷଜ୍ଞଙ୍କ ସୂଚନାନୁଯାୟୀ, “ତାପମାତ୍ରା ବୃଦ୍ଧି ସହିତ ଆମର ମାନସିକ ସମ୍ବେଦନଶୀଳତା ମଧ୍ୟ ବଢ଼ିଥାଏ । ଗ୍ରୀଷ୍ମ ପ୍ରବାହ ଯେପରି ଆମ ଶରୀରକୁ କ୍ଳାନ୍ତ କରେ, ସେହିପରି ଆମ ମନ ଉପରେ ମଧ୍ୟ ଚାପ ପକାଇଥାଏ । ଏହା ପୂର୍ବରୁ ଥିବା ମାନସିକ ସମସ୍ୟାକୁ ବଢ଼ାଇବା ସହ ନୂତନ ମାନସିକ ବୋଝ ସୃଷ୍ଟି କରେ । ଏହି ପରିବର୍ତ୍ତିତ ଜଳବାୟୁରେ, ପ୍ରଚଣ୍ଡ ସୂର୍ଯ୍ୟକିରଣରୁ ଶାରୀରିକ ସୁରକ୍ଷା ଖୋଜିବା ଯେତିକି ଜରୁରୀ, ମାନସିକ ସୁରକ୍ଷା ପ୍ରଦାନ କରିବା ମଧ୍ୟ ସେତିକି ଆବଶ୍ୟକ । ଅତ୍ୟଧିକ ଗରମର ପ୍ରଭାବ ଯୋଗୁଁ ଆତ୍ମହତ୍ୟା ହାର, ତୀବ୍ର ମାନସିକ ଚାପ , ଆଡଜଷ୍ଟମେଣ୍ଟ ଡିଜ୍ଅର୍ଡର, ସ୍ୱଳ୍ପକାଳୀନ ମାନସିକ ବିକୃତି , ଅବସାଦ (ଡିପ୍ରେସନ୍) ଏବଂ ସ୍କିଜୋଫ୍ରେନିଆ ଭଳି ସମସ୍ୟା ବୃଦ୍ଧି ପାଇଥାଏ ।



