ବିଶ୍ବସାରା ପଡୁଛି ପ୍ରଭାବ

ବିଶ୍ବସାରା ପଡୁଛି ପ୍ରଭାବ
Ipsita Picture
By: Ipsita
Published On

 

ଭୁଲ୍ ଆକଳନ ଏବଂ ବିପର୍ଯ୍ୟସ୍ତ ରଣନୀତିରୁ ଜନ୍ମ ନେଇଥିବା ବିଶ୍ବ ଶକ୍ତି ସଂକଟର ଭୟାବହତା ଆଜି ସାରା ପୃଥିବୀକୁ ଗ୍ରାସ କରିଛି । ଯାହାର ମୂଳ କାରଣ ଥିଲା ଗତ ଫେବୃଆରୀ ୨୮ ରୁ ମାର୍ଚ୍ଚ ୫ ତାରିଖ ପର୍ଯ୍ୟନ୍ତ ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲ୍ପକ୍ଷରୁ କରାଯାଇଥିବା ଭୟଙ୍କର ଆକାଶମାର୍ଗୀୟ ଆକ୍ରମଣ । ଏହି ଆକ୍ରମଣ ପଛରେ ସେମାନଙ୍କର  ବିଶ୍ବାସ ଥିଲା ଯେ, ଏହାଦ୍ବାରା ସେଠାକାର ଶାସନ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିବ । କିନ୍ତୁ ବାସ୍ତବରେ ଏହାର ଓଲଟା ପରିଣାମ ଦେଖିବାକୁ ମିଳିଛି ଏବଂ ଇରାନ ସାମୁଦ୍ରିକ ଶକ୍ତି ବାଣିଜ୍ୟର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହରମୁଜ୍ ପ୍ରଣାଳୀକୁ ନିଜ ନିୟନ୍ତ୍ରଣକୁ ନେଇ ଶ୍ବାସରୁଦ୍ଧ କରିଦେବା ପରେ ଅନେକ ପ୍ରମୁଖ ସତ୍ୟ ସାମ୍ନାକୁ ଆସିଛି। ପ୍ରଥମତଃ, ସାରା ବିଶ୍ବ ଆଜି ସ୍ପଷ୍ଟ ଦେଖୁଛି ଯେ ବିଶ୍ବ ଶକ୍ତି ବ୍ୟବସ୍ଥାର ସ୍ଥିରତାକୁ ବଜାୟ ରଖିବା ପାଇଁ ଏକା ଆମେରିକା ଉପରେ ଆଉ ଭରସା କରାଯାଇପାରିବ ନାହିଁ । ଏହାଛଡା ଏହି ହରମୁଜ୍ ସଂକଟ ଏହା ସ୍ପଷ୍ଟ କରିଛି ଯେ ଆଜିର ଦିନରେ ଉଭୟ ରପ୍ତାନିକାରୀ ଓ ଆମଦାନୀକାରୀ ଦେଶଗୁଡ଼ିକ ଦ୍ବାରା ଶକ୍ତିକୁ ଏକ ଆକ୍ରମଣାତ୍ମକ ଅସ୍ତ୍ର (ଅର୍ଥନୈତିକ, ରାଜନୈତିକ ଏବଂ ସାମରିକ) ଭାବେ ବ୍ୟବହାର କରାଯାଉଛି । ଯାହା ପ୍ରାକୃତିକ ସମ୍ପଦ (ତୈଳ, ଗ୍ୟାସ୍, ଜାଳେଣି, ଗୁରୁତ୍ବପୂର୍ଣ୍ଣ ଖଣିଜ) ଏବଂ ପ୍ରଯୁକ୍ତିବିଦ୍ୟାକୁ ଟାର୍ଗେଟ୍ କରି ୨୧ଶ ଶତାବ୍ଦୀର ଯୁଦ୍ଧର ସବୁଠାରୁ ବଡ଼ ପ୍ରବୃତ୍ତି ପାଲଟିଛି । ଏହାର ଅନେକ ଉଦାହରଣ ରହିଛି, ଯେପରିୟୁକ୍ରେନ ଆକ୍ରମଣ ପୂର୍ବରୁ ରୁଷିଆ ପକ୍ଷରୁ ୟୁରୋପକୁ ଗ୍ୟାସ୍ ଯୋଗାଣ ବନ୍ଦ କରିବା, ଆମେରିକା ଓ ୟୁରୋପୀୟ ୟୁନିଅନକୁ ଚୀନ୍ ଦ୍ବାରା ଦୁର୍ଲଭ ମୃତ୍ତିକା (ରେୟାର୍ ଆର୍ଥ) ରପ୍ତାନି ଉପରେ କଟକଣା ଲଗାଇବା, ୟୁକ୍ରେନ ଦ୍ବାରା ରୁଷିଆର ତୈଳ ଭିତ୍ତିଭୂମିକୁ ଟାର୍ଗେଟ୍ କରାଯିବା, ଆମେରିକା ଦ୍ବାରା କ୍ୟୁବାକୁ ଜାଳେଣି ଯୋଗାଣ ଅବରୋଧ କରାଯିବା ଏବଂ ବର୍ତ୍ତମାନ ଇରାନ ଦ୍ବାରା ପାରସ୍ୟ ଉପସାଗରୀୟ ସାମୁଦ୍ରିକ ଚଳାଚଳକୁ ସମ୍ପୂର୍ଣ୍ଣ ଠପ୍ କରିଦେବା । ଏହି ସମସ୍ତ ଘଟଣା ପଛରେ ଏକ ବଡ଼ ସତ୍ୟ ଲୁଚି ରହିଛି ଯାହା ବିଶ୍ବ ବାରମ୍ବାର ଶିଖୁଛି ଯେ, ଆଧୁନିକ ସମାଜ ପାଇଁ ତୈଳ ଏବଂ ଗ୍ୟାସ୍ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଉପାଦାନ, ଯାହାକୁ କୌଣସି ସ୍ବଳ୍ପକାଳୀନ ଯୋଜନା ଦ୍ବାରା ବଦଳାଯାଇ ପାରିବ ନାହିଁ । ବିଭିନ୍ନ ତଥ୍ୟ ଅନୁଯାୟୀ କୋଇଲା ସହିତ ମିଶି ଏଗୁଡ଼ିକ ଆଜି ବି ବିଶ୍ବର ମୋଟ ଶକ୍ତି ବ୍ୟବହାରର ପ୍ରାୟ ୮୦ ପ୍ରତିଶତ ଅଂଶ ଗ୍ରହଣ କରନ୍ତି । ଏହି କାରଣରୁ ଦିନେ ଓପେକ୍ ଦେଶଗୁଡ଼ିକ ପାଖରେ ବେଶ୍ କ୍ଷମତା ଓ ଗୁରୁତ୍ବ ରହିଥିଲା, ମାତ୍ର ଏଥିରେ ଏକ ବିରାଟ ବିପଦ ମଧ୍ୟ ଜଡ଼ିତ ଥିଲା । କାରଣ ପାରସ୍ୟ ଉପସାଗର ଦୀର୍ଘ ଦିନ ଧରି ସକ୍ରିୟ ଯୋଗାଣ ଏବଂ ଜରୁରୀକାଳୀନ ଅତିରିକ୍ତ ସଂରକ୍ଷିତ ଶକ୍ତି (ସ୍ପେୟାର୍ କାପାସିଟି) ଉଭୟର ଏକ ପ୍ରମୁଖ ଗ୍ଲୋବାଲ୍ ସୋର୍ସ ହୋଇ ରହିଆସିଥିଲା, ଯାହାକୁ ଏହି ହରମୁଜ୍ ସଂକଟ ଆଜି ସମ୍ପୂର୍ଣ୍ଣ ରୂପେ ରୁଦ୍ଧ କରିଦେଇଛି ।

ଆମଦାନୀ ରପ୍ତାନୀ

ଆମଦାନୀକାରୀ, ରପ୍ତାନିକାରୀ ଏବଂ ଶକ୍ତି କ୍ଷେତ୍ରର ଏହି ନୂଆ ଗଣିତ ସିଧାସଳଖ ଭାବେ ବିଶେଷଜ୍ଞ, କର୍ମୀ, ନୀତି ନିର୍ଦ୍ଧାରକ ଏବଂ ବିଭିନ୍ନ କମ୍ପାନୀଗୁଡ଼ିକର ରଣନୀତିକୁ ପ୍ରଭାବିତ କରୁଛି । ଯେଉଁଥିପାଇଁ ଜଳବାୟୁ ସୁରକ୍ଷା ଏବଂ ଜାତୀୟ ସୁରକ୍ଷା ଉଭୟ ଦୃଷ୍ଟିରୁ ଅକ୍ଷୟ ଶକ୍ତିକୁ ଆପଣେଇବା ପାଇଁ ସାରା ବିଶ୍ବରେ ଜୋରଦାର ଦାବି ହେଉଛି । ଯଦିଓ ଏହି ଆହ୍ବାନ ନୂଆ ନୁହେଁ, ତଥାପି ବର୍ତ୍ତମାନର ସଂକଟ ଏହାକୁ ଅଧିକ ଜରୁରୀ ଏବଂ ଗୁରୁତ୍ବପୂର୍ଣ୍ଣ କରିଦେଇଛି। ଏଥିସହିତ, ଯେଉଁ ଦେଶଗୁଡ଼ିକରେ ସମ୍ଭବ ସେଠାରେ ତୈଳ ଓ ଗ୍ୟାସ୍ ଉତ୍ପାଦନ ବୃଦ୍ଧି କରିବାକୁ ଚାପ ପଡ଼ୁଛି ଏବଂ ଏହି ଦୌଡ଼ରେ ସବୁଠାରୁ ଆଗରେ ରହିଛି ଆମେରିକା । କାରଣ ସେଠାକାର ପ୍ରମୁଖ ତୈଳ କମ୍ପାନୀଗୁଡ଼ିକ ସଂକଟର ପ୍ରାରମ୍ଭିକ ମାସଗୁଡ଼ିକରେ ଏହି ସ୍ଥିତି ଖୁବ୍ ଶୀଘ୍ର ସୁଧୁରିଯିବ ବୋଲି ଟ୍ରମ୍ପ ଦେଇଥିବା ପ୍ରତିଶ୍ରୁତିକୁ ସହଜରେ ଗ୍ରହଣ ନକରି ନିଜକୁ ଦୂରେଇ ରଖିଥିଲେ । ହେଲେ ଗତ ଏପ୍ରିଲ୍ ଶେଷ ଓ ମେ ମାସ ଆରମ୍ଭ ବେଳକୁ ସେମାନେ ବ୍ୟାପକ ଭାବେ ଖନନ ଓ ଡ୍ରିଲିଂ କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି । ପରମିଆନ୍ ବେସିନ୍ର ଜଣେ ପ୍ରମୁଖ ଶିଳ୍ପପତି ତଥା କଣ୍ଟିନେଣ୍ଟାଲ୍ ରିସୋର୍ସେସ୍ର ହାରୋଲ୍ଡ ହାମ୍ଙ୍କ କହିବା ଅନୁଯାୟୀ, ଆମେ ଏହି ତୈଳ ଦର ପୁଣିଥରେ ଇରାନ ଯୁଦ୍ଧ ପୂର୍ବ ସ୍ଥିତିକୁ ଫେରିଯିବ ବୋଲି ଆଦୌ ଆଶା କରୁନାହୁଁ । ଯାହାକି ଆମେରିକାର ଏନର୍ଜି ଇନଫର୍ମେସନ୍ ଆଡମିନିଷ୍ଟ୍ରେସନ୍ ପକ୍ଷରୁ ଜାରି କରାଯାଇଥିବା ଆମେରିକାର ମୋଟ ଅଶୋଧିତ ତୈଳ ଉତ୍ପାଦନର ନୂଆ ଆକଳନ ସହ ମେଳ ଖାଉଛି । ଯେଉଁଥିରେ ସ୍ପଷ୍ଟ ଦର୍ଶାଯାଇଛି ଯେ ଆମେରିକାର ଦୈନିକ ତୈଳ ଉତ୍ପାଦନ ୨୦୨୬ ମସିହାରେ ୧୩.୬ ମିଲିୟନ ବ୍ୟାରେଲ୍ ରହିଥିବା ବେଳେ ୨୦୨୭ ମଧ୍ୟଭାଗ ସୁଦ୍ଧା ଏହା ୧୪.୨ ମିଲିୟନ ବ୍ୟାରେଲ୍ର ଏକ ନୂଆ ଐତିହାସିକ ରେକର୍ଡ ସ୍ତରକୁ ଛୁଇଁବ ।

Tags: