ଅଳିଆ ଗାଡିରେ ବରଯାତ୍ରୀ
ଚୀନର ଆନହୁଇ ପ୍ରଦେଶରେ ଏକ ନିଆରା ବିବାହ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ବିବାହରେ ଜଣେ ଯୁବକ ନିଜ ବୃତ୍ତିକୁ ସମ୍ମାନ ଜଣାଇ ବିଳାସପୂର୍ଣ୍ଣ କାର୍ ବଦଳରେ ଅଳିଆ ବୁହା ଗାଡ଼ିରେ ବରଯାତ୍ରୀ ନେଇ ବିବାହରେ ପହଞ୍ଚିଛନ୍ତି । ୩୦ ବର୍ଷୀୟ ପାନ ହାଓନାନ ନାମକ ଏହି ଯୁବକ ଜଣେ ଫିଲ୍ମ ଏଡିଟିଂ ଗ୍ରାଜୁଏଟ୍ ହୋଇଥିଲେ ମଧ୍ୟ ନିଜର ଷ୍ଟାର୍ଟଅପ୍ ବିଫଳ ହେବା ପରେ ବାପାଙ୍କର ସ୍ୱେରେଜ୍ ଟ୍ରାନ୍ସପୋର୍ଟ ବ୍ୟବସାୟରେ ଯୋଗ ଦେଇଥିଲେ । ନିଜ କାମକୁ ନେଇ ଗର୍ବିତ ପାନଙ୍କର ଏହି ଅଜବ ପ୍ରସ୍ତାବକୁ ତାଙ୍କ ପତ୍ନୀ ଲି ୟାକିଙ୍ଗ୍ ସହର୍ଷ ମଧ୍ୟ ଗ୍ରହଣ କରିଥିଲେ । ଏହି ବିବାହ ପାଇଁ ୯ଟି ଅଳିଆ ବୁହା ଟ୍ରକକୁ ସମ୍ପୂର୍ଣ୍ଣ ସଫା କରାଯାଇ ଫୁଲରେ ସଜାଯାଇଥିଲା । ପାନଙ୍କ ମତରେ, କାମ ଯଦିଓ ଅଳିଆ ଉଠା କିନ୍ତୁ ଏଥିରୁ ମିଳୁଥିବା ଆୟ ସମ୍ପୂର୍ଣ୍ଣ ସ୍ୱଚ୍ଛ ଏବଂ ସାଧୁତାପୂର୍ଣ୍ଣ, ଯାହାକି ତାଙ୍କୁ ଏହି ବୃତ୍ତି ପ୍ରତି ଗର୍ବ ଅନୁଭବ କରାଏ । ଚୀନରେ ପ୍ରଥମ ଥର ପାଇଁ ହୋଇଥିବା ଏଭଳି ଏକ ‘ପ୍ରଫେସନାଲ୍ ୱେଡିଂ’ ବର୍ତ୍ତମାନ ସବୁଠି ଲୋକଙ୍କ ଦୃଷ୍ଟି ଆକର୍ଷଣ କରୁଥିବା ବେଳେ ବୃତ୍ତିଗତ ପରିଚୟକୁ ନେଇ ଏକ ନୂଆ ବାର୍ତ୍ତା ଦେଇଛି । ସୋସିଆଲ ମିଡିଆରେ ଏହାକୁ ନେଇ ଅନେକ ଆଲୋଚନା ହେଉଥିବା ଦେଖିବାକୁ ମିଳୁଛି ।



