ଅତିଥି
ଓଡ଼ିଶା ଭୂଇଁରେ ପ୍ରତିବର୍ଷ ଶହଶହ କଇଁଛମାନଙ୍କର ଆଗମନ ଗଠିଥାଏ । କଇଁଛ ମାନଙ୍କର ଏହି ସାମୂହିକ ଆଗମନ ବା ମାଇଗ୍ରେସନ ପ୍ରକ୍ରିୟା ଓଡ଼ିଶାକୁ ଏକ ନୂଆ ପରିଚୟ ଦେଇଥାଏ । ପ୍ରକୃତିର ଏହି ଅଭିନବ ପ୍ରକ୍ରିୟାର ମୁକସାଖି ପାଲଟିଥାଏ ଓଡ଼ିଶାର ବେଳାଭୂମି ।
ଓଡ଼ିଶାର ସୁଦୀର୍ଘ ବେଳାଭୂମିରେ ପ୍ରତିବର୍ଷ ଦେଖାଯାଉଥିବା ବିରଳ 'ଅଲିଭ୍ ରିଡ୍ଲେ' ସାମୁଦ୍ରିକ କଇଁଛଙ୍କ ପ୍ରବାସ ଓ ସାମୂହିକ ଅଣ୍ଡାଦାନ ପ୍ରକ୍ରିୟା ବିଶ୍ୱ ପର୍ଯ୍ୟଟନ ଓ ପରିବେଶ ବିଜ୍ଞାନ ମାନଚିତ୍ରରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି । ଏହି ପ୍ରକ୍ରିୟାକୁ 'ଅରିବାଡା' ବା ସାମୂହିକ ଆଗମନ କୁହାଯାଏ। ଏହି କଇଁଛମାନେ ପ୍ରଶାନ୍ତ ମହାସାଗର ଓ ଭାରତ ମହାସାଗରରୁ ପ୍ରାୟ ହଜାର ହଜାର କିଲୋମିଟର ପଥ ଅତିକ୍ରମ କରି ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ପ୍ରଜନନ ସ୍ଥଳ ଯଥା କେନ୍ଦ୍ରାପଡ଼ାର ଗହିରମଥା, ଗଞ୍ଜାମର ଋଷିକୂଲ୍ୟା ମୁହାଣ ଏବଂ ପୁରୀର ଦେବୀ ନଦୀ ମୁହାଣକୁ ଆସିଥାନ୍ତି। ଯେଉଁଠାରେ ଗହିରମଥାକୁ ବିଶ୍ୱର ସର୍ବବୃହତ ଅଣ୍ଡାଦାନ କେନ୍ଦ୍ରର ମାନ୍ୟତା ମିଳିଛି। ନଭେମ୍ବର ମାସରୁ ସମୁଦ୍ର ମଧ୍ୟରେ ଏମାନଙ୍କର ମିଳନ ପ୍ରକ୍ରିୟା ଆରମ୍ଭ ହୋଇଥାଏ । ପରବର୍ତ୍ତୀ ସମୟରେ ଫେବୃଆରୀରୁ ମାର୍ଚ୍ଚ ମାସ ମଧ୍ୟରେ ମା’ କଇଁଛମାନେ ଗଭୀର ରାତିରେ ସମୁଦ୍ରରୁ କୂଳକୁ ଆସି ବାଲିରେ ଗାତ ଖୋଳି ପ୍ରାୟ ୧୦୦ ରୁ ୧୨୦ଟି ଲେଖାଏଁ ଅଣ୍ଡା ଦେଇ ପୁନର୍ବାର ସମୁଦ୍ରକୁ ଫେରିଯାନ୍ତି। ଏହି ଅଣ୍ଡାଗୁଡ଼ିକ ପ୍ରାୟ ୪୫ ରୁ ୬୦ ଦିନ ପର୍ଯ୍ୟନ୍ତ ବାଲିର ଉଷ୍ମତାରେ ରହିବା ପରେ ସେଥିରୁ ଛୋଟ ଛୋଟ ଶାବକ ବାହାରିଥାନ୍ତି । ଏହି ଶାବକମାନେ ପ୍ରାକୃତିକ ଭାବେ ଚନ୍ଦ୍ରର ଆଲୋକ ଓ ସମୁଦ୍ରର ଢେଉକୁ ଅନୁସରଣ କରି ଜଳରାଶି ଅଭିମୁଖେ ଯାତ୍ରା କରନ୍ତି। ଏହି ଅତିଥିମାନଙ୍କ ସୁରକ୍ଷା ପାଇଁ ଓଡ଼ିଶା ସରକାରଙ୍କ ବନ ବିଭାଗ ପକ୍ଷରୁ ନଭେମ୍ବର ୧ରୁ ମେ ୩୧ ପର୍ଯ୍ୟନ୍ତ ମୁହାଣ ଅଞ୍ଚଳରୁ ୨୦ କିଲୋମିଟର ପର୍ଯ୍ୟନ୍ତ ଯାନ୍ତ୍ରିକ ଡଙ୍ଗା ଓ ଟ୍ରଲର ଚଳାଚଳ ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି କରାଯାଇଥାଏ । ଏହାସହ ଭାରତୀୟ ତଟରକ୍ଷୀ ବାହିନୀ 'ଅପରେସନ ଓଲିଭିଆ' ମାଧ୍ୟମରେ କଡ଼ା ପହରା ଦେଇଥାନ୍ତି। କେବଳ ସେତିକି ନୁହେଁ, ଅଣ୍ଡାଦାନ ସମୟରେ ବେଳାଭୂମିରେ ଉଜ୍ଜ୍ୱଳ ଆଲୋକ କଇଁଛମାନଙ୍କୁ ଦିଗହରା କରୁଥିବାରୁ ଉପକୂଳବର୍ତ୍ତୀ କଳକାରଖାନା ଓ ଜନବସତିରେ ଆଲୋକ ନିୟନ୍ତ୍ରଣ କରାଯାଇଥାଏ । ଏହାସହ କୁକୁର, କାଉ କିମ୍ବା ବିଲୁଆଙ୍କ କବଳରୁ ଅଣ୍ଡାଗୁଡ଼ିକୁ ରକ୍ଷା କରିବା ପାଇଁ ବାଲି ଉପରେ ଜାଲି ବା ବାଡ଼ ଲଗାଯାଇଥାଏ। ଯାହାଫଳରେ ଓଡ଼ିଶାର ଏହି ଗୌରବମୟ ଜୈବ ବିବିଧତା ସୁରକ୍ଷିତ ରହିପାରିବ।



