ହରିଣ ଓ ଶିକାରୀ
ଓଡିଆ ଗଳ୍ପ
ଆଈମା କାହାଣୀପେଡିରେ ଏଭଳି ଅନେକ କାହାଣୀ ରହିଥାଏ ଯାହା ଆମକୁ ଜୀବନର ନୀତିଶିକ୍ଷା ଖୁବ ସରଳ ଓ ସହଜରେ ବୁଝାଇଦେଇଥାଏ । କାହାଣୀ ଜରିଆରେ ଛୋଟଛୋଟ ପିଲାମାନେ କିଭଳି ନିଜର ଉପସ୍ଥିତ ବୁଦ୍ଧିକୁ ଲଗାଇ ପରିସ୍ଥିତିକୁ ସମ୍ଭାଳିପାରିବେ ତାହା ଶିଖି ଥାଆନ୍ତି ।
ଏପରି ଅନେକ ଗପ ମଧ୍ୟରେ ଗୋଟିଏ ଗପ ହେଲା ହରିଣ ଓ ଶିକାରୀ । ଏହି ଗପରେ କିଭଳି ନିରୀହ ହରିଣଟି ନିଜର ଉପସ୍ଥିତ ବୁଦ୍ଧି ଲଗାଇ ମୃତ୍ୟୁମୁଖରୁ ବଞ୍ଚିପାରିଲା ତାବା ବର୍ଣ୍ଣନା କରାଯାଇଛି । ବିପଦ ସମୟରେ ବିଚଳିତ ନହୋଇ ନିଜର ମନକୁ ଶାନ୍ତ ରଖି ଉପାୟ ଭାବିଲେ ସମସ୍ତ ସମସ୍ୟାରୁ ଆପଣ ମୁକୁଳି ପାରିବେ ବୋଲି ଏହି ଗପ ଶିକ୍ଷା ଦେଇଥାଏ । ଗପଟିର ନାଁ ହେଲେ ହରିଣ ଓ ଶିକାରୀ । ଆସନ୍ତୁ ଗପର ମୁଖ୍ୟ ବିଷୟ ବସ୍ତୁ ଜାଣିବା । ଏକଦା ଗୋଟିଏ ହରିଣ ଜଙ୍ଗଲରେ ବାସ କରୁଥିଲା । ଜଙ୍ଗଲରେ ସେ ଖୁବ ଖୁସିରେ ନିଜ ପରିବାର ସହିତ ରହୁଥିଲା । ପ୍ରତିଦିନ ସକାଳୁ ସେ ନିଜ ଛୁଆଙ୍କ ସହିତ ପୁରା ଜଙ୍ଗଲରେ ଘୁରିବୁଲିଥାଏ । ଜଙ୍ଗଲରେ ବୁଲିବା ସହିତ ନିଜର ଆହାର ମଧ୍ୟ ଯୋଗାଡ କରିଥାଏ । ଏହିପରି ଦିନ ପରେ ଦିନ ବିତିଚାଲିଥାଏ। ସବୁଦିନ ପରି ଗୋଟିଏ ଦିନ ସେ ଓ ତାର ଛୁଆମାନେ ସକାଳୁ ଜଙ୍ଗଲରେ ବୁଲିବାକୁ ବାହାରିଲେ । ହେଲେ ସେଦିନ ସେମାନଙ୍କ ପାଇଁ ଏକ ବଡ ବିପଦ ବାଟରେ ଛକି ବସିଥାଏ । ଗୋଟିଏ ଶିକାରୀ ହରିଣ ଧରିବ ବୋଲି ବାଟରେ ଜାଲ ବସାଇଥାଏ । ସେହି ବାଟରେ ଯିବା ସମୟରେ ଦୁର୍ଭାଗ୍ୟ ବଶତଃ ମାଆ ହରିଣଟି ଏହି ଜାଲରେ ଫସିଗଲା । ଏହା ଦେଖି ପିଲାମାନେ ଡରି ଗଲେ ଏବଂ କାନ୍ଦିବାକୁ ଲାଗିଲେ । ଏହାଦେଖି ମାଆ ହରିଣ ସେମାନଙ୍କ ବୁଝାଇଲା ବ୍ୟସ୍ତ ନହେବା ପାଇଁ ଏବଂ ଲୁଚିକରି ବସିବାକୁ । ଏହାପରେ ମାଆ ହରିଣ ଶାନ୍ତ ମନରେ କିଛି ଭାବିବାକୁ ଲାଗିଲା । କିଛି ସମୟପରେ ପିଲାମାନେ ଦେଖିଲେ ମାଆ ହରିଣଟି ଚୁପଚାପ ପଡି ରହିଛି । ଏହି ସମୟରେ ଶିକାରୀ ଆସିଲା । ଶିକାରୀ ଆସିବା ଜାଣିବାପରେ ମାଆ ହରିଣଟି ନିଶ୍ବାସ ରୋକିବା ସହିତ ପେଟକୁ ଫୁଲାଇ ନିଶ୍ଚଳ ଭାବେ ଜାଲରେ ପଡି ରହିଲା । ଶିକାରୀ ଯେତେ ପାଟି କଲେ ମଧ୍ୟ କୌଣସି ଉତ୍ତର ନଦେଇ ସେହିଭଳି ନିର୍ଜିବ ଭଳି ପଡି ରହିଲା । ଏହା ଦେଖି ପିଲାମାନେ ଖୁବ ମନ ଦୁଃଖ କଲେ ଭାବିଲେ ମାଆ ତାଙ୍କର ମରିଗଲା । ଶିକାରୀକୁ ମଧ୍ୟ ବିଶ୍ବାସ ହୋଇଗଲା କି ହରିଣଟି ଜାଲରେ ପଡି ମରି ଯାଇଛି । ଏହାପରେ ସେ ଧୀରେଧୀରେ ଜାଲଟି କାଟିଦେଲା । ଜାଲଟିକୁ ଯେମିତି କାଟିଛି ହରିଣଟି ଖୁବ ଜୋରରେ ଉଠି ଦୌଡିବାକୁ ଲାଗିଲା । ଶିକାରୀ କିଛି ବି କରିପାରିଲା ନାହିଁ । ସେପଟେ ପିଲାମାନେ ମଧ୍ୟ ମାଆ ହରିଣ ବଞ୍ଚିଥିବା ଦେଖି ଖୁବ ଖୁସି ହୋଇ ତା ପଛରେ ଦୌଡି ଘରକୁ ପଳାଇଲେ । ବିଚରା ଶିକାରୀଟି ନିରାଶ ହୋଇ ଘରକୁ ଫେରିଲା । ତେଣୁ ଉପସ୍ଥିତ ବୁଦ୍ଧି ସବୁବେଳେ ବିପଦ ସମୟରେ ସାହାଯ୍ୟ କରିଥାଏ । ଯଦି କୌଣସି ବିପଦରେ ପଡୁଛନ୍ତି ତେବେ ନିରାଶ ନହୋଇ ସବୁବେଳେ ଉପାୟ ଚିନ୍ତା କରନ୍ତୁ ସାହାଯ୍ୟ ମିଳିବ ।



