କାର ହେଡଲାଇଟରେ ଦେଖିହେବ ଫିଲ୍ମ

କାର ହେଡଲାଇଟରେ ଦେଖିହେବ ଫିଲ୍ମ
Ipsita Picture
By: Ipsita
Published On

 

ଚୀନର ପ୍ରମୁଖ ଟେକ୍ନୋଲୋଜି କମ୍ପାନୀ ହୁଆୱେ ଏକ ନୂତନ ଏବଂ ଅତ୍ୟାଧୁନିକ ସ୍ମାର୍ଟ କାର ହେଡ୍ଲାଇଟ୍ ଡିଜାଇନ କରିଛି,ଯାହାର ନାମ 'ଏକ୍ସପିକ୍ସେଲ ' ରଖାଯାଇଛି । ଏହି ସ୍ମାର୍ଟ ହେଡ୍ଲାଇଟ୍ ସିଷ୍ଟମ୍ କେବଳ ସାଧାରଣ ଭାବେ ରାସ୍ତାକୁ ଆଲୋକିତ କରିନଥାଏ, ବରଂ ଏଥିରେ ଅନେକ ଆଧୁନିକ ସୁବିଧା ରହିଛି। ଏହି ଟେକ୍ନୋଲୋଜି ସାହାଯ୍ୟରେ କାର୍ ସାମ୍ନାରେ ଥିବା ଯେକୌଣସି ସମତଳ କାନ୍ଥ ଉପରେ ପ୍ରାୟ ୧୦୦ ଇଞ୍ଚର ସ୍କ୍ରିନ୍ ଭଳି ଭିଡିଓ ଗେମ୍ କିମ୍ବା ଫିଲ୍ମ ପ୍ରଦର୍ଶନ କରାଯାଇପାରିବ । ଏହା ସହିତ ଗାଡ଼ି ଚଲାଇବା ସମୟରେ ଏହା ରାସ୍ତା ଉପରେ ହିଁ ନେଭିଗେସନ୍ ପ୍ରୋଜେକ୍ଟ କରିବାର କ୍ଷମତା ମଧ୍ୟ ରଖିଛି । ଏହି ସମ୍ପୂର୍ଣ୍ଣ ସିଷ୍ଟମ୍ଟି ଏକ ଫୁଲ୍-କଲର୍ ପ୍ରୋଜେକ୍ସନ ପ୍ରଣାଳୀ ସହିତ କାମ କରିଥାଏ । କମ୍ପାନୀର ଦାବି ଅନୁଯାୟୀ, ଏହି ହେଡ୍ଲାଇଟ୍ ଯାତ୍ରୀ ଏବଂ ଚାଳକଙ୍କ ସୁରକ୍ଷା କ୍ଷେତ୍ରରେ ମଧ୍ୟ ବିଶେଷ ସହାୟକ ହେବ । ଖରାପ ପାଗ ଯେପରିକି ପ୍ରବଳ ବର୍ଷା କିମ୍ବା କୁହୁଡ଼ି ସମୟରେ ଏହି ଲାଇଟ୍ ନିଜର ରଙ୍ଗ ଏବଂ ତାପମାତ୍ରାକୁ ସ୍ୱୟଂଚାଳିତ ଭାବେ ବଦଳାଇ ପାରେ । ଯାହା ଦ୍ୱାରା ସାମ୍ନା ରାସ୍ତା ସ୍ପଷ୍ଟ ଭାବେ ଦେଖାଯାଇଥାଏ । ଏହି ନୂଆ ଜ୍ଞାନକୌଶଳ ସର୍ବପ୍ରଥମେ 'ଏଟିଓ ଏମ ୯ ' କାର୍ର ଆଗାମୀ ନୂଆ ସଂସ୍କରଣରେ ଗ୍ରାହକମାନଙ୍କୁ ଦେଖିବାକୁ ମିଳିବ । ସୂଚନାଯୋଗ୍ୟ ଯେ, ହୁଆୱେ ଏବଂ ତାର ସହଯୋଗୀ କମ୍ପାନୀଗୁଡ଼ିକ ମିଳିତ ଭାବେ ୨୦୨୩ ମସିହାରୁ ଏହି ଏସୟୁଭି କାର୍କୁ ବିକଶିତ କରିବା ଦିଗରେ କାର୍ଯ୍ୟ କରୁଛନ୍ତି ।

Tags: