ଆବର୍ଜନା ଦିଅ ଖାଦ୍ୟ ଖାଅ
ଛତିଶଗଡ଼ର ଅମ୍ବିକାପୁରଠାରେ ପ୍ଲାଷ୍ଟିକ୍ ଆବର୍ଜନା କେବଳ ଦୁର୍ଗନ୍ଧର କାରଣ ନୁହେଁ, ବରଂ ଗରିବ ଓ ଅସହାୟ ଲୋକଙ୍କ ପାଇଁ ଆହାରର ମୁଖ୍ୟ ମାଧ୍ୟମ ପାଲଟିଛି । ଅମ୍ବିକାପୁର ନଗର ନିଗମ ପକ୍ଷରୁ ୨୦୧୯ ମସିହାରେ ଆରମ୍ଭ କରାଯାଇଥିବା 'ଗାର୍ବେଜ୍ କାଫେ'ର 'ଆବର୍ଜନା ଆଣ, ଖାଦ୍ୟ ପାଅ' ଯୋଜନା ଅଧୀନରେ ୧ କିଲୋଗ୍ରାମ୍ ପ୍ଲାଷ୍ଟିକ୍ ବଦଳରେ ପୂରା ମିଲ ଏବଂ ୫୦୦ ଗ୍ରାମ୍ ପ୍ଲାଷ୍ଟିକ୍ ବଦଳରେ ସକାଳ ଜଳଖିଆ ପ୍ରଦାନ କରାଯାଉଛି । ରାସ୍ତାଘାଟ ଓ ସାର୍ବଜନୀନ ସ୍ଥାନରୁ ସଂଗୃହିତ ଏହି ପ୍ଲାଷ୍ଟିକ୍କୁ ପରବର୍ତ୍ତୀ ସମୟରେ ରିସାଇକ୍ଲିଂ ପାଇଁ ପଠାଯାଇଥାଏ । ନଗର ନିଗମର ଜୁନ୍ ୨୦୨୬ ସୁଦ୍ଧା ମିଳିଥିବା ତଥ୍ୟ ଅନୁଯାୟୀ, ଏହି କାଫେରୁ ଏପର୍ଯ୍ୟନ୍ତ ୨୪,୨୯୬ରୁ ଅଧିକ ଲୋକ ଲାଭବାନ୍ ହୋଇସାରିଥିବା ବେଳେ ୨୦,୦୭୭ କିଲୋଗ୍ରାମ୍ (୨୦ ଟନ୍)ରୁ ଅଧିକ ପ୍ଲାଷ୍ଟିକ୍ ଜମା ହୋଇସାରିଛି । ବିଶେଷ କରି ଗରିବ, ବାସହୀନ ଓ ଆବର୍ଜନା ଗୋଟାଉଥିବା ଲୋକମାନେ ଏଥିରୁ ବେଶ୍ ଉପକୃତ ହେଉଛନ୍ତି । ଏହାସହ ଏହି କାଫେରେ ସାଧାରଣ ଲୋକଙ୍କ ପାଇଁ ମଧ୍ୟ ଖାଇବାର ବ୍ୟବସ୍ଥା ରହିଛି । ଯାହାଦ୍ୱାରା କାଫେ ପରିଚାଳକଙ୍କ ରୋଜଗାର ସହ ନଗର ନିଗମକୁ ଭଡ଼ା ଆକାରରେ ରାଜସ୍ୱ ମିଳୁଛି । ଫଳରେ ସହରରୁ ପ୍ଲାଷ୍ଟିକ୍ ହଟିବା ସହ ନିଷ୍କିଞ୍ଚନ ଲୋକଙ୍କୁ ଆହାର ମଧ୍ୟ ପ୍ରାପ୍ତ ହେଉଛି ।




