ଅନେକଙ୍କ ପାଇଁ ପାଲଟିଛନ୍ତି ପ୍ରେରଣା
ଅଷ୍ଟ୍ରେଲିଆର ବାସିନ୍ଦା ହୋଲି ଫାଉଲର ୬ ବର୍ଷ ବୟସରୁ 'ଏଲୋପେସିଆ' (ଅତ୍ୟାଧିକ ଚୁଟି ଝଡ଼ିବା ଜନିତ ସମସ୍ୟା) ରୋଗରେ ପୀଡ଼ିତ ଥିବାରୁ ଗତ ୩୦ ବର୍ଷ ଧରି ଘରୁ ବାହାରିବା ସମୟରେ ୱିଗ୍ (ନକଲି ଚୁଟି) ପିନ୍ଧୁଥିଲେ । ମାତ୍ର ଗତବର୍ଷ ନିଜ ଜନ୍ମଦିନ ପାର୍ଟିରେ ସେ ଏକ ନିଆରା ସର୍ତ୍ତ ରଖିଥିଲେ । ଯଦି ସେ ନିଜେ ବିନା ୱିଗ୍ରେ ପାର୍ଟିରେ ସାମିଲ ହେବେ, ତେବେ ପାର୍ଟିକୁ ଆସୁଥିବା ସମସ୍ତ ଅତିଥିଙ୍କୁ ମଧ୍ୟ ବିନା କେଶରେ ଆସିବାକୁ ପଡ଼ିବ ବୋଲି ସେ ଘୋଷଣା କରିଥିଲେ । ଏହି ଅବସରରେ ଚୁଟି ଥିବା ଅତିଥିମାନେ 'ବାଲ୍ଡ କ୍ୟାପ୍' ପିନ୍ଧି ଆସିଥିବା ବେଳେ, ପ୍ରାକୃତିକ ଭାବେ କେଶ ନଥିବା ବନ୍ଧୁ ଓ ତାଙ୍କ ବାପା ସାଧାରଣ ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ହୋଲି ନିଜ ମୁଣ୍ଡକୁ ଚମକୁଥିବା ପଥର ଦ୍ୱାରା ସଜାଇଥିଲେ । ଏତେ ବଡ଼ ସମାଗମରେ ପ୍ରଥମ ଥର ପାଇଁ ବିନା ୱିଗ୍ରେ ଆସିଥିବା ହୋଲି, ଏହି ଅନୁଭୂତିକୁ ଖୁବ୍ ଉପଭୋଗ୍ୟ ବୋଲି କହିଥିଲେ । ବର୍ତ୍ତମାନଙ୍କର ହୋଲିଙ୍କର କାହାଣୀ ସୋସିଆଲ ମିଡିଆରେ ଭାଇରାଲ ହେବାସହ ଅନେକଙ୍କ ପାଇଁ ପ୍ରେରଣା ପାଲଟିଛି ।




