ଗୁଡ୍ ଫ୍ରାଇଡେ
ପ୍ରତିବର୍ଷ ଭଳି ଚଳିତ ବର୍ଷ ସମଗ୍ର ବିଶ୍ୱରେ ଖ୍ରୀଷ୍ଟଧର୍ମାବଲମ୍ବୀମାନଙ୍କ ଦ୍ୱାରା ‘ ଗୁଡ୍ ଫ୍ରାଇଡେ' ’ ବା ‘ପବିତ୍ର ଶୁକ୍ରବାର’ ଅତ୍ୟନ୍ତ ଶ୍ରଦ୍ଧା ଓ ଗମ୍ଭୀରତାର ସହ ପାଳିତ ହେଉଛି। ଏହା ଭଗବାନ ଯୀଶୁଖ୍ରୀଷ୍ଟଙ୍କ ମାନବଜାତିର କଲ୍ୟାଣ ପାଇଁ ଦେଇଥିବା ସର୍ବୋଚ୍ଚ ବଳିଦାନକୁ ସ୍ମରଣ କରାଯିବାର ଦିନ ହୋଇଥାଏ । ବାଇବେଲ୍ ଅନୁଯାୟୀ,ଏହି ଦିନରେ ପ୍ରଭୁ ଯୀଶୁଙ୍କୁ କଲଭାରୀ ପାହାଡ଼ରେ କ୍ରୁଶବିଦ୍ଧ କରାଯାଇଥିଲା। ତେବେ ଏହା ଏକ ଦୁଃଖର ଦିନ ହୋଇଥିଲେ ହେଁ ଖ୍ରୀଷ୍ଟଧର୍ମାବଲମ୍ବୀଙ୍କ ବିଶ୍ୱାସ ଅନୁଯାୟୀ ମଙ୍ଗଳମୟ ଦିନ, କାରଣ ଏହି ବଳିଦାନ ଦ୍ୱାରା ହିଁ ସମଗ୍ର ସଂସାରକୁ ପାପରୁ ମୁକ୍ତି ଓ ପ୍ରେମର ମାର୍ଗ ମିଳିଥିଲା । ତେଣୁ ଏହାକୁ ଗୁଡ ଫ୍ରାଇଡେର ଆଖ୍ୟା ଦିଆଯାଇଛି । ଏହିଦିନ ବିଭିନ୍ନସ୍ଥାନରେ ଥିବା ଚର୍ଚ୍ଚଗୁଡ଼ିକରେ ସକାଳୁ ସକାଳୁ ବିଶେଷ ପ୍ରାର୍ଥନା ସଭା ଆୟୋଜିତ ହୋଇଥାଏ । ଯେଉଁଠାରେ ଶ୍ରଦ୍ଧାଳୁମାନେ କଳା ପୋଷାକ ପରିଧାନ କରି ଯୀଶୁଙ୍କ ଯନ୍ତ୍ରଣା ଓ ମୃତ୍ୟୁ ଉପରେ ଶାନ୍ତିପୂର୍ଣ୍ଣ ଭାବେ ଧ୍ୟାନ କରିଥାଆନ୍ତି । ଏହି ଦିନ ସେମାନଙ୍କର ରୀତି ନୀତି ଅନୁସାରେ ଉପବାସ ସହିତ ପ୍ରାର୍ଥନା କରାଯାଇଥାଏ ।



