ଆମ ସଂସ୍କୃତି ଓ ପରମ୍ପରାରେ ଘୋଷଯାତ୍ରା
ପର୍ବପର୍ବାଣିର ରାଜ୍ୟ ଓଡିଶା । ଏଠାରେ ବାରମାସରେ ତେର ପର୍ବ ପାଳନ କରାଯାଏ । ଏଠି ପର୍ବ ପାଳନର ଆରାଧ୍ୟ ଦେବତା ମହାପ୍ରଭୁ ଜଗନ୍ନାଥ । ଏହି ପର୍ବମାନଙ୍କ ମଧ୍ୟରୁ ରଥଯାତ୍ରା ସ୍ୱତନ୍ତ୍ର । ରଥଯାତ୍ରା କେବଳ ଏକ ଉସିବ ନୁହେଁ ବରଂ ଅନନ୍ୟ ପରମ୍ପରା । ମହାପ୍ରଭୁଙ୍କ ଏହି ମହାଯାତ୍ରା ସବୁବେଳେ ଆକୃଷ୍ଟ କରିଛି ବିଶ୍ୱବାସୀଙ୍କୁ । ପ୍ରତି ବର୍ଷ ଆଷାଢ ଶୁକ୍ଳପକ୍ଷ ଦ୍ୱିତୀୟା ତିଥିରେ ଅନୁଷ୍ଠିତ ହୁଏ ଏହି ଘୋଷଯାତ୍ରା । କାଳିଆ ସାଆନ୍ତଙ୍କୁ […]
ପର୍ବପର୍ବାଣିର ରାଜ୍ୟ ଓଡିଶା । ଏଠାରେ ବାରମାସରେ ତେର ପର୍ବ ପାଳନ କରାଯାଏ । ଏଠି ପର୍ବ ପାଳନର ଆରାଧ୍ୟ ଦେବତା ମହାପ୍ରଭୁ ଜଗନ୍ନାଥ । ଏହି ପର୍ବମାନଙ୍କ ମଧ୍ୟରୁ ରଥଯାତ୍ରା ସ୍ୱତନ୍ତ୍ର । ରଥଯାତ୍ରା କେବଳ ଏକ ଉସିବ ନୁହେଁ ବରଂ ଅନନ୍ୟ ପରମ୍ପରା । ମହାପ୍ରଭୁଙ୍କ ଏହି ମହାଯାତ୍ରା ସବୁବେଳେ ଆକୃଷ୍ଟ କରିଛି ବିଶ୍ୱବାସୀଙ୍କୁ । ପ୍ରତି ବର୍ଷ ଆଷାଢ ଶୁକ୍ଳପକ୍ଷ ଦ୍ୱିତୀୟା ତିଥିରେ ଅନୁଷ୍ଠିତ ହୁଏ ଏହି ଘୋଷଯାତ୍ରା । କାଳିଆ ସାଆନ୍ତଙ୍କୁ ଆଖିପୂରାଇ ଦେଖିବା ପାଇଁ ସାରା ବିଶ୍ୱରୁ ଭକ୍ତ ଛୁଟି ଆସନ୍ତି ନୀଳାଚଳକୁ ।
ଏଠାରେ ସୂଚନାଯୋଗ୍ୟ ଯେ, ବଡ ଠାକୁର ବିଶ୍ୱର ଏକମାତ୍ର ଦେବତା ଯିଏ ବରଷକେ ଥରେ ରତ୍ନବେଦୀ ଓହ୍ଲାଇଆସନ୍ତି ବଡଦାଣ୍ଡକୁ । ଭକ୍ତ ଓ ଭଗବାନ ଏକ ହୋଇଯାଆନ୍ତି । ଛୁଆଁ ଅଛୁଆଁ, ଜାତି ଅଜାତି, ବଡ ସାନର ଏଠି ସ୍ଥାନ ନଥାଏ । ଭାବ ବିନୋଦିଆ ଠାକୁର ସିଏ । ଭାବରେ ବନ୍ଧା ସିଏ । ତା’ ଭକ୍ତକୁ ସିଏ କେବେ ନିରାଶ କରେନାହିଁ । ସେଥିପାଇଁ କେତେବେଳେ ଯବନ ସାଲବେଗକୁ ଅପେକ୍ଷାକରି ରଥକୁ ବଡଦାଣ୍ଡରେ ଅଟକାଇ ଦେଇଛନ୍ତି ତ ପୁଣି କେତେବେଳେ ବଳରାମ ଦାସଙ୍କ ବାଲିରଥରେ ବସିଛନ୍ତି । ଆଉ କେତେବେଳେ ଦାସିଆ ପଠାଇଥିବା ନଡିଆକୁ ହସି ହସି ସାଦରେ ଗ୍ରହଣ କରିନେଇଛନ୍ତି । ଭକ୍ତ ପାଖରେ ସେ ନିଜକୁ ବିକି ଦେଇଛନ୍ତି ଅନେକ ଥର । ମର୍ତ୍ତ୍ୟମଣ୍ଡଳରେ ନିଆରା ଠାକୁର ସିଏ ।
କରୋନା ସଙ୍କଟ ସମୟରେ ରଥଯାତ୍ରା ବନ୍ଦହେବା ନିଷ୍ପତି ଚୂଡାନ୍ତ ହୋଇଥିଲେ ମଧ୍ୟ ପ୍ରଭୁଙ୍କ ଅଲୌକିକ ଲୀଳା ଦେଖିଥିଲା ସାରା ବିଶ୍ୱ ।ରଥଯାତ୍ରାର ଇତିହାସକୁ ଦେଖିଲେ ଜଣାଯାଏ ଯେ, ରଥଯାତ୍ରା ବନ୍ଦ ହେବା କିଛି ନୂଆ କଥା ନୁହେଁ । ଯୁଦ୍ଧ ଓ ବାହ୍ୟଶତ୍ରୁ ଆକ୍ରମଣ ଏହାର ପ୍ରଧାନ କାରଣ ଥିଲା । ୧୫୬୮ରୁ ୧୫୭୭ ଖ୍ରୀଷ୍ଟାବ୍ଦ ଯାଏ ବନ୍ଦ ଥିଲା ରଥଯାତ୍ରା । କଳାପାହାଡ ଆକ୍ରମଣ ପାଇଁ ଚିଲିକା ନିକଟରେ ପାତାଳୀ ହୋଇଥିଲେ ଶ୍ରୀଜିଉ । ସେହିପରି ୧୬୦୧ ଖ୍ରୀଷ୍ଟାଦ୍ଦରେ ମଧ୍ୟ ଘୋଷଯାତ୍ରା ବନ୍ଦ ହୋଇଥିଲା ।
ସେହି ସମୟରେ ମିର୍ଜା ଖୁରମ ଶ୍ରୀମନ୍ଦିର ଉପରେ ଆକ୍ରମଣ କରିଥିଲେ । ୧୬୧୧ ଖ୍ରୀଷ୍ଟାଦ୍ଦରେ ହୋଇପାରିନଥିଲା ରଥଯାତ୍ରା । କଲ୍ୟାଣ ମଲ୍ଲ ଶ୍ରୀମନ୍ଦିର ଉପରେ ଆକ୍ରମଣ କରିବାରୁ ସେହି ସମୟରେ ବିଗ୍ରହମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିଲା । ୧୬୨୧ ଖ୍ରୀଷ୍ଟବ୍ଦରେ ସୁବେଦାର ବେଗ୍ ଶ୍ରୀମନ୍ଦିର ଉପରେ ଆକ୍ରମଣ କରିଥିଲେ । ସେହି ସମୟରେ ଦୁଇ ବର୍ଷ ଧରି ରଥଯାତ୍ରା ହୋଇପାରିନଥିଲା । ୧୬୯୨ ଖ୍ରୀଷ୍ଟାବ୍ଦରେ ସୁବେଦାର ଏକ୍ରାମ ଖାଁ ଶ୍ରୀମନ୍ଦିର ଉପରେ ଆକ୍ରମଣ କରିଥିଲେ । ଫଳରେ ୧୬୯୨ରୁ ୧୭୦୭ ଯାଏ ୧୫ବର୍ଷ ଧରି ଠାକୁର ଶ୍ରୀମନ୍ଦିର ବାହାରେ ଅବସ୍ଥାନ କରିଥିଲେ । ଏହି ୧୫ ବର୍ଷରୁ ୧୩ ବର୍ଷ ରଥଯାତ୍ରା ହୋଇପାରିନଥିଲା । ସେହିପରି ୧୭୭୧ ଖ୍ରୀଷ୍ଟାଦ୍ଦରେ ମହମ୍ମଦ ତକି ଖାଁ ଶ୍ରୀମନ୍ଦିର ଉପରେ ଆକ୍ରମଣ କରିଥିଲା । ଏହି ସମୟ ମଧ୍ୟରେ ଠାକୁର ୧୬୪ ବର୍ଷଧରି ଶ୍ରୀମନ୍ଦିର ବାହାରେ ରହିଥିଲେ । ଏହି ସମୟରେ ୧୫୫ ବର୍ଷ ମଧ୍ୟରେ ରଥଯାତ୍ରା ହୋଇ ପାରିନଥିଲା । କେବଳ ୯ଥର ପ୍ରଭୁଙ୍କ ରଥଯାତ୍ରା ବାହାରେ ଆୟୋଜନ ହୋଇଥିଲା । ଏହିପରି ଭାବେ ୪୫୨ ବର୍ଷରେ ୩୨ଥର ପାଇଁ ରଥଯାତ୍ରା ହୋଇପାରିନଥିଲା । ଏସବୁ ଘଟଣା ମାଦଳା ପାଞ୍ଜି ଓ ଚକଡାପୋଥିରେ ଉଲ୍ଲେଖ ହୋଇ ରହିଛି ।




