୯୯ କୋଟିର ସୁନା ଇଟା
ବେଲଜିୟମର ମାଟିତଳୁ ପାଖାପାଖି ୯୯ କୋଟିର ସୁନା ଇଟା ମିଳିଛି, ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ସୂଚନା ଅନୁସାରେ ଜଣେ ଶ୍ରମିକ ଏକ ସ୍ଥାନରେ ଖନନ କରୁଥିବା ସମୟରେ ମାଟିତଳୁ ଏତେମୂଲ୍ୟର ସୁନାର ବିସ୍କୁଟ ତାଙ୍କୁ ମିଳିଛି । ଏକ ପୁରୁଣା ବ୍ରୁୱେରୀରେ ମରାମତି କାର୍ଯ୍ୟ ସମୟରେ ସ୍ୱେରେଜ୍ ପାଇପ୍ ବିଛାଇବା ପାଇଁ ମାଟି ଖୋଳୁଥିବା କୋବେ ନାମକ ଜଣେ ଶ୍ରମିକଙ୍କୁ ଏହି ସୁନା ମିଳିଛି । ଏହି ଖନନ କାର୍ଯ୍ୟ ବେଳେ ଉକ୍ତ ପୁରୁଣା କୋଠାର ଭୂତଳ ପ୍ରକୋଷ୍ଠ ମଧ୍ୟରୁ ସେ ୪୯ଟି ସୁନା ଇଟା ଏବଂ ହଜାର ହଜାର ପୁରାତନ ମୁଦ୍ରା ପାଇଥିଲେ । ଯାହାକି ୧୯ଶ ଶତାବ୍ଦୀର ଶେଷ ଭାଗରେ ଥିଓଫିଲସ୍ ଭାନ୍ ଏସ୍କେ ନାମକ ଜଣେ ବ୍ରୁୱେରୀ ମାଲିକଙ୍କ ପାଇଁ ନିର୍ମାଣ କରାଯାଇଥିଲା । ବର୍ତ୍ତମାନ ଏହି ସମସ୍ତ ସୁନାକୁ ବ୍ରୁସେଲ୍ସରେ ଅତ୍ୟନ୍ତ ସୁରକ୍ଷିତ ଭାବେ ରଖାଯାଇଛି । ତେବେ ବେଲଜିୟମ ଆଇନ ଅନୁଯାୟୀ ସମ୍ଭାବ୍ୟ ମାଲିକମାନଙ୍କୁ ଏହି ଗୁପ୍ତଧନ ଉପରେ ନିଜର ଦାବି ଉପସ୍ଥାପନ କରିବା ପାଇଁ ପାଞ୍ଚ ବର୍ଷର ସମୟ ଦିଆଯାଇପାରେ । ତେବେ ଯଦି ୨୦୩୧ ମସିହା ସୁଦ୍ଧା କୌଣସି ପ୍ରକୃତ ମାଲିକ ସାମ୍ନାକୁ ନ ଆସନ୍ତି, ତେବେ ଏହି ସମ୍ପତ୍ତିକୁ ଏହା ଆବିଷ୍କାର କରିଥିବା ଶ୍ରମିକ ଏବଂ ଜମିର ମାଲିକଙ୍କ ମଧ୍ୟରେ ସମାନ ଭାବେ ଭାଗ କରିଦିଆଯାଇପାରେ ।




