ବସ୍ତିରୁ ବିଶ୍ବ

ବସ୍ତିରୁ ବିଶ୍ବ
Ipsita Picture
By: Ipsita
Published On

 

ବେଳେବେଳେ ଏଭଳି ଅନେକ ଘଟଣା ଘଟିଥାଏ ଯାହା ଜୀବନର ମୋଡ ବଦଳାଇଦିଏ ଏବଂ ଜୀବନର ଲକ୍ଷ ବଦଳାଇଦେଇଥାଏ । ସେହିଭଳି ଏକ ପ୍ରଶ୍ନ ମୁମ୍ବାଇର ରୁବଲ ନାଗିଙ୍କ ଜୀବନ ବଦଳାଇ ଦେଇଥିଲା । ତାଙ୍କର କିଛି ପଦକ୍ଷେପ ଅନେକ ଛୋଟ ପିଲାଙ୍କ ଭବିଷ୍ୟତକୁ ଚମକାଇବାରେ ସହାୟକ ହୋଇଥିଲା ।

 

ବସ୍ତିର ଜଣେ କୁନି ପିଲାଙ୍କ ଏହି ସରଳ ପ୍ରଶ୍ନ ରୁବଲ୍ ନାଗିଙ୍କ ଜୀବନର ମୋଡ଼ ବଦଳାଇ ଦେଇଥିଲା । ଯେତେବେଳେ ରୁବଲ୍ ସେହି ପିଲାଟି ହାତକୁ ଏକ ପେନ୍ସିଲ୍ ବଢ଼ାଇ ଦେଲେ, ପିଲାଟି ତାକୁ ଚିହ୍ନିପାରି ନଥିଲା । ଏହି ଘଟଣା ରୁବଲ୍ଙ୍କୁ ସ୍ତବ୍ଧ କରିଦେବା ସହ ଏକ ସଂକଳ୍ପ ନେବାକୁ ବାଧ୍ୟ କରିଥିଲା , ଦୁନିଆର ପ୍ରତିଟି ପିଲା ଯେମିତି ପେନ୍ସିଲ୍ କଣ ଜାଣିବେ ଏବଂ ସ୍କୁଲ୍ ଯିବେ, ତାହାହିଁ ତାଙ୍କ  ଜୀବନର ଲକ୍ଷ୍ୟ ପାଲଟିଥିଲା । ଆଜି ସେହି ସ୍ୱପ୍ନ ସାକାର ହୋଇଛି ଏବଂ ତାଙ୍କ ପରିଶ୍ରମର ଫଳ ତାଙ୍କୁ ମିଳିଛି । ୧୩୯ଟି ଦେଶର ୫,୦୦୦ ଆବେଦନକାରୀଙ୍କୁ ପଛରେ ପକାଇ ରୁବଲ୍ ନାଗି ଜିତିଛନ୍ତି ୧୦ ଲକ୍ଷ ଡଲାର ବା  ୮.୩ କୋଟି ଟଙ୍କା ମୂଲ୍ୟର ସମ୍ମାନଜନକ ଗେମ୍ସ ଏଜୁକେସନ ଗ୍ଲୋବାଲ ଟିଚର ପ୍ରାଇଜ୍ । ୟୁନେସ୍କୋ ସହଯୋଗରେ ଭାର୍କି ଫାଉଣ୍ଡେସନ ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯାଇଛି ।

ବସ୍ତିର କାନ୍ଥ ଏବେ ଜୀବନ୍ତ ପାଠ୍ୟପୁସ୍ତକ

ରୁବଲ୍ଙ୍କ କାର୍ଯ୍ୟ କରିବାର ଶୈଳୀ ଅତି ନିଆରା। ସେ ମୁମ୍ବାଇର ଅବହେଳିତ ବସ୍ତିଗୁଡ଼ିକୁ କେବଳ ରଙ୍ଗେଇ ନାହାନ୍ତି, ବରଂ ସେଗୁଡ଼ିକୁ ଶିକ୍ଷାର ଏକ ମାଧ୍ୟମରେ ପରିଣତ କରିଛନ୍ତି । ମୁମ୍ବାଇର କୋଲାବା ସ୍ଥିତ ଧୋବି ଘାଟବସ୍ତିରେ  ଘରର କାନ୍ଥଗୁଡ଼ିକରେ ଗୁଣନ ପଣିକିଆ, ବ୍ୟାକରଣ ନିୟମ, ଭାରତର ମାନଚିତ୍ର ଏବଂ ବିଜ୍ଞାନର ବିଭିନ୍ନ ଚିତ୍ର ଅଙ୍କାଯାଇଛି । ରୁବଲ୍ ଏହାକୁ ଲିଭିଂ ଟେକ୍ସଟବୁକ୍ବା ଜୀବନ୍ତ ପାଠ୍ୟପୁସ୍ତକ ବୋଲି କହନ୍ତି ।

କଳା ମାଧ୍ୟମରେ ଶିକ୍ଷା ଓ ସଂସ୍କାର

୨୦୧୧ ମସିହାରୁ ରୁବଲ୍ ନାଗି ଆର୍ଟ ଫାଉଣ୍ଡେସନ ମାଧ୍ୟମରେ ଭାରତର ବିଭିନ୍ନ ସ୍ଥାନରେ ୮୦୦ରୁ ଅଧିକ ଶିକ୍ଷା କେନ୍ଦ୍ର ସ୍ଥାପନ କରାଯାଇଛି । ଏଠାରେ ପିଲାମାନଙ୍କୁ କେବଳ ପାଠ ପଢ଼ାଯାଏ ନାହିଁ, ବରଂ କଳା, ଗପ ଏବଂ ମୂରାଲ୍ ମାଧ୍ୟମରେ ସ୍ୱଚ୍ଛତା, ଆତ୍ମରକ୍ଷା ଏବଂ ନୈତିକ ଶିକ୍ଷା ପ୍ରଦାନ କରାଯାଏ । ତାଙ୍କର ପ୍ରମୁଖ ଅଭିଯାନ ମିଶାଲ ଇଣ୍ଡିଆଜରିଆରେ ଏପର୍ଯ୍ୟନ୍ତ ୧,୫୦,୦୦୦ରୁ ଅଧିକ ଘରର ମରାମତି ଓ ରଙ୍ଗ କାର୍ଯ୍ୟ କରାଯାଇଛି ।

ପରିବର୍ତ୍ତନର ସଫଳ ଚିତ୍ର

ଫାଉଣ୍ଡେସନର ତଥ୍ୟ ଅନୁଯାୟୀ, ଏହି ପ୍ରୟାସ ପରେ ସ୍କୁଲ୍ ଛାଡ଼ୁଥିବା ପିଲାଙ୍କ ସଂଖ୍ୟା ଭାରତରେ ପ୍ରାୟ ୫୦ ପ୍ରତିଶତ ହ୍ରାସ ପାଇଛି । ଏହି ବସ୍ତିରୁ ବାହାରିଥିବା ଅନେକ ପିଲା ଆଜି ଫାଇନ୍ ଆର୍ଟସରେ ଡିଗ୍ରୀ ହାସଲ କରିବା ସହ ସିଭିଲ୍ ସର୍ଭିସ ଏବଂ ଭାରତୀୟ ସେନାରେ ଅଫିସର ହେବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି ।

ଆଗାମୀ ଯୋଜନା

ପୁରସ୍କାର ବାବଦରେ ମିଳିଥିବା ୧୦ ଲକ୍ଷ ଡଲାରକୁ ରୁବଲ୍ ଏକ ସ୍ୱତନ୍ତ୍ର ସ୍କିଲିଂ ଇନଷ୍ଟିଚ୍ୟୁଟ୍ନିର୍ମାଣରେ ବ୍ୟବହାର କରିବାକୁ ଚାହୁଁଛନ୍ତି । ଏଠାରେ ଅବହେଳିତ ଶ୍ରେଣୀର ପିଲା ଓ ଯୁବପିଢ଼ିଙ୍କୁ ମାଗଣାରେ ବୈଷୟିକ ଶିକ୍ଷା ଓ ଡିଜିଟାଲ୍ ସାକ୍ଷରତା ପ୍ରଦାନ କରାଯିବ, ଯାହା ସେମାନଙ୍କୁ ଆତ୍ମନିର୍ଭରଶୀଳ କରିବାରେ ସାହାଯ୍ୟ କରିବ ।

Tags: