ଫ୍ରୋଜନ ମଟର
ଫ୍ରୋଜନ ମଟର ଆଜିକାଲି ପ୍ରାୟ ସବୁ ରୋଷେଇ ଘରେ ବ୍ୟବହୃତ ହେଉଛି । ଏହାର ଉଭୟ ଭଲ ଏବଂ ମନ୍ଦ ଦିଗ ରହିଛି। ଏହାକୁ ଖାଇବା ଆଗରୁ ଅନେକ ଦ୍ବନ୍ଦ୍ବ ମଧ୍ୟ ଦେଖିବାକୁ ମିଳିଥାଏ । ଏହା ଆମ ସ୍ବାସ୍ଥ୍ୟପାଇଁ ଭଲ କି ମନ୍ଦ ତାକୁ ନେଇ ଅନେକ ଚର୍ଚ୍ଚା ହୋଇଥାଏ । ତେବେ ଆସନ୍ତୁ ଏସମ୍ପର୍କିତ କିଛି ଦିଗପ୍ରତି ଧ୍ୟାନ ଦେବା ।
ଖାଇବାର ଭଲ ଦିଗ
ମଟର ଅମଳ ହେବାର କିଛି ଘଣ୍ଟା ମଧ୍ୟରେ ଏହାକୁ ଫ୍ରିଜ୍ କରାଯାଏ, ଯାହା ଫଳରେ ଏଥିରେ ଥିବା ଭିଟାମିନ୍ ସି ଏବଂ ଅନ୍ୟାନ୍ୟ ଆଣ୍ଟିଅକ୍ସିଡାଣ୍ଟ ଗୁଣ ସତେଜ ମଟର ଭଳି ବଜାୟ ରହେ । ସେହିଭଳି ସତେଜ ମଟର ଭଳି ଏହାକୁ ଛଡ଼ାଇବାର କଷ୍ଟ କରିବାକୁ ପଡ଼େ ନାହିଁ। ଏହାକୁ ସିଧାସଳଖ ପ୍ୟାକେଟରୁ ବାହାର କରି ରୋଷେଇରେ ବ୍ୟବହାର କରାଯାଇପାରେ। ଏହାର ଆଉ ଏକ ସୁବିଧା ହେଲା ସବୁ ସମୟରେ ଉପଲବ୍ଧ । ସତେଜ ମଟର କେବଳ ଶୀତଦିନେ ମିଳୁଥିବା ବେଳେ ଫ୍ରୋଜନ୍ ମଟର ବର୍ଷସାରା ବଜାରରେ ମିଳିଥାଏ । ଏଥିରେ ମଧ୍ୟ ଫାଇବର ଏବଂ ପ୍ରୋଟିନ୍ ରହିଥାଏ । ଏଥିରେ ପ୍ରଚୁର ପରିମାଣର ଫାଇବର ରହିଥାଏ ଯାହା ହଜମ ପ୍ରକ୍ରିୟାରେ ସାହାଯ୍ୟ କରେ ଏବଂ ପେଟକୁ ଅଧିକ ସମୟ ଯାଏଁ ଭର୍ତ୍ତି ରଖେ ।
ଖାଇବାର ମନ୍ଦ ଦିଗ
ଏହି ମଟର ଖାଇବାର ଭଲ ଦିଗ ସହିତ ମନ୍ଦଦିଗ ମଧ୍ୟ ରହିଛି । ତେଣୁ ଏହାକୁ ବ୍ୟବହାର ପୂର୍ବରୁ ସତର୍କତା ଅବଲମ୍ବନ କରନ୍ତୁ । ଏହି ମଟରଗୁଡିକରେ ସୋଡିୟମ୍ ଏବଂ ପ୍ରିଜରଭେଟିଭ୍ ଅଧିକ ରହିଥାଏ । ଅନେକ କମ୍ପାନୀ ମଟରକୁ ଦୀର୍ଘ ଦିନ ସାଇତି ରଖିବା ପାଇଁ ସେଥିରେ ଅଧିକ ପ୍ରିଜରଭେଟିଭ୍ ବ୍ୟବହାର କରନ୍ତି, ଯାହା ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ପାଇଁ ଦାୟୀ ହୋଇପାରେ । କିଛି ଶସ୍ତା ବ୍ରାଣ୍ଡର ମଟରରେ କୃତ୍ରିମ ରଙ୍ଗ ଦିଆଯାଇଥାଏ, ଯାହା ଶରୀର ପାଇଁ କ୍ଷତିକାରକ। ସତେଜ ମଟର ତୁଳନାରେ ଏହାର ସ୍ୱାଦ ସାମାନ୍ୟ ଅଲଗା ହୋଇପାରେ, ତେଣୁ କିଣିବା ସମୟରେ ସତର୍କତା ଅବଲମ୍ବନ କରନ୍ତୁ । ଫ୍ରୋଜନ୍ ମଟର ସାଧାରଣତଃ ଅଧିକ ପାକଳ ମଟରରୁ ପ୍ରସ୍ତୁତ ହୁଏ, ଯେଉଁଥିରେ ଚିନି ଅପେକ୍ଷା ଷ୍ଟାର୍ଚ ଅଧିକ ଥାଏ। ଏହା ରକ୍ତରେ ସୁଗାର ସ୍ତରକୁ ପ୍ରଭାବିତ କରିପାରେ। ଆଉ ଏକ ସମସ୍ୟା ହେଲା ଏହା ଗ୍ୟାସ୍ ସମସ୍ୟାକୁ ବଢାଇପାରେ । ଅଧିକ ପରିମାଣର ଫ୍ରୋଜନ୍ ମଟର ଖାଇବା ଦ୍ୱାରା କିଛି ଲୋକଙ୍କ କ୍ଷେତ୍ରରେ ପେଟ ଫାମ୍ପିବା ବା ଗ୍ୟାସ୍ ସମସ୍ୟା ଦେଖାଦେଇଥାଏ । ତେଣୁ ଏହାକୁ ବ୍ୟବହାର ସମୟରେ ଏହାର ମାତ୍ରା ଉପରେ ଧ୍ୟାନ ଦିଅନ୍ତୁ । ସେହିଭଳି ଏହି ଫ୍ରୋଜନ୍ ମଟର ବ୍ୟବହାର କରିବା ପୂର୍ବରୁ ଏହାକୁ ଭଲଭାବେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ, ଯାହା ଦ୍ୱାରା ଏଥିରେ ଥିବା ଅଧିକାଂଶ ସୋଡିୟମ୍ ବାହାରି ଯିବ। ସର୍ବଦା ପ୍ୟାକେଟ କିଣିବା ବେଳେ ଭଲ ବ୍ରାଣ୍ଡର କିଣନ୍ତୁ । ଯଦି ଆପଣଙ୍କର କୌଣସି ସ୍ବାସ୍ଥ୍ୟ ସମସ୍ୟା ଅଛି ତେବେ ଡାକ୍ତରଙ୍କ ପରାମର୍ଶରେ ଏହାକୁ ଗ୍ରହଣ କରନ୍ତୁ ।
Related Posts



