ମହାକାଶରେ ଚାଷ
ଚୀନ୍ର ବୈଜ୍ଞାନିକମାନେ ମହାକାଶରେ ଧାନ ଚାଷ କରିବାରେ ସଫଳତା ହାସଲ କରିବା ସହ ତିଆନଗଙ୍ଗ ସ୍ପେସ୍ ଷ୍ଟେସନରେ ପ୍ରସ୍ତୁତ ଚାଉଳର ପ୍ରଥମ ଫସଲ ଅମଳ କରିଛନ୍ତି । ଏହି ପରୀକ୍ଷଣ ଏକ ମାଇକ୍ରୋୱେଭ୍ ଆକାରର ସ୍ୱତନ୍ତ୍ର ମଡ୍ୟୁଲ୍ ମଧ୍ୟରେ କରାଯାଇଥିଲା, ଯେଉଁଥିରୁ ମହାକାଶଚାରୀ ଜୁ ୟାଙ୍ଗଝୋଉ, ଝାଙ୍ଗ ଝିଆନ୍ଝୁଆନ୍ ଏବଂ ଲାଇ ଜିଆଓଗୁଆଙ୍ଗ ଧାନର କ୍ଷୀସା, ମଞ୍ଜି ଓ ଚାରାର ନମୁନା ସଂଗ୍ରହ କରି ସୁରକ୍ଷିତ ରଖିଛନ୍ତି। ଯାହାକୁ ପରୀକ୍ଷା ପାଇଁ ପୃଥିବୀକୁ ପଠାଯିବ । ଏହି ପରୀକ୍ଷଣରେ ଦୁଇ ପ୍ରକାରର ମଞ୍ଜି ବ୍ୟବହୃତ ହୋଇଥିଲା, ଗୋଟିଏ ସାଧାରଣ ମଞ୍ଜି, ଯାହା ପ୍ରଥମ ଥର ମହାକାଶକୁ ପଠାଯାଇଥିଲା ଏବଂ ଅନ୍ୟଟି ୨୦୨୨ରେ ମହାକାଶରେ ଉତ୍ପାଦିତ ଚାଉଳ ମଞ୍ଜିରୁ ପ୍ରସ୍ତୁତ କରାଯାଇଥିଲା । ବୈଜ୍ଞାନିକମାନେ ଏବେ ଅନୁଧ୍ୟାନ କରିବେ ଯେ ମହାକାଶର ପରିବେଶ ପରବର୍ତ୍ତୀ ଫସଲ ଏବଂ ମଞ୍ଜି ଉପରେ କି ପ୍ରଭାବ ପକାଉଛି । ଯଦି ଏହି ପରୀକ୍ଷଣ ସଫଳ ହୁଏ, ତେବେ ଭବିଷ୍ୟତର ଦୀର୍ଘ ମହାକାଶ ଅଭିଯାନ ସମୟରେ ମହାକାଶଚାରୀମାନେ ସେହିଠାରେ ହିଁ ନିଜ ପାଇଁ ଖାଦ୍ୟଶସ୍ୟ ଉତ୍ପାଦନ କରିବାର ମାର୍ଗ ପ୍ରଶସ୍ତ ହୋଇପାରିବ ।




