ଦଣ୍ଡରେ ଦେବାକୁ ହେବ ମାଗଣାରେ ବିରିୟାନୀ
ଖାଦ୍ୟପ୍ରେମୀଙ୍କ ପାଇଁ ବିରିୟାନି କେବଳ ଏକ ଖାଦ୍ୟ ନୁହେଁ, ବରଂ ଏକ ଭାବନା; ହେଲେ ସେହି ପ୍ଲେଟରୁ ଯଦି ମରା ମାଛିଟିଏ ବାହାରେ, ତେବେ ଖାଇବା ସ୍ୱାଦ ପିତା ହେବା ସ୍ୱାଭାବିକ । ପୁଡୁଚେରୀର ଏକ ପ୍ରସିଦ୍ଧ ବିରିୟାନି ରେସ୍ତୋରାଁରେ ଘଟିଥିବା ଏଭଳି ଏକ ଅଭାବନୀୟ ଘଟଣା ବର୍ତ୍ତମାନ ସୋସିଆଲ ମିଡିଆରେ ଟର୍ଚ୍ଚାର ବିଷୟ ପାଲଟିଛି । ସୂଚନା ଅନୁସାରେ ଗତ ୮ ଦିସେମ୍ବର ୨୦୨୫ରେ ପି. ସୁନ୍ଦରକୁମାର ମଣିକନ୍ଦନ ନାମକ ଜଣେ ବ୍ୟକ୍ତି ନିଜ ବନ୍ଧୁଙ୍କ ସହ 'ବିରିୟାନି ଆଣ୍ଡ କୋ' ରେସ୍ତୋରାଁକୁ ଖାଇବାକୁ ଯାଇଥିବା ବେଳେ ସେମାନଙ୍କ ବିରିୟାନି ପ୍ଲେଟରୁ ଏକ ମାଛି ମିଳିଥିଲା, ଯାହାର ଭିଡିଓ ଓ ଫଟୋ ସେ ତୁରନ୍ତ ରେକର୍ଡ କରିଥିଲେ । ରେସ୍ତୋରାଁ ପକ୍ଷରୁ କୌଣସି ସନ୍ତୋଷଜନକ ଉତ୍ତର ନମିଳିବାରୁ ସେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଏବଂ ଶୁଣାଣି ସମୟରେ ହାଜର ନହେବା ରେସ୍ତୋରାଁ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ଆୟୋଗ ଏହାକୁ ଉପଭୋକ୍ତା ସୁରକ୍ଷା ଅଧିନିୟମ ୨୦୧୯ ଅନୁଯାୟୀ "ସେବାରେ ତ୍ରୁଟି" ଦର୍ଶାଇ ରେସ୍ତୋରାଁ ଉପରେ ₹୧୦,୦୦୦ ଜରିମାନା ଏବଂ ₹୩,୦୦୦ ମକଦ୍ଦମା ଖର୍ଚ୍ଚ ସହ ଗ୍ରାହକଙ୍କୁ ୧୦ ପ୍ଲେଟ୍ ମାଗଣା ହାଇଦ୍ରାବାଦୀ ଚିକେନ୍ ବିରିୟାନି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । କେବଳ ସେତିକି ନୁହେଁ, ଏହି ମାଗଣା ବିରିୟାନି ଆସନ୍ତା ୫ଟି ରବିବାର ପର୍ଯ୍ୟନ୍ତ ପ୍ରତି ସପ୍ତାହରେ ୨ ପ୍ଲେଟ୍ ହିସାବରେ ଏବଂ ସମ୍ପୂର୍ଣ୍ଣ ଖାଦ୍ୟ ସୁରକ୍ଷା ମାନକ ଅନୁସାରେ ପ୍ରସ୍ତୁତ କରି ଯୋଗାଇବାକୁ ଆଦେଶ ହୋଇଛି । ଯାହା ଏବେ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି ।



