ଗାଲାକ୍ସି ସହର
'ଦି ଆଷ୍ଟ୍ରୋଫିଜିକାଲ୍ ଜର୍ଣ୍ଣାଲ୍ ଲେଟର୍ସ' ରେ ପ୍ରକାଶିତ ଏକ ଆନ୍ତର୍ଜାତୀୟ ଜ୍ୟୋତିର୍ବିଜ୍ଞାନ ଅଧ୍ୟୟନ ଅନୁଯାୟୀ, ଜଣେ ଭାରତୀୟ ବୈଜ୍ଞାନିକଙ୍କ ନେତୃତ୍ୱରେ ପ୍ରାଥମିକ ବ୍ରହ୍ମାଣ୍ଡରେ ଯୁବ ଗାଲାକ୍ସିଗୁଡ଼ିକର ଏକ ବିଶାଳ ସଂରଚନା ଆବିଷ୍କାର କରାଯାଇଛି । ଯାହାକୁ ବୈଜ୍ଞାନିକମାନେ ମାଧ୍ୟାକର୍ଷଣ ବଳ ଦ୍ୱାରା ଗଢ଼ିଉଠୁଥିବା ଏକ "ଗାଲାକ୍ସିର ସହର" ବୋଲି ବର୍ଣ୍ଣନା କରିଛନ୍ତି । ଏହି ପ୍ରାଚୀନ ସଂରଚନାଟି ପ୍ରାୟ ୧୨.୬ ବିଲିୟନ ବର୍ଷ ପୂର୍ବର, ଯେତେବେଳେ ବ୍ରହ୍ମାଣ୍ଡକୁ ମାତ୍ର ୧.୨ ବିଲିୟନ ବର୍ଷ ହୋଇଥିଲା । ମଣିପୁରର ଥୌବାଲ୍ ଜିଲ୍ଲାର ଖାଙ୍ଗାବୋକର ବାସିନ୍ଦା ତଥା ବର୍ତ୍ତମାନ ଜାପାନର ନ୍ୟାସନାଲ୍ ଏଷ୍ଟ୍ରୋନୋମିକାଲ୍ ଅବଜରଭେଟୋରୀରେ ଗବେଷକ ଥିବା ଆଷ୍ଟ୍ରୋଫିଜିସିଷ୍ଟ ଡକ୍ଟର ରୋନାଲ୍ଡୋ ଲାଇଶ୍ରାମଙ୍କ ନେତୃତ୍ୱରେ ଏହି ଆବିଷ୍କାର ହୋଇଛି । ମଣିପୁରର ପରିଚୟ ସହ ଜଡ଼ିତ ପ୍ରସିଦ୍ଧ 'ଲୋକଟକ ହ୍ରଦ'ର ଭାସମାନ ଦ୍ୱୀପ ଗୁଡ଼ିକ ଯେଭଳି ଗୋଟିଏ ଜଳଭାଗ ସହ ପରସ୍ପର ସଂଯୁକ୍ତ, ଠିକ୍ ସେହିପରି ଏହି ନୂତନ ମହାକାଶ ସଂରଚନାରେ ଚାରୋଟି ଭିନ୍ନ ଗାଲାକ୍ସି ସମୂହ ପରସ୍ପର ସହ ଜଡ଼ିତ ହୋଇ ରହିଥିବାରୁ ଏହାର ନାମ 'ଲୋକଟକ ପ୍ରୋଟୋକ୍ଲଷ୍ଟର' ରଖାଯାଇଛି । ସୁବାରୁ ଟେଲିସ୍କୋପ୍ ଏବଂ ଜେମ୍ସ ୱେବ୍ ସ୍ପେସ୍ ଟେଲିସ୍କୋପର ତଥ୍ୟକୁ ବ୍ୟବହାର କରି କରାଯାଇଥିବା ଏହି ଗବେଷଣାରୁ ଜଣାପଡ଼ିଛି ଯେ, ଗୋଟିଏ ଗାଲାକ୍ସିର ଅବସ୍ଥିତି ତା’ର ବିକାଶକୁ ପ୍ରଭାବିତ କରିଥାଏ । ତେବେ ଭାରତୀୟ ବୈଜ୍ଞାନିକଙ୍କର ଏହି ଆବିଷ୍କାର ଅନେକ ଛାତ୍ରଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛି ।



