ଘିମିରିରୁ ମୁକ୍ତି
ଗ୍ରୀଷ୍ମ ଋତୁରେ ଅତ୍ୟଧିକ ଗରମ ଏବଂ ଝାଳ କାରଣରୁ ଚର୍ମ କୁଣ୍ଡେଇ ହେବା, ଲାଲ ପଡିବା ବା ରାସେସ୍ ହେବା ଦେଖାବାକୁ ମିଳିଥାଏ । ଯାହାକୁ ସାଧାରଣତଃ ‘ହିଟ୍ ରାଶ୍’ ବା ଘିମିରି କୁହାଯାଏ । ଚର୍ମରେ ଥିବା ସ୍ୱେଟ୍ ଡକ୍ଟସ୍ ବା ଝାଳ ଗ୍ରନ୍ଥି ବନ୍ଦ ହୋଇଯିବା ଫଳରେ ଝାଳ ବାହାରକୁ ନଆସି ଚର୍ମ ଭିତରେ ଜମା ହୋଇ ରହେ । ଯାହା ଫଳରେ ଏହି ସମସ୍ୟା ସୃଷ୍ଟି ହୁଏ। ଏହାର ମୁଖ୍ୟ ଲକ୍ଷଣ ହେଉଛି ଚର୍ମରେ ଛୋଟ ଛୋଟ ଲାଲ୍ ଦାନା ହେବା ଏବଂ ତାବା କୁଣ୍ଡେଇ ହେବା ସହ ପୋଡାଜଳା ଅନୁଭବ ହୋଇଥାଏ । ସାଧାରଣତଃ ଏହା ୨-୩ ଦିନରେ ଠିକ୍ ହୋଇଯାଏ, କିନ୍ତୁ ଯଦି ୩-୪ ଦିନରୁ ଅଧିକ ସମୟ ରହେ କିମ୍ବା ଜ୍ୱର ଓ ପୂଜ ଭଳି ସମସ୍ୟା ଦେଖାଦିଏ, ତେବେ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ। ଢିଲା ସୂତା କପଡ଼ା ପିନ୍ଧିବା ଏବଂ ପର୍ଯ୍ୟାପ୍ତ ପାଣି ପିଇବା ଦ୍ୱାରା ଏଥିରୁ ରକ୍ଷା ମିଳିପାରିବ। ସେହିଭଳି ଖରାଦିନେ ସଫା ସୁତରା ରହିବାର ଆବଶ୍ୟକତା ଖୁବ ଅଧିକ ରହିଛି । ତେବେ ଘରେ ମଧ୍ୟ କିଛି ଘରୋଇ ଉପଚାର ଆପଣାଇ ପାରିବେ କିନ୍ତୁ ଏହା ସମସ୍ତଙ୍କ ପାଇଁ କାମ ଦେବ ତାହାର କୌଣସି ପ୍ରମାଣ ନାହିଁ । ଅଧିକ ସମସ୍ୟା ଥିଲେ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍ ।
_ କୁଣ୍ଡାଇ ହେଉଥିବା କିମ୍ବା ଘିମିରି ହୋଇଥିବା ସ୍ଥାନରେ ୫ ରୁ ୧୦ ମିନିଟ୍ ପର୍ଯ୍ୟନ୍ତ ଥଣ୍ଡା ପାଣିରେ ଭିଜାଯାଇଥିବା କପଡ଼ା ବା ବରଫକୁ କପଡ଼ାରେ ଗୁଡ଼ାଇ ଲଗାଇଲେ କୁଣ୍ଡେଇ ଓ ଫୁଲା କମ୍ ହୋଇଥାଏ।
_ ଘି କୁଆଁରୀ : ଘି କୁଆଁରୀ ଜେଲ୍ ଲଗାଇବା ଦ୍ୱାରା ଚର୍ମକୁ ଥଣ୍ଡକ ମିଳିଥାଏ ଏବଂ ଜଳାପୋଡ଼ା କମ୍ ହୁଏ।
_ ଚନ୍ଦନ ପାଉଡରର ପେଷ୍ଟ କିମ୍ବା ଘରେ ନିଜେ ଚନ୍ଦନ ଘୋରି ଲଗାଇବା ଦ୍ୱାରା ଜଳାପୋଡ଼ା ଏବଂ ଲାଲ ଅଂଶ କମିଥାଏ । ଆରାମ ମିଳିଥାଏ ।
_ ନିମ୍ବ ପତ୍ରର ପେଷ୍ଟ ବା ତେଲ ବ୍ୟବହାର କଲେ ଏହାର ଆଣ୍ଟିବ୍ୟାକ୍ଟେରିଆଲ୍ ଗୁଣ ଚର୍ମକୁ ଆରାମ ଦେଇଥାଏ। କୁଣ୍ଡାଇ ହେବା ବା ଅନ୍ୟ କୌଣସି ଚର୍ମ ସଂକ୍ରମଣ ପାଇଁ ଏହା ଖୁବ ଲାଭ ଦାୟକ ହୋଇଥାଏ ।



