ମାଛ ଚଳାଇଲା ଗାଡି
ନିକଟରେ ଏକ ଘଟଣା ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏକ ମାଛ ଗାଡ଼ି ଚଳାଇ ବିଶ୍ୱ ରେକର୍ଡ କରିଛି । ନେଦରଲ୍ୟାଣ୍ଡର ଗୋଲ୍ଡଫିସ୍ ‘ବ୍ଲବ୍’ର ଏହି ଅଦ୍ଭୁତ କାରନାମା ସମସ୍ତଙ୍କୁ ଚକିତ କରିଛି । ତେବେ ଭବିଷ୍ୟତରେ ଦିବ୍ୟାଙ୍ଗଙ୍କ ପାଇଁ ଏହି ଟେକନିକ ସହାୟକ ହେବ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି । ନେଦରଲ୍ୟାଣ୍ଡର ‘ବ୍ଲବ୍’ ନାମକ ଏକ ଗୋଲ୍ଡଫିସ୍ ଗାଡ଼ି ଚଳାଇ ବିଶ୍ୱ ରେକର୍ଡ କରି ସମସ୍ତଙ୍କୁ ଚକିତ କରିଦେଇଛି । ଏହି ବିରଳ ସଫଳତା ପାଇଁ ଏକ ଛୋଟ ରୋବୋଟିକ୍ ଚାରିଚକିଆ ଗାଡ଼ି ଉପରେ ପାଣି ଭର୍ତ୍ତି ଟ୍ୟାଙ୍କ ରଖାଯାଇ ସେଥିରେ ମାଛଟିକୁ ଛଡ଼ାଯାଇଥିଲା ଏବଂ ଟ୍ୟାଙ୍କ ଉପରେ ଏକ ମୋସନ୍ ସେନସିଂ କ୍ୟାମେରା ଲଗାଯାଇଥିଲା । ଯାହା ମାଛର ଗତିବିଧିକୁ ଟ୍ରାକ୍ କରୁଥିଲା । ମାଛଟି ଟ୍ୟାଙ୍କ ଭିତରେ ଯେଉଁ ଦିଗକୁ ପହଁରୁଥିଲା, ଗାଡ଼ିଟି ସେହି ଦିଗରେ ଚାଲୁଥିଲା । ଇଟାଲୀର ଏକ ଟିଭି ଶୋ’ରେ ପ୍ରଦର୍ଶିତ ଏହି କାର୍ଯ୍ୟକ୍ରମରେ ଗୋଲ୍ଡଫିସ୍ଟି ମାତ୍ର ୧ ମିନିଟ୍ରେ ୪୦ ଫୁଟରୁ ଅଧିକ ଦୂରତା ଅତିକ୍ରମ କରି ‘ଗୋଲ୍ଡଫିସ୍ ଡ୍ରାଇଭିଂ’ର ଏକ ନିଆରା ବିଶ୍ୱ ରେକର୍ଡ ସ୍ଥାପନ କରିଛି । ଏହି ଗାଡ଼ିକୁ ପ୍ରସ୍ତୁତ କରିଥିବା ଇଞ୍ଜିନିୟର ଥମାସ ଡି ୱୁଲ୍ଫ୍ଙ୍କ ଅନୁଯାୟୀ, ଏହି କୌତୁହଳପୂର୍ଣ୍ଣ ପ୍ରୟୋଗ କେବଳ ରେକର୍ଡ ପାଇଁ ନୁହେଁ, ବରଂ ଏଥିରେ ବ୍ୟବହୃତ ଉନ୍ନତ ଜ୍ଞାନକୌଶଳ ଆଗାମୀ ଦିନରେ ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କ ଚଳପ୍ରଚଳରେ ବେଶ୍ ସହାୟକ ହୋଇପାରିବବୋଲି ଆଶା ରଖିଛନ୍ତି ।




