ଏସିଆର ପ୍ରଥମ

ଏସିଆର ପ୍ରଥମ
Ipsita Picture
By: Ipsita
Published On

 

ଛୋଟବେଳୁ ବିଭିନ୍ନ ଶିଶୁଙ୍କର ଭିନ୍ନଭିନ୍ନ ସ୍ବପ୍ନ ଥାଏ । ଯେଉଁ ସ୍ବପ୍ନକୁ ପୂରଣ କରିବାକୁ ସେମାନେ କଠିନ ପରିଶ୍ରମ କରନ୍ତି । ସେହିଭଳି ଜଣେ ବାଳକ ହେଲେ ଅଭିନବ ସୁଜିତ, ଯିଏ ମାତ୍ର ୧୪ ବର୍ଷ ବୟସରେ ପାଲଟିଛନ୍ତି ଏସିଆର ପ୍ରଥମ ସୋଲୋ ଗ୍ଲାଇଡର ପାଇଲଟ । ଯାହା ତାଙ୍କୁ ବର୍ତ୍ତମାନ ବେଶ ଚର୍ଚ୍ଚାରେ ରଖିଛି ।

"ଉଡ଼ିବା ମୋତେ ଶାନ୍ତି, ପ୍ରକୃତି ସହ ଯୋଡ଼ିହେବାର ଅନୁଭୂତି ଏବଂ ଆମ ଉପରେ ଥିବା ଆକାଶ ବିଷୟରେ ଜାଣିବାର ଉତ୍ସୁକତା ଦେଇଥାଏ," ଏହା କହିଲା ବେଳେ ୧୪ ବର୍ଷୀୟ ଅଭିନବ ସୁଜିତ୍ଙ୍କ ଆଖିରେ ଏକ ଅଲଗା ପ୍ରକାରର ଚମକ ଦେଖାଯାଏ। ବିମାନ ଚାଳନା ଏବେ ତାଙ୍କ ଜୀବନର ଲକ୍ଷ୍ୟ ପାଲଟିଯାଇଛି । ନଭେମ୍ବର ୨୦୨୧ରେ ତାଙ୍କ ପରିବାର ଚେନ୍ନାଇରୁ ୟୁକେ ସ୍ଥାନାନ୍ତରିତ ହେବାପରେ ତାଙ୍କ ଜୀବନରେ ଅନେକ ପରିବର୍ତ୍ତନ ଆସିଥିଲା । ତେବେ ଏହି ସ୍ୱପ୍ନର ଆରମ୍ଭ ହୋଇଥିଲା ଚେନ୍ନାଇର ଇଷ୍ଟ କୋଷ୍ଟ ରୋଡ୍ରେ, ଯେତେବେଳେ ଅଭିନବଙ୍କୁ ମାତ୍ର ୮ ବର୍ଷ ବୟସ ହୋଇଥିଲା। ସମୁଦ୍ର କୂଳରେ ଗୋଟିଏ ଛୋଟ ପାରାଗ୍ଲାଇଡିଂ ରାଇଡ୍ ତାଙ୍କ ମନରେ ଏକ ଗଭୀର ଛାପ ଛାଡ଼ିଥିଲା । "ଉପରୁ ସମୁଦ୍ର କୂଳ ଦେଖିବାର ସେହି ମୁହୂର୍ତ୍ତ ମୋର ଏବେ ବି ମନେ ଅଛି, ମୁଁ ପାଇଲଟ୍ଙ୍କୁ କହିଥିଲି ଯେ ମୁଁ ଆହୁରି ଉପରକୁ ଯିବାକୁ ଚାହୁଁଛି ଯେପରି ବାଦଲଗୁଡ଼ିକୁ ଦେଖିପାରିବି,"  ଏହି ସ୍ମୃତି ତାଙ୍କର ଏବେ ବି ମନେ ରହିଛି । ସେହିଦିନଠାରୁ ସେ ଘଣ୍ଟା ଘଣ୍ଟା ଧରି ବିମାନ ଓ ଗ୍ଲାଇଡର କିପରି ଆକାଶରେ ଉଡ଼ନ୍ତି, ସେ ବିଷୟରେ ଭିଡିଓ ଏବଂ ଡକ୍ୟୁମେଣ୍ଟାରୀ ଦେଖୁଥିଲେ । ନଭେମ୍ବର ୨୦୨୧ରେ ବାପାଙ୍କ ଚାକିରି ପାଇଁ ପରିବାର ୟୁକେକୁ ସ୍ଥାନାନ୍ତରିତ ହେବା ପରେ କେଣ୍ଟର ଏକ ସ୍ଥାନୀୟ ଗ୍ଲାଇଡିଂ କ୍ଲବ୍ରେ ଦୁଇ ସିଟ୍ ବିଶିଷ୍ଟ ସେଲ୍ପ୍ଲେନ୍ରେ ଏକ ଟ୍ରାଏଲ୍ ଫ୍ଲାଇଟ୍ ଅଭିନବଙ୍କୁ ଏହି ଖେଳ ସହ ପରିଚିତ କରାଇଥିଲା । ବିନା ଇଞ୍ଜିନ୍ରେ ଆକାଶରେ ଉଡ଼ୁଥିବା 'ଗ୍ଲାଇଡିଂ' କଳା ପାଇଁ ପବନର ତରଙ୍ଗକୁ ବୁଝିବା, ଆକାଶକୁ ଧ୍ୟାନର ସହ ଦେଖିବା ଏବଂ ଧୈର୍ଯ୍ୟ ରଖିବା ନିହାତି ଆବଶ୍ୟକ। କ୍ଲବ୍ର ପ୍ରଶିକ୍ଷକ ଗାଭିନ୍ଙ୍କ ମାର୍ଗଦର୍ଶନରେ ଅଭିନବ ଉଡ଼ାଣ ଭରିବା, ଅବତରଣ କରିବା ଏବଂ ସୁରକ୍ଷା ନିୟମାବଳୀ ଶିଖିଥିଲେ । ତାଲିମ ସମୟରେ ଥରେ ଲଞ୍ଚ ବେଳେ ଦଉଡ଼ି ଭାଙ୍ଗିଯିବାରୁ ଜରୁରୀକାଳୀନ ଅବତରଣ କରିବାକୁ ପଡ଼ିଥିଲେ ବି ସେ ବିଚଳିତ ନହୋଇ ଅତ୍ୟନ୍ତ ଶାନ୍ତ ଓ ଏକାଗ୍ରତା ପ୍ରଦର୍ଶନ କରିଥିଲେ ।

ତେବେ ନବମ ଶ୍ରେଣୀରେ ପଢ଼ୁଥିବା ଅଭିନବଙ୍କ ପାଇଁ ପାଠପଢ଼ା ସବୁବେଳେ ପ୍ରାଥମିକତା ହୋଇ ରହିଥିଲା। ତେଣୁ ଛୁଟିରେ ସେ ସମ୍ପୂର୍ଣ୍ଣ ସମୟ ଏୟାରଫିଲ୍ଡରେ ବିତାଉଥିଲେ । ପରିବାର ଲୋକଙ୍କ ସମର୍ପଣ ଏବଂ ଅଭିନବଙ୍କ ୩ ବର୍ଷର କଠିନ ପରିଶ୍ରମ ପରେ, ୬ ଅକ୍ଟୋବର ୨୦୨୫ ରେ, ୧୪ ବର୍ଷ ବୟସ ହେବାର ମାତ୍ର ଦୁଇ ଦିନ ପରେ, ତାଙ୍କୁ ତାଙ୍କର ପ୍ରଥମ ସୋଲୋ ବା ଏକାକୀ ଉଡ଼ାଣ ପାଇଁ ଅନୁମତି ମିଳିଥିଲା। ୟୁକେ ନିୟମାନୁସାରେ ୧୪ ବର୍ଷ ହେଉଛି ଏକାକୀ ଗ୍ଲାଇଡର୍ ଉଡ଼ାଇବାର ସର୍ବନିମ୍ନ ବୟସ । ଏହି ଅସାଧାରଣ ସଫଳତା ପାଇଁ ଏରୋ କ୍ଲବ୍ ଅଫ୍ ଇଣ୍ଡିଆ ତାଙ୍କୁ ଏସିଆର ସବୁଠାରୁ କନିଷ୍ଠ ସୋଲୋ ଗ୍ଲାଇଡର୍ ପାଇଲଟ୍ ଭାବରେ ସ୍ୱୀକୃତି ଦେବା ସହ ଆନ୍ତର୍ଜାତୀୟ ସ୍ତରରେ ପ୍ରତିଯୋଗିତା କରିବା ପାଇଁ ଏଫଏଆଇ ସ୍ପୋର୍ଟିଂ ଲାଇସେନ୍ସ ପ୍ରଦାନ କରିଛି । ଆଗାମୀ ଦିନରେ 'ବ୍ରୋଞ୍ଜ୍ ବ୍ୟାଜ୍' ହାସଲ କରି ଆନ୍ତର୍ଜାତୀୟ ସ୍ତରରେ ଭାରତର ପ୍ରତିନିଧିତ୍ୱ କରିବାକୁ ଲକ୍ଷ୍ୟ ରଖିଥିବା ଅଭିନବ ସୁଜିତ୍ ଆଜିର ଯୁବପିଢ଼ି ପାଇଁ ଏକ ଯୁଗାନ୍ତକାରୀ ପ୍ରେରଣା ପାଲଟିଛନ୍ତି ।

Tags: