ସବୁଜ ବାଣ

ସବୁଜ ବାଣ
Ipsita Picture
By: Ipsita
Published On

 

ପ୍ରତିବର୍ଷ ଦୀପାବଳି ଆସିଲେ ଆକାଶ ରଙ୍ଗବେରଙ୍ଗର ଆଲୋକରେ ଝଲସି ଉଠେ । ସମସ୍ତେ ନିଜ ଘରକୁ ବିଭିନ୍ନ ଆଲୋକ ଓ ଦୀପରେ ସଜାଇବା ସହ ବାଣ ଫୁଟାଇ ଏହି ପର୍ବର ମଜା ନେଇଥାଆନ୍ତି । ହେଲେ ଲୋକଙ୍କର ଏହି ମଜା ଅନେକଙ୍କ ପାଇଁ ବିପଦ ସାଜିଥାଏ । ତେବେ ଦୀପାବଳି ଆସିଲେ ଚର୍ଚ୍ଚା ହୁଏ ସବୁଜ ବାଣ ବା ଗ୍ରୀନ କ୍ରାକର୍ସର । ତେବେ ଆସନ୍ତୁୁ ଜାଣିବା କଣ ଏହି ସବୁଜ ବାଣ ।

ଅନେକ ସମୟରେ ଦୀପାବଳି ପରେ ବାୟୁର ଏକ୍ୟୁଆଇ ମାନ ବଢିବାକୁ ଲାଗିଥାଏ, ଯାହା ପ୍ରଦୂଷଣ ବଢିବାର ସଙ୍କେତ ଦେଇଥାଏ । ଦୀପାବଳିକୁ ଉପଭୋଗ କରି ଲୋକମାନେ ଫୁଟାଉଥିବା ବାଣର ପରିଣାମ ଅନ୍ୟଲୋକମାନେ ପାଇଥାଆନ୍ତି । ରାସ୍ତାରେ ଧୂଆଁର ଆବରଣ ଜମିରହେ, ପାଉଁଶ ଓ ଜଳାକାରସାୟନର ଦୁର୍ଗନ୍ଧ ବାୟୁମଣ୍ଡଳରେ ଭାସିବୁଲେ, ବାଣର ଶବ୍ଦ ବଦଳରେ କାଶ, ଆଖି ଜଳିବା ଏବଂ ନିଶ୍ୱାସ ନେବାରେ କଷ୍ଟ ଅନୁଭବ ଭଳି ଜିନିଷ ଲୋକମାନଙ୍କୁ ପ୍ରାପ୍ତ ହୁଏ । ବାଣ ଫୁଟିବା ମାତ୍ର କିଛି ସେକେଣ୍ଡ ପାଇଁ ରହିଥାଏ, କିନ୍ତୁ ଏହା ଦ୍ୱାରା ସୃଷ୍ଟି ହେଉଥିବା ପ୍ରଦୂଷଣ ବାୟୁମଣ୍ଡଳରେ ବହୁତ ସମୟ ଧରି ରହିଯାଏ । ଏହି କାରଣରୁ ଏହାର ଏକ ବିକଳ୍ପ ଭାବେ 'ଗ୍ରୀନ୍ କ୍ରାକର୍ସ୍' ବା ସବୁଜ ବାଣର ଲୋକପ୍ରିୟତା କ୍ରମଶଃ ବୃଦ୍ଧି ପାଉଛି ।

ବାଣ ଫୁଟିବା ସମୟର ପ୍ରତିକ୍ରିୟା

ଆମେ ଯେଉଁ ରଙ୍ଗବେରଙ୍ଗ ଓ ବିଭିନ୍ନ ଶବ୍ଦ କରୁଥିବା ଆକର୍ଷଣୀୟ ବାଣ ଉପଭୋଗ କରୁ, ତାହା ବିଭିନ୍ନ ରାସାୟନିକ ପଦାର୍ଥର ମିଶ୍ରଣରୁ ସୃଷ୍ଟି ହୋଇଥାଏ । ମାତ୍ର ଏହି ପ୍ରକ୍ରିୟା ବାୟୁମଣ୍ଡଳକୁ ବିଭିନ୍ନ କ୍ଷତିକାରକ ପ୍ରଦୂଷକ ଛାଡ଼ିଥାଏ ।

ପାରମ୍ପରିକ ବାଣଗୁଡ଼ିକରୁ ଅଣୁକଣା , ସଲଫର ଡାଇଅକ୍ସାଇଡ୍, ନାଇଟ୍ରୋଜେନ୍ ଅକ୍ସାଇଡ୍ ଏବଂ ଅନ୍ୟାନ୍ୟ କ୍ଷତିକାରକ ଗ୍ୟାସ୍ ନିର୍ଗତ ହୋଇଥାଏ । ଏହି କ୍ଷୁଦ୍ର କଣାଗୁଡ଼ିକ ଶ୍ୱାସକ୍ରିୟା ମାଧ୍ୟମରେ ଶରୀର ଭିତରକୁ ପ୍ରବେଶ କରେ ଏବଂ ସେଗୁଡ଼ିକ ମଧ୍ୟରୁ କେତେକ ଫୁସଫୁସ୍ ଓ ରକ୍ତପ୍ରବାହରେ ମଧ୍ୟ ପହଞ୍ଚିଯାଏ । ଯାହା ଆଜମା, ଶ୍ୱାସରୋଗ, ହୃଦରୋଗ କିମ୍ବା ଅନ୍ୟାନ୍ୟ ଶ୍ୱାସଜନିତ ସମସ୍ୟା ଥିବା ବ୍ୟକ୍ତିଙ୍କ ପାଇଁ ଏହା ସ୍ୱାସ୍ଥ୍ୟଗତ ଜଟିଳତା ବଢ଼ାଇଦିଏ । ବିଶେଷକରି ଶିଶୁ ଏବଂ ବୃଦ୍ଧମାନେ ଏହାର ଗମ୍ଭୀର ଶିକାର ହୋଇଥା’ନ୍ତି । ଏପରିକି ସୁସ୍ଥ ବ୍ୟକ୍ତିମାନେ ମଧ୍ୟ କାଶ, ଗଳା ଜଳିବା, ନିଶ୍ୱାସ ପ୍ରଶ୍ୱାସରେ କଷ୍ଟ ଏବଂ ଆଖିରେ ଜ୍ୱଳନ ଅନୁଭବ କରନ୍ତି । ଏହାଶହ ପଶୁପକ୍ଷୀ ମଧ୍ୟ ନାନା ସମସ୍ୟାର ସମ୍ମୁଖୀନ ହୁଅନ୍ତି ।

ସବୁଜ ବାଣ

ଏହି ସମସ୍ୟାର ସମାଧାନ ପାଇଁ 'ବୈଜ୍ଞାନିକ ଏବଂ ଶିଳ୍ପ ଗବେଷଣା ପରିଷଦ' ଏବଂ 'ଜାତୀୟ ପରିବେଶ ପ୍ରଯୁକ୍ତିବିଦ୍ୟା ଗବେଷଣା ପ୍ରତିଷ୍ଠାନ'ର ବୈଜ୍ଞାନିକମାନେ ମିଳିତ ଭାବେ ଗ୍ରୀନ୍ କ୍ରାକର୍ସ୍ ବା ସବୁଜ ବାଣ ପ୍ରସ୍ତୁତ କରିଛନ୍ତି । ଭାରତରେ ୨୦୧୯ ମସିହାରେ ପ୍ରଚଳିତ ହୋଇଥିବା ଏହି ବାଣଗୁଡ଼ିକ ରାସାୟନିକ ପଦାର୍ଥର ସଂଶୋଧିତ ସୂତ୍ର ଏବଂ କମ୍ ପରିମାଣର କଞ୍ଚାମାଲ ବ୍ୟବହାର କରି ତିଆରି କରାଯାଇଥାଏ । ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ପାରମ୍ପରିକ ବାଣର ଆନନ୍ଦକୁ ବଜାୟ ରଖିବା, କିନ୍ତୁ କମ୍ ପ୍ରଦୂଷଣ ସୃଷ୍ଟି କରିବା । ଏନଇଇଆରଆଇର ମାନଦଣ୍ଡ ଅନୁଯାୟୀ, ଏକ ଗ୍ରୀନ୍ କ୍ରାକର୍ ପାରମ୍ପାରିକ ବାଣ ତୁଳନାରେ ଅତିକମ୍ରେ ୩୦% କମ ପ୍ରଦୂଷଣ କଣିକା ସୃଷ୍ଟି କରିବା ଆବଶ୍ୟକ। ଅନ୍ୟ ଏକ ସୂତ୍ର ଅନୁଯାୟୀ, ଏହା କଣିକା ପ୍ରଦୂଷଣକୁ ଅତିକମରେ ୨୦% ଏବଂ ସଲଫର ଡାଇଅକ୍ସାଇଡ୍ ଓ ନାଇଟ୍ରୋଜେନ୍ ଡାଇଅକ୍ସାଇଡ୍ ପରି ଗ୍ୟାସୀୟ ପ୍ରଦୂଷଣକୁ ଅତି କମରେ ୧୦% ହ୍ରାସ କରିବା ବାଧ୍ୟତାମୂଳକ ।

ଏହା ପଛର ରସାୟନ ବିଜ୍ଞାନ

ଏହି ବାଣଗୁଡ଼ିକ ଭିତରେ ପ୍ରକୃତରେ କ’ଣ ପରିବର୍ତ୍ତନ କରାଯାଇଥାଏ ? ବୈଜ୍ଞାନିକମାନେ ଉପାଦାନଗୁଡ଼ିକୁ ବଦଳାଇବା, ବ୍ୟବହୃତ ସାମଗ୍ରୀର ପରିମାଣ ହ୍ରାସ କରିବା ଏବଂ ଦହନ ପ୍ରକ୍ରିୟାକୁ ଅଧିକ କାର୍ଯ୍ୟକ୍ଷମ କରିବା ଦିଗରେ କାର୍ଯ୍ୟ କରିଛନ୍ତି । ଏଗୁଡ଼ିକ ମୁଖ୍ୟତଃ ତିନିୋଟି ବର୍ଗରେ ବିଭକ୍ତ :

 

ସେଫ୍ ୱାଟର୍ ରିଲିଜର୍ -  ଏହି ବାଣଗୁଡ଼ିକ ଦହନ ସମୟରେ ଜଳୀୟବାଷ୍ପ ନିର୍ଗତ କରନ୍ତି, ଯାହା ଧୂଳିକଣାଗୁଡ଼ିକୁ ଦବାଇବାରେ ଏବଂ ପ୍ରଦୂଷଣ କମାଇବାରେ ସାହାଯ୍ୟ କରେ ।

ସେଫ୍ ଥର୍ମାଇଟ୍ କ୍ରାକର୍ - ଏଗୁଡ଼ିକ ଦହନ ଦକ୍ଷତା ବୃଦ୍ଧି କରିବା ଏବଂ ନିର୍ଗମନ ହ୍ରାସ କରିବା ପାଇଁ ଆଇରନ ଅକ୍ସାଇଡ୍ ଆଧାରିତ ସୂତ୍ର ବ୍ୟବହାର କରନ୍ତି ।

ସେଫ୍ ମିନିମାଲ୍ ଆଲୁମିନିୟମ : ଏଗୁଡ଼ିକ ଜିଓଲାଇଟ୍-ଆଧାରିତ ପଦାର୍ଥ ବ୍ୟବହାର କରନ୍ତି, ଯାହା ଆଲୁମିନିୟମର ଆବଶ୍ୟକତାକୁ କମାଇବାରେ ସହାୟକ ହୁଏ । ଏହାଛଡ଼ା ଗ୍ରୀନ୍ କ୍ରାକର୍ସରେ ବାରିୟମ୍ ନାଇଟ୍ରେଟ୍ ପରି କ୍ଷତିକାରକ ରାସାୟନିକ ପଦାର୍ଥ ବର୍ଜନ କରାଯାଇଥାଏ ଏବଂ ପାଉଁଶ ତଥା ଅନ୍ୟାନ୍ୟ ନିର୍ଗମନକୁ ହ୍ରାସ କରିବା ପାଇଁ ସଂଶୋଧିତ ଫର୍ମୁଲା ବ୍ୟବହୃତ ହୁଏ । ତେବେ ଏଠାରେ ଏକ ଗୁରୁତ୍ୱପୂର୍ଣ୍ଣ ପାର୍ଥକ୍ୟ ବୁଝିବା ଜରୁରୀ । କମ୍ ପ୍ରଦୂଷଣକାରୀ ହେବା ମାନେ ଏହା ସମ୍ପୂର୍ଣ୍ଣ ପ୍ରଦୂଷଣମୁକ୍ତ ନୁହେଁ। ଗ୍ରୀନ୍ କ୍ରାକର୍ସ ଜଳିବା ସମୟରେ ମଧ୍ୟ କ୍ଷତିକାରକ କଣା ଓ ଗ୍ୟାସ୍ ନିର୍ଗତ ହୋଇଥାଏ । କେତେକ ଗ୍ରୀନ୍ କ୍ରାକର୍ସ ପାରମ୍ପାରିକ ବାଣ ତୁଳନାରେ ଅଧିକ ସଂଖ୍ୟକ ଅତି-ସୂକ୍ଷ୍ମ କଣା  ନିର୍ଗତ କରିପାରେ। ଏହି ଅତି କ୍ଷୁଦ୍ର କଣାଗୁଡ଼ିକ ଅତ୍ୟନ୍ତ ଚିନ୍ତାଜନକ, କାରଣ ଏଗୁଡ଼ିକ ସିଧାସଳଖ ଶ୍ୱାସତନ୍ତ୍ରର ଗଭୀରକୁ ପ୍ରବେଶ କରିପାରେ। ଗୋଟିଏ ବାଣରୁ ୩୦% ପ୍ରଦୂଷଣ ହ୍ରାସ ପାଇବା ଅର୍ଥ ଏହା ନୁହେଁ ଯେ ସହରର ବାୟୁ ୩୦% ପରିଷ୍କାର ହୋଇଯିବ । ସାମଗ୍ରିକ ପ୍ରଭାବ ନିର୍ଭର କରେ କେତେ ସଂଖ୍ୟକ ବାଣ ଫୁଟାଯାଉଛି, କି ପ୍ରକାର ପ୍ରଦୂଷକ ବାହାରୁଛି, ପାଗର ସ୍ଥିତି କିପରି ଅଛି ଏବଂ ଅନ୍ୟାନ୍ୟ ପ୍ରଦୂଷଣର ଉତ୍ସ କ’ଣ ରହିଛି, ଯାହାପରେ ବାୟୁର ଏକ୍ୟୁଆଇ ଜଣା ପଡିଥାଏ । ତେଣୁ, ଗ୍ରୀନ୍ କ୍ରାକର୍ସ ହେଉଛି କ୍ଷତି ହ୍ରାସ ଦିଗରେ ଏକ ପାଦ, ଏହାକୁ ଅନିୟନ୍ତ୍ରିତ ଭାବେ ଯେତେ ଇଚ୍ଛା ସେତେ ବାଣ ଫୁଟାଇବାର ଅନୁମତି ଭାବେ ଗ୍ରହଣ କରାଯିବା ଉଚିତ୍ ନୁହେଁ । ତେଣୁ ପ୍ରଦୁଷଣ ରୋକିବାକୁ ହେଲେ ଆମକୁ କମ୍ ବାଣ ଫୁଟାଇବା, ଉତ୍ସବ ପାଳନର ଅନ୍ୟାନ୍ୟ ମାର୍ଗ ଆପଣାଇବା ଏବଂ ଆମ ସମସ୍ତଙ୍କ ପାଇଁ ଉଦ୍ଦିଷ୍ଟ ବାୟୁ ପ୍ରତି ସଚେତନ ରହିବା ହିଁ ସଠିକ ଉପାୟ ।

Tags: