ସ୍ୱତନ୍ତ୍ରତା ସଂଗ୍ରାମୀ ସଂଗ୍ରହାଳୟ
ସ୍ୱତନ୍ତ୍ରତା ସଂଗ୍ରାମ ସଂଗ୍ରହାଳୟରେ ଆପଣ ଆମ ଦେଶର ସ୍ୱାଧୀନତା ସଂଗ୍ରାମୀଙ୍କର ପୂର୍ଣ୍ଣ ଝଲକ ଫଟୋ ମାଧ୍ୟମରେ ପାଇପାରିବେ । ଦିଲ୍ଲୀରେ ଥିବା ଏହି ସଂଗ୍ରହାଳୟରେ ଚିତ୍ର, ଫଟୋ, ଅସ୍ତ୍ରଶସ୍ତ୍ର, ପ୍ରତିମୂର୍ତ୍ତି ମାଧ୍ୟମରେ ଆମ ଦେଶର ବୀର ସୁପୁତ୍ରମାନଙ୍କର ଗାଥାକୁ ବର୍ଣ୍ଣନା କରାଯାଇଛି । ଏଠାରେ ଆମ ଦେଶର ସ୍ୱାଧୀନତାର ସଂଘର୍ଷମୟ ଯାତ୍ରାକୁ ବର୍ଣ୍ଣନା କରାଯାଇଛି । ଲାଲ୍କିଲ୍ଲାରେ ଥିବା ଏହି ସଂଗ୍ରହାଳୟ ସଂପୂର୍ଣ୍ଣଭାବେ ଭାରତୀୟ ସ୍ୱାଧୀନତା ସେନାନୀଙ୍କୁ ଉତ୍ସର୍ଗୀକୃତ । ଏଠାରେ ଥିବା ସମସ୍ତ ସାମଗ୍ରୀ ସେମାନଙ୍କର […]
ସ୍ୱତନ୍ତ୍ରତା ସଂଗ୍ରାମ ସଂଗ୍ରହାଳୟରେ ଆପଣ ଆମ ଦେଶର ସ୍ୱାଧୀନତା ସଂଗ୍ରାମୀଙ୍କର ପୂର୍ଣ୍ଣ ଝଲକ ଫଟୋ ମାଧ୍ୟମରେ ପାଇପାରିବେ । ଦିଲ୍ଲୀରେ ଥିବା ଏହି ସଂଗ୍ରହାଳୟରେ ଚିତ୍ର, ଫଟୋ, ଅସ୍ତ୍ରଶସ୍ତ୍ର, ପ୍ରତିମୂର୍ତ୍ତି ମାଧ୍ୟମରେ ଆମ ଦେଶର ବୀର ସୁପୁତ୍ରମାନଙ୍କର ଗାଥାକୁ ବର୍ଣ୍ଣନା କରାଯାଇଛି । ଏଠାରେ ଆମ ଦେଶର ସ୍ୱାଧୀନତାର ସଂଘର୍ଷମୟ ଯାତ୍ରାକୁ ବର୍ଣ୍ଣନା କରାଯାଇଛି । ଲାଲ୍କିଲ୍ଲାରେ ଥିବା ଏହି ସଂଗ୍ରହାଳୟ ସଂପୂର୍ଣ୍ଣଭାବେ ଭାରତୀୟ ସ୍ୱାଧୀନତା ସେନାନୀଙ୍କୁ ଉତ୍ସର୍ଗୀକୃତ । ଏଠାରେ ଥିବା ସମସ୍ତ ସାମଗ୍ରୀ ସେମାନଙ୍କର ବୀର ଗାଥାକୁ ବଖାଣିଥାଏ । ଏହି ମୁ୍ୟଜିୟମଟି ପ୍ରତିଦିନ ସକାଳ ୯ଟାରୁ ଖୋଲି ସନ୍ଧ୍ୟା ୫ଟାରେ ବନ୍ଦ ହୋଇଥାଏ ।
ସ୍ୱତନ୍ତ୍ରତା ସେନାନୀ ମୁ୍ୟଜିୟମ ଦିଲ୍ଲୀ
ଏହାର ନାଁ ହିଁ ଏହାର ପରିଚୟ ଦେଇଥାଏ । ସ୍ୱତନ୍ତ୍ରତା ସେନାନୀ ମୁ୍ୟଜିୟମକୁ ବିଶେଷଭାବେ ଭାରତୀୟ ଆର୍ମି ହିରୋଙ୍କ ସ୍ମୃତ୍ତିରେ ନିର୍ମାଣ କରାଯାଇଛି । ଏହାର ଆଖପାଖର ସାଦାସିଧା ଶୋଭା ହିଁ ଏହାର ବିଶେଷତା ବଢାଇଥାଏ । ୧୯୯୨ ମସିହାରେ ଭାରତର ଆର୍କୋଲୋଜିକାଲ ସର୍ଭେ ସଲିମଗଡ କିଲ୍ଲାକୁ ରକ୍ଷଣାବେକ୍ଷଣ ନିମନ୍ତେ ଗ୍ରହଣ କରିଥିଲେ । ସରକାର ଏହାକୁ ଭାରତ ଛାଡ ଆନ୍ଦୋଳନର ୫୦ତମ ବାର୍ଷିକ ଉତ୍ସବ ପାଳନ ଅବସରେ ଗ୍ରହଣ କରିଥିଲେ । ଏହାପରେ ଏହି କିଲ୍ଲାରେ ଥିବା କିଛି ଅଂଶଙ୍କୁ ସରକାର ମୁ୍ୟଜିୟମ ଭାବେ ଘୋଷଣା କରିଥିଲେ । ଯାହା ଦେଶର ସେନାଙ୍କ ନିମନ୍ତେ ଉତ୍ସର୍ଗୀକୃତ । ଏହି ମୁ୍ୟଜିୟମକୁ ୧୯୯୫ରେ ଜନସାଧାରଣଙ୍କ ପାଇଁ ଖୋଲାଯାଇଥିଲା । ଏହି ମୁ୍ୟଜିୟମ ଦେଶର ଅନେକ ସହିଦଙ୍କ ସ୍ମୃତିକୁ ଉଜ୍ଜୀବିତ କରିଥାଏ ।
ପାର୍ଟିସନ ମୁ୍ୟଜିୟମ
ଅମୃତସରରେ ଥିବା ପାର୍ଟିସନ ମୁ୍ୟଜିୟମ ବା ବିଭାଜନ ମୁ୍ୟଜିୟମ ଦେଶର ଏଭଳି ଏକ ନିଆରା ମୁ୍ୟଜିୟମ ଯାହା ଦେଶ ବିଭାଜନର ଦୁଃଖ କାହାଣୀକୁ ପ୍ରତିପାଦିତ କରିଥାଏ । ୧୭ ହଜାର ସ୍କୋୟାରଫୁଟରେ ନିର୍ମିତ ଏହି ମୁ୍ୟଜିୟମରେ ଥିବା ୧୫ଟି ଗ୍ୟାଲେରୀ ଦେଶ ବିଭାଜନ ସମୟରେ ଲୋକମାନେ ସହିଥିବା ଦୁର୍ଦ୍ଦଶାକୁ ବଖାଣିଥାଏ । ଏହି ପାର୍ଟିସନ ମୁ୍ୟଜିୟମରେ ବିଭିନ୍ନ ସାମଗ୍ରୀ ଯଥା- ଖବରକାଗଜ, ମାଗାଜିନ୍, ବିଭିନ୍ନ ସରକାରୀ ନଥିପତ୍ର, ରିଫୁ୍ୟଜି କ୍ୟାମ୍ପର ଫଟୋଗ୍ରାଫ ରହିଛି, ଯାହା ସେତେବେଳର କାହାଣୀ କହିଥାଏ । ଯେଉଁମାନେ କେବଳ ଏହା ବିଷୟରେ ପୁସ୍ତକରେ ପଢିଛନ୍ତି, ସେମାନଙ୍କ ପାଇଁ ଏହି ମୁ୍ୟଜିୟମ ଏକ ବିଶେଷ ଅନୁଭୂତି ପ୍ରଦାନ କରିବ । ସେମାନେ ଏଠାରେ ଏହାର ସ୍ମୃତିକୁ ଜୀବନ୍ତ ଭାବେ ଦେଖିବାର ସୁଯୋଗ ପାଇବେ । ଏହି ମୁ୍ୟଜିୟମରେ ରିଫୁ୍ୟଜିମାନଙ୍କର ହାତଲେଖା ଚିଠିକୁ ମଧ୍ୟ ସ୍ଥାନ ଦିଆଯାଇଛି । ଗ୍ୟାଲେରୀରେ ଭିନ୍ନଭିନ୍ନ ସାମଗ୍ରୀ ରହିଛି ଦେଖିବାକୁ । ଏଠାରେ ଏକ ନିଆରା କଥା ଦେଖିବାକୁ ମିଳିଥାଏ ।ଏଠାକୁ ଆସୁଥିବା ପର୍ଯ୍ୟଟକଙ୍କୁ କିଛି ବାର୍ତ୍ତା ଲେଖିବାକୁ ହୋଇଥାଏ ଯାହାକୁ ସେଠାରେ ଥିବା ଟ୍ରି ଅଫ୍ ହୋପରେ ଲଗାଯାଇଥାଏ । ଏହି ଟ୍ରି ଅଫ ହୋପକୁ ଗ୍ୟାଲେରୀ ଅଫ୍ ହୋପରେ ସ୍ଥାନ ଦିଆଯାଇଛି । ଏହି ମୁ୍ୟଜିୟମ ସୋମବାର ବନ୍ଦ ରହୁଥିବାବେଳେ ଅନ୍ୟଦିନ ଏହା ୧୦ରୁ ୬ ପର୍ଯ୍ୟନ୍ତ ଖୋଲା ରହିଥାଏ ।
ସର୍ଦ୍ଦାରବଲ୍ଲଭ ଭାଇ ନ୍ୟାସନାଲ ମେମୋରିଆଲ ଡିସପ୍ଲେ
ଅହମ୍ମଦାବାଦରେ ଥିବା ଏହି ମୁ୍ୟଜିୟମରେ ଲୌହମାନବଙ୍କର ବ୍ୟବହୃତ ଅନେକ ସାମଗ୍ରୀକୁ ସ୍ଥାନ ଦିଆଯାଇଛି । ଏଠାକୁ ବୁଲିବାକୁ ଗଲେ ପର୍ଯ୍ୟଟକ ତାଙ୍କ ବିଷୟରେ ଅନେକ କିଛି ଜାଣିବାକୁ ପାଇବେ । ଏଠାରେ ତାଙ୍କର ବିଭିନ୍ନ ବ୍ୟକ୍ତିଗତ ସାମଗ୍ରୀକୁ ମଧ୍ୟ ସ୍ଥାନ ଦିଆଯାଇଛି । ପର୍ଯ୍ୟଟକମାନେ ତାଙ୍କ ବିଷୟରେ ଅନେକ କଥା ଜାଣିବାକୁ ପାଇଥାଆନ୍ତି । ଏଠାରେ ପ୍ରତିଦିନ ସନ୍ଧ୍ୟାରେ ଏକ ଥ୍ରୀଡି ଲାଇଟ୍ ଶୋ’ର ଆୟୋଜନ କରାଯାଇଥାଏ, ଯେଉଁଥିରେ ଭାରତର ସ୍ୱାଧୀନତା ସଂଗ୍ରାମ ବିଷୟରେ ଅନେକ କିଛି ବ୍ୟାଖ୍ୟା କରାଯାଇଥାଏ ।
ଗାନ୍ଧି ମେମୋରିଆଲ ମୁ୍ୟଜିୟମ
ଅହମ୍ମଦାବାଦରେ ଥିବା ଏହି ମୁ୍ୟଜିୟମ ଜାତିର ପିତା ମହାତ୍ମାଗାନ୍ଧିଙ୍କୁ ଉତ୍ସର୍ଗ କରାଯାଇଛି । ଏହି ମୁ୍ୟଜିୟମରେ ଗାନ୍ଧିଙ୍କ ହାତଲେଖା ପାଖାପାଖି ୩୪ ହଜାରରୁ ଅଧିକ ଚିଠି ରହିଛି । ଏହାସହ ଏଠାରେ ୬ ହଜାରରୁ ଅଧିକ ଫଟୋଗ୍ରାଫକୁ ମଧ୍ୟ ସ୍ଥାନ ଦିଆଯାଇଛି । ଏହାକୁ ୧୯୬୩ରେ ନିର୍ମାଣ କରାଯାଇଛି । ଏଠାରେ ଥିବା ସାମଗ୍ରୀ ଗାନ୍ଧିଜୀ କିଭଳି ସାବରମତୀ ଆଶ୍ରମରେ ଜୀବନ ବିତାଇଥିଲେ ତାହା ଉପରେ ବିଭିନ୍ନ ତଥ୍ୟ ପ୍ରଦାନ କରିଥାଏ । ଏହି ମୁ୍ୟଜିୟମରେ ଥିବା ବିଭିନ୍ନ ସାମଗ୍ରୀରୁ ଛାତ୍ରଛାତ୍ରୀଙ୍କୁ ଅନେକ କିଛି ଶିଖିବାକୁ ମିଳିଥାଏ । ଏହି ମୁ୍ୟଜିୟମରେ ଭାରତ ଇତିହାସ ସହ ଗାନ୍ଧିଜୀଙ୍କ ସମ୍ପର୍କ ବିଷୟରେ ଅନେକ କିଛି ଶିଖିବାକୁ ମିଳିଥାଏ ।
ମୌଲାନା ଆଜାଦ୍ ମୁ୍ୟଜିୟମ
କୋଲକାତାରେ ଥିବା ଏହି ମୁ୍ୟଜିୟମକୁ ମୌଲାନା ଆଜାଦଙ୍କ ବିଷୟରେ ଲୋକଙ୍କୁ ଅଧିକ ଜ୍ଞାନ ଦେବାପାଇଁ ନିର୍ମାଣ କରାଯାଇଥିଲା । ତାଙ୍କର ଦେଶକୁ ସ୍ୱାଧୀନ କରିବାରେ ଯେଉଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ସେ ସମ୍ବନ୍ଧରେ ଏହି ମୁ୍ୟଜିୟମରୁ ଅନେକ ତଥ୍ୟ ମିଳିଥାଏ । ଏହି ମୁ୍ୟଜିୟମକୁ ମୌଲାନା ଆଜାଦଙ୍କର ନିଜ ଘରେ ନିର୍ମାଣ କରାଯାଇଛି । ଏହି ଘରେ ସେ ନିଜର ବ୍ୟକ୍ତିଗତ ଜୀବନର ଅନେକ କିଛି ସମୟ ବିତାଇଛନ୍ତି, ଯାହାକୁ ମୁ୍ୟଜିୟମ ଭାବେ ଲୋକଙ୍କ ପାଇଁ ଖୋଲାଯାଇଛି । ଏଥିରେ ତାଙ୍କର ଫଟୋଗ୍ରାଫ, ସମ୍ମାନ, ବିଭିନ୍ନ ବ୍ୟକ୍ତିଗତ ବ୍ୟବହୃତ ଦ୍ରବ୍ୟ ଆଦି ରହିଛି, ଯାହା ପର୍ଯ୍ୟଟକଙ୍କୁ ଅନେକ କିଛି ତଥ୍ୟ ଦେଇଥାଏ ।




