ପ୍ରଥମ ଲଗ୍ଜୁରୀ ହୋଟେଲ

ପ୍ରଥମ ଲଗ୍ଜୁରୀ ହୋଟେଲ
Ipsita Picture
By: Ipsita
Published On

 

୧୮୭୧ ମସିହା ଫେବୃଆରୀ ୪ ତାରିଖରେ ମୁମ୍ବାଇର ଏସପ୍ଲାନେଡ୍ଠାରେ ଏକ ଭବ୍ୟ ନୂତନ ହୋଟେଲ ଉନ୍ମୋଚିତ ହୋଇଥିଲା, ଯାହା ସହରର ସାମାଜିକ ଏବଂ ସ୍ଥାପତ୍ୟ ଇତିହାସରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଥିଲା। ଏହି ହୋଟେଲଟି ବମ୍ବେରେ ସେହି ସମୟରେ କେହି ଆଶା କରିନଥିବା ଆଧୁନିକତା ଏବଂ ସୁବିଧା ସୁଯୋଗ ପ୍ରଦାନ କରିଥିଲା । ଏଥିରେ ଅତ୍ୟାଧୁନିକ ଇଞ୍ଜିନିୟରିଂ ଏବଂ ବିଦେଶରୁ ଆମଦାନୀ ହୋଇଥିବା ସାମଗ୍ରୀର ବ୍ୟବହାର କରାଯାଇଥିଲା। ଏହି ହୋଟେଲର ନାମ ଥିଲା 'ୱାଟସନ୍ସ ଏସପ୍ଲାନେଡ୍ ହୋଟେଲ' ଯାହାକୁ ୧୮୬୭ରୁ ୧୮୭୧ ମସିହା ମଧ୍ୟରେ ନିର୍ମିତ ହୋଇଥିଲା। ବ୍ରିଟିଶ ମାଲିକ ଜନ୍ ଏଚ୍. ୱାଟସନ୍ଙ୍କ ପାଇଁ ସ୍ଥପତି ରୋଲାଣ୍ଡ ଏମ୍. ଅର୍ଡିଶ୍ଙ୍କ ଦ୍ୱାରା ପରିକଳ୍ପିତ ଏହି ହୋଟେଲର ସମ୍ପୂର୍ଣ୍ଣ କାଷ୍ଟ ଆଇରନ୍ ଗଠନଟି ପ୍ରଥମେ ଇଂଲଣ୍ଡରେ ନିର୍ମାଣ କରାଯାଇ ପରେ ମୁମ୍ବାଇରେ ଆଣି ଯୋଡ଼ା ଯାଇଥିଲା। ଏହାର ଭିତର ଭାଗ ପଲିସ୍ ହୋଇଥିବା ଶାଗୁଆନ୍ ଏବଂ ମହୋଗାନି କାଠରେ ସଜ୍ଜିତ ହୋଇଥିବାରୁ ଏହା ଏକ ପୂର୍ଣ୍ଣ ୟୁରୋପୀୟ ରୂପ ପାଇଥିଲା। ଯେତେବେଳେ ଭାରତରେ ବିଳାସପୂର୍ଣ୍ଣ ହୋଟେଲ ଶିଳ୍ପ ପ୍ରାୟ ନଥିଲା, ସେତେବେଳେ ଏହି ହୋଟେଲ ନିଜ ସମୟଠାରୁ ଯଥେଷ୍ଟ ଆଗରେ ରହିଥିଲା । ଦେଶର ପ୍ରଥମ କୋଠା ଭାବରେ ଏଠାରେ ବାଷ୍ପ ଚାଳିତ ଲିଫ୍ଟ  ସ୍ଥାପନ କରାଯାଇଥିଲା। ଏହି ହୋଟେଲରେ ୧୩୦ଟି କୋଠରୀ ଏବଂ ୨୦ଟି ସୁଇଟ୍ ରହିଥିଲା, ଯାହା ନିଜର ଉନ୍ନତ ଖାଦ୍ୟପେୟ, ପ୍ରଶସ୍ତ କୋଠରୀ ଏବଂ ସାମାଜିକ କାର୍ଯ୍ୟକ୍ରମ ପାଇଁ ୟୁରୋପୀୟ ପର୍ଯ୍ୟଟକ ଓ ମୁମ୍ବାଇର ଅଭିଜାତ ଶ୍ରେଣୀର ପ୍ରଥମ ପସନ୍ଦ ପାଲଟିଥିଲା। ପ୍ରାୟ ଶହେ ବର୍ଷ ଧରି ସାମାଜିକ ମିଳନର ଏକ ମୁଖ୍ୟ କେନ୍ଦ୍ର ଭାବେ କାର୍ଯ୍ୟ କରିବା ପରେ ୧୯୬୦ ଦଶକରେ ଏହା ସବୁଦିନ ପାଇଁ ବନ୍ଦ ହୋଇଯାଇଥିଲା। ତେବେ ୧୮୯୬ ମସିହାରେ ଏହି ବିଲଡିଂ ଏକ ନୂଆ ଇତିହାସ ରଚିଥିଲା, ଯେତେବେଳେ ଏଠାରେ ଭାରତର ପ୍ରଥମ ସର୍ବସାଧାରଣ ଚଳଚ୍ଚିତ୍ର ପ୍ରଦର୍ଶନ କରାଯାଇଥିଲା। ଲୁମିୟର ବ୍ରଦର୍ସ ସେମାନଙ୍କ ବିଶ୍ୱ ଭ୍ରମଣ ସମୟରେ ସିନେମାଟୋଗ୍ରାଫ୍ ପ୍ରୋଜେକ୍ଟରବ୍ୟବହାର କରି କିଛି ସଂକ୍ଷିପ୍ତ ଚଳଚ୍ଚିତ୍ର ପ୍ରଦର୍ଶିତ କରି ପ୍ରଥମ କରି ଭାରତୀୟ ଦର୍ଶକଙ୍କୁ ଗତିଶୀଳ ଚିତ୍ର ସହ ଏଠାରେ ହିଁ ପରିଚିତ କରାଇଥିଲେ ।

Tags: