ପ୍ରଥମ ପସନ୍ଦ ଏଆଇ

 ପ୍ରଥମ ପସନ୍ଦ  ଏଆଇ
Ipsita Picture
By: Ipsita
Published On

ଧୀରେଧୀରେ ଏଆଇର ବ୍ୟବହାର ଆମ ଦୈନନ୍ଦିନ ଜୀବନରେ ବଢିଚାଲିଛି । ବିଭିନ୍ନ କ୍ଷେତ୍ରରେ ଏହା ଉପରେ ନିର୍ଭର ବଢି ଚାଲିଛି । ତେବେ କେବଳ ଦୈନନ୍ଦିନ ବ୍ୟବହାର ନୁହେଁ ଶିକ୍ଷା କ୍ଷେତ୍ରରେ ମଧ୍ୟ ଏହା ସମସ୍ତଙ୍କର ପ୍ରଥମ ପସନ୍ଦ ପାଲଟିଛି । ବିଭିନ୍ନ ଟ୍ରାଡିସନାଲ କୋର୍ସ ଅପେକ୍ଷା ଏଆଇକୁ ଶିକ୍ଷାର୍ଥୀମାନେ ଚୟନ କରୁଛନ୍ତି, ଯାହା ଏହାର ଚାହିଦା ବଢାଇ ଚାଲିଛି ।

ଭାରତରେ ଯୁବପିଢ଼ିଙ୍କ ପାଇଁ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଆଉ କେବଳ ଏକ ପ୍ରଯୁକ୍ତିବିଦ୍ୟାର କାହାଣୀ ହୋଇ ରହିନାହିଁ, ବରଂ ଏହା କ୍ୟାରିୟରରେ ତିଷ୍ଠି ରହିବାର ଏକ ସଂଗ୍ରାମ ସାଜିଛି । ବିଭିନ୍ନ କ୍ଷେତ୍ରରେ ଏଆଇର ବ୍ୟବହାର ଧୀରେଧୀରେ ବଢିଚାଲିଛି, ବିଶେଷଭାବେ ଶିକ୍ଷା କ୍ଷେତ୍ରରେ ।  କଲେଜ ଛାତ୍ରଛାତ୍ରୀମାନେ କଲେଜରେ ବିଭିନ୍ନ ପାରମ୍ପରିକ କୋର୍ସ ବଦଳରେ ଏଆଇ କୋର୍ସକୁ ଚୟନ କରୁଛନ୍ତି । ସେହିଭଳି  କ୍ୟାମ୍ପସ୍ ପ୍ଲେସମେଣ୍ଟ ପୂର୍ବରୁ ଏଆଇ - ଚାଳିତ ମକ୍ ଇଣ୍ଟରଭ୍ୟୁ ଅଭ୍ୟାସ କରୁଥିବା ଦେଖିବାକୁ ମିଳୁଛି । ଶିକ୍ଷା କ୍ଷେତ୍ରରେ ଏହି ତାଲିକା ଅନେକ ରହିଛି, ଯାହାର ଡିମାଣ୍ଡ ଦେଖିବାକୁ ମିଳୁଛି । କମର୍ସ ଗ୍ରାଜୁଏଟ୍ମାନେ ପ୍ରମ୍ପ୍ଟ ଇଞ୍ଜିନିୟରିଂ ଶିଖୁଛନ୍ତି ଏବଂ ଏଚଆର ଆଶାୟୀମାନେ ନିଯୁକ୍ତି କୌଶଳରେ ସୁଧାର ଆଣିବା ପାଇଁ ଏଆଇ ଆସେସମେଣ୍ଟ ଗ୍ରହଣ କରୁଛନ୍ତି । ଏପରିକି ସ୍କୁଲ ଛାତ୍ରଛାତ୍ରୀଙ୍କୁ ମଧ୍ୟ ଏଆଇ ଏବଂ କମ୍ପ୍ୟୁଟେସନାଲ ଚିନ୍ତାଧାରା ସହ ପରିଚିତ କରାଯାଉଛି । ତେଣୁ ଭାରତ ବର୍ତ୍ତମାନ ଏକ ସମ୍ପୂର୍ଣ୍ଣ ଏଆଇ ଶିକ୍ଷା ଆଡ଼କୁ ଦ୍ରୁତ ଗତିରେ ଆଗେଇ ଚାଲିଛି । ସାମ୍ନାକୁ ଆସିଥିବା ଅନେକ  ରିସର୍ଚ୍ଚରୁ ଏହି ବଡ଼ ପରିବର୍ତ୍ତନ ସମ୍ପର୍କରେ ସ୍ପଷ୍ଟ ଜଣାପଡ଼ୁଛି । ଏଭଳି ଅନେକ ପ୍ଲାଟଫର୍ମ ରହିଛି ଯେଉଁଠାରେ ଲକ୍ଷଲକ୍ଷ ଲୋକ ଅନଲାଇନ ଏଆଇ କୋର୍ସରେ ନାମ ଲେଖାଉଥିବା ଦେଖିବାକୁ ମିଳୁଛି । ସେହିଭଳି ଏକ ପ୍ଲାଟଫର୍ମ ହେଲା କୋର୍ସେରା , ଯେଉଁଥିରେ ଭାରତର ୩୪.୨ ନିୟୁତ ଶିକ୍ଷାର୍ଥୀ ରହିଛନ୍ତି । ଭାରତରେ ଶିକ୍ଷାର୍ଥୀ ସଂଖ୍ୟାରେ ବାର୍ଷିକ ୨୧ ପ୍ରତିଶତ ବୃଦ୍ଧି ରେକର୍ଡ କରାଯାଇଛି । ୨୦୨୩ ମସିହାରେ ପ୍ରତି ଚାରି ମିନିଟ୍ରେ ଜଣେ ଜେନେରେଟିଭ୍ ଏଆଇ କୋର୍ସରେ ନାମ ଲେଖାଉଥିବା ବେଳେ ବର୍ତ୍ତମାନ ପ୍ରତି ମିନିଟ୍ରେ ତିନି ଜଣ ଭାରତୀୟ ଏଥିରେ ନାମ ଲେଖାଉଥିବା ଜଣାପଡିଛି । କ୍ୟାମ୍ପସ୍ ଏବଂ କାର୍ଯ୍ୟକ୍ଷେତ୍ରରେ ଏଆଇକୁ ଆଉ ଏକ ବିକଳ୍ପ ଦକ୍ଷତା ଭାବେ ନୁହେଁ, ବରଂ ଚାକିରି ପାଇଁ ଏକ ମୌଳିକ ଆବଶ୍ୟକତା ଭାବେ ଦେଖାଯାଉଛି । ବିଭିନ୍ନ ବିଶେଷଜ୍ଞଙ୍କ ସୂଚନା ଅନୁଯାୟୀ, କୌତୂହଳରୁ ଶିଖିବା ବଦଳରେ ଏବେ କ୍ୟାରିୟର ପାଇଁ ଅତ୍ୟାବଶ୍ୟକ ଭାବେ ଏଆଇକୁ ଗ୍ରହଣ କରାଯାଉଛି । ପୂର୍ବରୁ ଏକ୍ସେଲ୍ କିମ୍ବା କୋଡିଂ ଭଳି ଯେଉଁ ଗୁରୁତ୍ୱ ଥିଲା, ଏବେ ଏଆଇ ମଧ୍ୟ ସେହିପରି ଏକ ମୌଳିକ କାର୍ଯ୍ୟକ୍ଷେତ୍ର ଦକ୍ଷତା ପାଲଟିଛି । କେବଳ ଇଞ୍ଜିନିୟର ନୁହଁନ୍ତି, ମ୍ୟାନେଜମେଣ୍ଟ, କମର୍ସ ଏବଂ ଟାୟାର - ୨ ଓ ଟାୟାର - ୩ କଲେଜର ଛାତ୍ରଛାତ୍ରୀମାନେ ମଧ୍ୟ ଏହାକୁ ଏକ ମୁଖ୍ୟ କ୍ୟାରିୟର ଦକ୍ଷତା ଭାବେ ଦେଖି ଅନୁସନ୍ଧାନ କରୁଛନ୍ତି । ସେହିଭଳି ସାମ୍ପ୍ରତିକ ନାମଲେଖାର ପ୍ରାୟ ୨୦-୩୦ ପ୍ରତିଶତ ନନ୍-ଟେକ୍ନିକାଲ ପୃଷ୍ଠଭୂମିରୁ ଆସୁଛନ୍ତି, ଯେଉଁମାନେ କାର୍ଯ୍ୟଦକ୍ଷତା ଓ ନିଷ୍ପତ୍ତି ନେବାର କ୍ଷମତା ବୃଦ୍ଧି ପାଇଁ ଏଆଇକୁ ବ୍ୟବହାର କରୁଛନ୍ତି । ତେବେ ଭାରତର ଏହି ନୂତନ କ୍ୟାରିୟର ସୁରକ୍ଷା ପଛରେ ଏକ ସାଧାରଣ ବିଶ୍ୱାସ ରହିଛି । ଭବିଷ୍ୟତର ଚାକିରି ବଜାର ଏଆଇ ସହ କାମ କରୁଥିବା ଲୋକଙ୍କୁ ପୁରସ୍କୃତ କରିବ ଏବଂ ନଜାଣିଥିବା ଲୋକଙ୍କୁ ପଛକୁ ଠେଲିଦେବ । ଏହି ଚିନ୍ତା ଛାତ୍ରଛାତ୍ରୀଙ୍କ ଅନୁଭୂତିରୁ ସ୍ପଷ୍ଟ ହୁଏ । ସେମାନେ ଏଆଇ ଆଧାରିତ ଆସେସମେଣ୍ଟ ଏବଂ ଇଣ୍ଟରଭ୍ୟୁ ସିମୁଲେସନ୍ର ସାହାରା ନେଇ ନିଜକୁ ଅଧିକ ପ୍ରସ୍ତୁତ ଓ ଆତ୍ମବିଶ୍ୱାସୀ ମନେକରୁଛନ୍ତି । ଛାତ୍ରଛାତ୍ରୀମାନେ ଏବେ ନିଷ୍କ୍ରିୟ ଭିଡିଓ ଶିକ୍ଷା ବଦଳରେ ସିମୁଲେସନ୍, ହ୍ୟାକାଥନ୍ ଏବଂ ଏଆଇ ଆସେସମେଣ୍ଟ ଭଳି ବ୍ୟାବହାରିକ ଶିକ୍ଷାକୁ ପସନ୍ଦ କରୁଛନ୍ତି । ଯାହା ସେମାନଙ୍କୁ କେବଳ ସାର୍ଟିଫିକେଟ୍ ଦେବା ବଦଳରେ ବାସ୍ତବ ଜଗତର ପ୍ରସ୍ତୁତି ପରଖିବାରେ ସାହାଯ୍ୟ କରେ । ବିଶେଷଜ୍ଞଙ୍କ ମତରେ, ଶିକ୍ଷାର୍ଥୀମାନେ ଏଆଇ ଗବେଷକ ହେବାକୁ ଚାହୁଁନାହାଁନ୍ତି, ବରଂ ଏଆଇ - ପ୍ରଭାବିତ କାର୍ଯ୍ୟକ୍ଷେତ୍ରରେ ଅଧିକ ନିଯୁକ୍ତିଯୋଗ୍ୟ ହେବାକୁ ଚାହୁଁଛନ୍ତି ।

Tags: