ବସ୍ତିରୁ ବିଶ୍ବ

ବସ୍ତିରୁ ବିଶ୍ବ
Ipsita Picture
By: Ipsita
Published On

 

ବେଳେବେଳେ ଏଭଳି ଅନେକ ଘଟଣା ଘଟିଥାଏ ଯାହା ଜୀବନର ମୋଡ ବଦଳାଇଦିଏ ଏବଂ ଜୀବନର ଲକ୍ଷ ବଦଳାଇଦେଇଥାଏ । ସେହିଭଳି ଏକ ପ୍ରଶ୍ନ ମୁମ୍ବାଇର ରୁବଲ ନାଗିଙ୍କ ଜୀବନ ବଦଳାଇ ଦେଇଥିଲା । ତାଙ୍କର କିଛି ପଦକ୍ଷେପ ଅନେକ ଛୋଟ ପିଲାଙ୍କ ଭବିଷ୍ୟତକୁ ଚମକାଇବାରେ ସହାୟକ ହୋଇଥିଲା ।

 

ବସ୍ତିର ଜଣେ କୁନି ପିଲାଙ୍କ ଏହି ସରଳ ପ୍ରଶ୍ନ ରୁବଲ୍ ନାଗିଙ୍କ ଜୀବନର ମୋଡ଼ ବଦଳାଇ ଦେଇଥିଲା । ଯେତେବେଳେ ରୁବଲ୍ ସେହି ପିଲାଟି ହାତକୁ ଏକ ପେନ୍‌ସିଲ୍ ବଢ଼ାଇ ଦେଲେ, ପିଲାଟି ତାକୁ ଚିହ୍ନିପାରି ନଥିଲା । ଏହି ଘଟଣା ରୁବଲ୍‌ଙ୍କୁ ସ୍ତବ୍ଧ କରିଦେବା ସହ ଏକ ସଂକଳ୍ପ ନେବାକୁ ବାଧ୍ୟ କରିଥିଲା , ଦୁନିଆର ପ୍ରତିଟି ପିଲା ଯେମିତି ପେନ୍‌ସିଲ୍ କ’ଣ ଜାଣିବେ ଏବଂ ସ୍କୁଲ୍ ଯିବେ, ତାହାହିଁ ତାଙ୍କ  ଜୀବନର ଲକ୍ଷ୍ୟ ପାଲଟିଥିଲା । ଆଜି ସେହି ସ୍ୱପ୍ନ ସାକାର ହୋଇଛି ଏବଂ ତାଙ୍କ ପରିଶ୍ରମର ଫଳ ତାଙ୍କୁ ମିଳିଛି । ୧୩୯ଟି ଦେଶର ୫,୦୦୦ ଆବେଦନକାରୀଙ୍କୁ ପଛରେ ପକାଇ ରୁବଲ୍ ନାଗି ଜିତିଛନ୍ତି ୧୦ ଲକ୍ଷ ଡଲାର ବା  ୮.୩ କୋଟି ଟଙ୍କା ମୂଲ୍ୟର ସମ୍ମାନଜନକ ‘ଗେମ୍ସ ଏଜୁକେସନ ଗ୍ଲୋବାଲ ଟିଚର ପ୍ରାଇଜ୍ ’। ୟୁନେସ୍କୋ ସହଯୋଗରେ ଭାର୍କି ଫାଉଣ୍ଡେସନ ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯାଇଛି ।

ବସ୍ତିର କାନ୍ଥ ଏବେ ‘ଜୀବନ୍ତ ପାଠ୍ୟପୁସ୍ତକ’

ରୁବଲ୍‌ଙ୍କ କାର୍ଯ୍ୟ କରିବାର ଶୈଳୀ ଅତି ନିଆରା। ସେ ମୁମ୍ବାଇର ଅବହେଳିତ ବସ୍ତିଗୁଡ଼ିକୁ କେବଳ ରଙ୍ଗେଇ ନାହାନ୍ତି, ବରଂ ସେଗୁଡ଼ିକୁ ଶିକ୍ଷାର ଏକ ମାଧ୍ୟମରେ ପରିଣତ କରିଛନ୍ତି । ମୁମ୍ବାଇର କୋଲାବା ସ୍ଥିତ ‘ଧୋବି ଘାଟ’ ବସ୍ତିରେ  ଘରର କାନ୍ଥଗୁଡ଼ିକରେ ଗୁଣନ ପଣିକିଆ, ବ୍ୟାକରଣ ନିୟମ, ଭାରତର ମାନଚିତ୍ର ଏବଂ ବିଜ୍ଞାନର ବିଭିନ୍ନ ଚିତ୍ର ଅଙ୍କାଯାଇଛି । ରୁବଲ୍ ଏହାକୁ ‘ଲିଭିଂ ଟେକ୍ସଟବୁକ୍’ ବା ଜୀବନ୍ତ ପାଠ୍ୟପୁସ୍ତକ ବୋଲି କହନ୍ତି ।

କଳା ମାଧ୍ୟମରେ ଶିକ୍ଷା ଓ ସଂସ୍କାର

୨୦୧୧ ମସିହାରୁ ରୁବଲ୍ ନାଗି ଆର୍ଟ ଫାଉଣ୍ଡେସନ ମାଧ୍ୟମରେ ଭାରତର ବିଭିନ୍ନ ସ୍ଥାନରେ ୮୦୦ରୁ ଅଧିକ ଶିକ୍ଷା କେନ୍ଦ୍ର ସ୍ଥାପନ କରାଯାଇଛି । ଏଠାରେ ପିଲାମାନଙ୍କୁ କେବଳ ପାଠ ପଢ଼ାଯାଏ ନାହିଁ, ବରଂ କଳା, ଗପ ଏବଂ ମୂରାଲ୍ ମାଧ୍ୟମରେ ସ୍ୱଚ୍ଛତା, ଆତ୍ମରକ୍ଷା ଏବଂ ନୈତିକ ଶିକ୍ଷା ପ୍ରଦାନ କରାଯାଏ । ତାଙ୍କର ପ୍ରମୁଖ ଅଭିଯାନ ‘ମିଶାଲ ଇଣ୍ଡିଆ’ ଜରିଆରେ ଏପର୍ଯ୍ୟନ୍ତ ୧,୫୦,୦୦୦ରୁ ଅଧିକ ଘରର ମରାମତି ଓ ରଙ୍ଗ କାର୍ଯ୍ୟ କରାଯାଇଛି ।

ପରିବର୍ତ୍ତନର ସଫଳ ଚିତ୍ର

ଫାଉଣ୍ଡେସନର ତଥ୍ୟ ଅନୁଯାୟୀ, ଏହି ପ୍ରୟାସ ପରେ ସ୍କୁଲ୍ ଛାଡ଼ୁଥିବା ପିଲାଙ୍କ ସଂଖ୍ୟା ଭାରତରେ ପ୍ରାୟ ୫୦ ପ୍ରତିଶତ ହ୍ରାସ ପାଇଛି । ଏହି ବସ୍ତିରୁ ବାହାରିଥିବା ଅନେକ ପିଲା ଆଜି ଫାଇନ୍ ଆର୍ଟସରେ ଡିଗ୍ରୀ ହାସଲ କରିବା ସହ ସିଭିଲ୍ ସର୍ଭିସ ଏବଂ ଭାରତୀୟ ସେନାରେ ଅଫିସର ହେବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି ।

ଆଗାମୀ ଯୋଜନା

ପୁରସ୍କାର ବାବଦରେ ମିଳିଥିବା ୧୦ ଲକ୍ଷ ଡଲାରକୁ ରୁବଲ୍ ଏକ ସ୍ୱତନ୍ତ୍ର ‘ସ୍କିଲିଂ ଇନଷ୍ଟିଚ୍ୟୁଟ୍’ ନିର୍ମାଣରେ ବ୍ୟବହାର କରିବାକୁ ଚାହୁଁଛନ୍ତି । ଏଠାରେ ଅବହେଳିତ ଶ୍ରେଣୀର ପିଲା ଓ ଯୁବପିଢ଼ିଙ୍କୁ ମାଗଣାରେ ବୈଷୟିକ ଶିକ୍ଷା ଓ ଡିଜିଟାଲ୍ ସାକ୍ଷରତା ପ୍ରଦାନ କରାଯିବ, ଯାହା ସେମାନଙ୍କୁ ଆତ୍ମନିର୍ଭରଶୀଳ କରିବାରେ ସାହାଯ୍ୟ କରିବ ।

Tags: