ଗୁପ୍ତଚର ଭାବେ କାମକରିବ ମାଛ
ଚୀନ୍ରେ ଜଳଭିତରେ ସହଜରେ ପହଁରିପାରୁଥିବା ଏକ ଅଭିନବ ମାଛ ଆକୃତିର ରୋବୋଟ୍ ବିକଶିତ କରାଯାଇଛି, ଯାହାକୁ ଗୁପ୍ତଚର କାର୍ଯ୍ୟରେ ବ୍ୟବହାର କରାଯିବାନେଇ ଜଣାପଡିଛି । ଚୀନ୍ର କମ୍ପାନୀ ‘ରୋବୋଓସନ୍’ ଦ୍ୱାରା ନିର୍ମିତ ଏହି ରୋବୋଟିକ୍ ମାଛର ନାମ ‘ଗୋଲ୍ଡେନ୍ ଡ୍ରାଗନ୍ ଫିସ୍ ବାୟୋନିକ୍ ରୋବୋଟ୍’ ରଖାଯାଇଛି । ଏହାର ସମ୍ପୂର୍ଣ୍ଣ ଶରୀର ଦେଖିବାକୁ ଏକ ପ୍ରକୃତ ମାଛ ପରି । ସାମ୍ନାକୁ ଆସିଥିବା ଏକ ଭିଡିଓରେ ପାଣି ଭର୍ତ୍ତି ଟାଙ୍କିରେ ରଖାଯିବାର ମାତ୍ର କିଛି ସେକେଣ୍ଡ ମଧ୍ୟରେ ଏହା ସ୍ୱାଭାବିକ ଭାବେ ପହଁରିବା ଆରମ୍ଭ କରୁଥିବା ଦେଖିବାକୁ ମିଳିଛି । ଜଳତଳର ସମସ୍ତ ଗତିବିଧି ରେକର୍ଡ କରିବା ପାଇଁ ଏଥିରେ କ୍ୟାମେରା ଖଞ୍ଜାଯାଇଛି, ଯଦିଓ ଏହାକୁ ଚଳାଇବା ପାଇଁ ରିମୋଟ୍ କଣ୍ଟ୍ରୋଲ୍ର ଆବଶ୍ୟକତା ଅଛି କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଜଳତଳିଆ ସୁରକ୍ଷା ଉପରେ ନଜର ରଖିବା ଭଳି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ନିର୍ମିତ ଏହି ରୋବୋଟ୍ ପୂର୍ବରୁ ଚୀନ୍ ପ୍ରସ୍ତୁତ କରିଥିବା କଙ୍କଡ଼ା ଓ ହ୍ୟୁମାନଏଡ୍ ରୋବୋଟ୍ର ଅନ୍ୟ ଏକ ଉନ୍ନତ ରୂପ ଅଟେ। ବର୍ତ୍ତମାନ ଏହିପରି ରୋବୋଟ୍ଗୁଡ଼ିକୁ ବିଭିନ୍ନ କ୍ଷେତ୍ରରେ ନିୟୋଜିତ କରିବାର ଉପାୟ ଉପରେ କାର୍ଯ୍ୟ ଚାଲିଛି ।




