ଖରାଦିନ ଖୁସି
ପ୍ରକୃତିର ଛଅ ରୁତୁ ମଧ୍ୟରେ ଗ୍ରୀଷ୍ଣ ଋତୁ ଆସିବା ଆଗରୁ ଯେପରି ସମସ୍ତେ ସତର୍କ ହୋଇଯାଆନ୍ତି । ହେଲେ ଗ୍ରୀଷ୍ଣ ଋତୁ ଯେ କେବଳ ଖରା ଗରମକୁ ବୁଝାଏ ଏଭଳି ନୁହେଁ । ଏହି ଋୁତୁରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସହିତ ଆହୁରି ଅନେକ କଥା ରହିଛି ଯାହା ଏହାକୁ ଏକ ସ୍ବତନ୍ତ୍ର ପରିଚୟ ଦେଇଥାଏ ।
ଧରାରେ ପ୍ରତିବର୍ଷ ଛଅଟି ଋୁତୁ ଯଥା ଗ୍ରୀଷ୍ମ, ବର୍ଷା, ଶରତ, ହେମନ୍ତ, ଶୀତ ଓ ବସନ୍ତ ଅନୁଭୂତ ହୋଇଥାଏ । ପ୍ରତିଟି ଋତୁର ଅନୁଭବ ଭିନ୍ନଭିନ୍ନ ହୋଇଥାଏ । ସେହିଭଳି ମାନବ ସମାଜକୁ ଏକ ସୁସ୍ଥ ପ୍ରାକୃତିକ ବାତାବରଣ ମିଳିବା ପଛରେ ଏହି ଋତୁମାନଙ୍କର ଭୂମିକା ବେଶ ଗୁରୁତ୍ବପୂର୍ଣ୍ଣ ରହିଥାଏ । ତେବେ ସବୁ ଋତୁ ମାନଙ୍କ ଭିତରେ ଗ୍ରୀଷ୍ମର ପ୍ରଭାବ ଅଧିକ ରହିଥାଏ । ଧୀରେଧୀରେ ଏହାର ପ୍ରଭାବ ବଢିବାରେ ମଧ୍ୟ ଲାଗିଛି ଯାହା ଏହାକୁ ବେଶି କଷ୍ଟ ଦାୟକ କରିଚାଲିଛି । ହେଲେ ତାହାରି ଭିତରେ ବି ଗ୍ରୀଷ୍ଣ ଋତୁରେ ଏଭଳି କିଛି ମଧ୍ୟ ରହିଛି ଯେଉଁଥିପାଇଁ ସମସ୍ତେ ଏହାକୁ ଅପେକ୍ଷା କରି ରହିଥାଆନ୍ତି । ଗ୍ରୀଷ୍ଣ ଋୁତୁର ପର୍ବପର୍ବାଣୀ, ପିଠା ପଣା ଓ ଫଳମୂଳ ଆଦି ଗ୍ରୀଷ୍ମର ସେହି ଖରାର ଦାରୁଣ କଷ୍ଟକୁ ଭୁଲାଇ ଦେଇଥାଏ । ତେଣୁ ଗ୍ରୀଷ୍ମ ଋୁତୁ କହିଲେ ଖରାର କଷ୍ଟ ସହିତ ଅନେକ ମଉଜର ସମାହାର । ଗୋଟିଏ ପଟେ ଖବରକାଗଜର ଶିରୋନାମାଗୁଡ଼ିକ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳିର କଷ୍ଟଦାୟକ ଚିତ୍ର ପ୍ରକାଶ କରୁଥିବା ବେଳେ, ଅନ୍ୟପଟେ ଏହି ଖରାଦିନ ଆମ ସଂସ୍କୃତି ଓ ଜୀବନଶୈଳୀର ଏକ ନିଆରା ଦିଗକୁ ଉଜ୍ଜୀବିତ କରିଥାଏ । ଭାରତରେ ଗ୍ରୀଷ୍ମ ଋତୁ କେବଳ ଏକ ପ୍ରାକୃତିକ ବିପର୍ଯ୍ୟୟ ନୁହେଁ, ବରଂ ଏହା ପାଚିଲା ଆମ୍ବର ମିଠା ବାସ୍ନା, କଂସାଏ ଥଣ୍ଡା ପଖାଳ, ଧଳା ସୂତା ପୋଷାକର ଶାଳୀନତା ଏବଂ ସୂର୍ଯ୍ୟାସ୍ତ ପରେ ସହରଗୁଡ଼ିକରେ ଫେରିଆସୁଥିବା ଜୀବନ୍ତ କୋଳାହଳର ଏକ କାହାଣୀ ।

ଅର୍ଥନୀତିକୁ ମିଳିଥାଏ ନୂଆ ଦିଗ
ଭାରତୀୟ ଗ୍ରୀଷ୍ମଋତୁ କେବଳ ପ୍ରଖର ତାତିର ସମୟ ନୁହେଁ, ବରଂ ଏହା ଏକ 'ସୁବର୍ଣ୍ଣ ଅର୍ଥନୀତି'ର ଋତୁ ବୋଲି ମଧ୍ୟ ବର୍ଣ୍ଣନା କରାଯାଇଥାଏ । ଏହି ଋତୁରେ ଅନ୍ୟଦିନ ଭଳି ଅର୍ଥନୀତିକୁ ମଧ ଆଗକୁ ବଢିଥାଏ । ଏହି ଦିନେ ଫଳର ରାଜା ଆମ୍ବ ଏବଂ ତରଭୁଜର ବିକ୍ରି ଖୁବ ଅଧିକ ବଢିଥାଏ । ଆମ୍ବ ଭାରତୀୟଙ୍କ ପାଇଁ କେବଳ ଏକ ଫଳ ନୁହେଁ, ବରଂ ଏହା ଏକ ଭାବନା ଏବଂ କୋଟି କୋଟି ଟଙ୍କାର ବ୍ୟବସାୟ। ପ୍ରତିବର୍ଷ ଅନେକ ଲୋକ ଗ୍ରୀଷ୍ମ ଋତୁକୁ ଅପେକ୍ଷା କରି ରହିଥାଆନ୍ତି କିଭଳି ଆମ୍ବ ଖାଇବେ । ଏହି ଦିନେ ବିଭିନ୍ନ କିସମ, ଆକାର ଓ ସ୍ୱାଦର ଆମ୍ବ ପ୍ରତିଟି ଭାରତୀୟଙ୍କ ରୋଷେଇ ଘରୁ ନେଇ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପର୍ଯ୍ୟନ୍ତ ସବୁଠି ରାଜ୍ କରିଥାଏ। ପରିବାରର ସମସ୍ତ ସଦସ୍ୟ ଏକାଠି ବସି 'ଆମ୍ବ ଖିଆ'ର ଯେଉଁ ପାରମ୍ପରିକ ପର୍ବ ପାଳନ କରନ୍ତି, ତାହା ସାମାଜିକ ସଂପର୍କକୁ ଆହୁରି ନିବିଡ଼ କରିଥାଏ। ଅନ୍ୟପଟେ, ଗ୍ରୀଷ୍ମର ପ୍ରଚଣ୍ଡ ରୌଦ୍ରତାପ ମଧ୍ୟରେ ରାସ୍ତା କଡ଼ର ତରଭୁଜର ପାହାଡ଼, ସତେଜ କାକୁଡ଼ି ଗାଡ଼ି ଏବଂ ରଙ୍ଗବେରଙ୍ଗର 'ବରଫ ଗୋଲା' ବିକ୍ରେତାମାନେ ଦେଖିବାକୁ ମିଳନ୍ତି । ଯାହା କ୍ଷୁଦ୍ର ବ୍ୟବସାୟୀଙ୍କର ଅର୍ଥନୀତିକୁ ବେଶ ଆଗକୁ ନେଇଥାଏ । ଖରାରେ ଯେତେ କଷ୍ଟ ହେଲେ ବି ସେମାନେ ଏହି ଦିନେ ଭଲ ଦୁଇ ପଇସା ରୋଜଗାର କରନ୍ତି ଯାହା ସେମାନଙ୍କର ଖରା କଷ୍ଟକୁ ଦୂରେଇ ଦେଇଥାଏ । ଭାରତ ବିଶ୍ୱର ସବୁଠାରୁ ବଡ଼ ଆମ୍ବ ଉତ୍ପାଦନକାରୀ ଦେଶ ହୋଇଥିବାରୁ ଏହି ସମୟରେ ହଜାର ହଜାର କୋଟି ଟଙ୍କାର ବ୍ୟବସାୟ ହୋଇଥାଏ, ଯାହା ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରେ। ସେହିଭଳି କେବଳ ଫଳ ବଜାର ନୁହେଁ ଖରାଦିନେ ଇଲେକଟ୍ରୋନିକ ବଜାର ମଧ୍ୟ ବେଶ୍ ଆଗକୁ ବଢିଥାଏ । ତାପମାତ୍ରା ବଢ଼ିବା ସହିତ ଏୟାର କଣ୍ଡିସନର ବା ଏସି, ଏୟାର କୁଲର ଏବଂ ରେଫ୍ରିଜିରେଟରର ବିକ୍ରିରେ ପ୍ରାୟ ୩୦% ରୁ ୪୦% ବୃଦ୍ଧି ଘଟିଥାଏ। ଏହି ସମୟରେ ଇଲେକ୍ଟ୍ରୋନିକ୍ସ କମ୍ପାନୀଗୁଡ଼ିକ ସବୁଠାରୁ ଅଧିକ ଲାଭ କରନ୍ତି। ଅନ୍ୟ ବ୍ୟବସାୟ ମଧ୍ୟରେ ଥଣ୍ଡା ପାନୀୟ, ଫଳ ରସ, ଲସି ଏବଂ ଆଇସକ୍ରିମର ଚାହିଦା ଶୀର୍ଷରେ ପହଞ୍ଚିଥାଏ। କେବଳ ବଡ଼ ବ୍ରାଣ୍ଡ ନୁହେଁ, ବରଂ ରାସ୍ତା କଡ଼ରେ ଶରବତ ଓ ବରଫ ଗୋଲା ବିକୁଥିବା ଲକ୍ଷ ଲକ୍ଷ ଛୋଟ ବ୍ୟବସାୟୀଙ୍କ ପାଇଁ ଏହା ରୋଜଗାରର ଶ୍ରେଷ୍ଠ ସମୟ ପାଲଟିଥାଏ । ସେହିଭଳି ଏହି ସମୟରେ ଶିକ୍ଷାନୁଷ୍ଠାନଗୁଡ଼ିକରେ ଗ୍ରୀଷ୍ମକାଳୀନ ଛୁଟି ଯୋଗୁଁ ଲୋକେ ପରିବାର ସହ ପାହାଡ଼ିଆ ଅଞ୍ଚଳ ବା ଶୀତଳ ସ୍ଥାନଗୁଡ଼ିକୁ ଭ୍ରମଣରେ ଯାଆନ୍ତି । ଏହାଦ୍ୱାରା ଟ୍ରାଭେଲ ଏଜେନ୍ସି, ହୋଟେଲ ଏବଂ ସ୍ଥାନୀୟ ପରିବହନ ବ୍ୟବସାୟରେ ବ୍ୟାପକ ଅର୍ଥ କାରବାର ହୋଇଥାଏ ।




