କୃତ୍ରିମ ହ୍ରଦ
ରାଜସ୍ଥାନର ଜୈସଲମେର ମରୁଭୂମି ଅଞ୍ଚଳରେ ଏକ ବିଶାଳ କୃତ୍ରିମ ହ୍ରଦ ନିର୍ମାଣ କରାଯାଇଛି, ଯାହା ଜୈସଲମେର ଏବଂ ବାଡ଼ମେର ଜିଲ୍ଲାରେ ବର୍ଷସାରା ଜଳ ଯୋଗାଣ ବଜାୟ ରଖିବାରେ ସହାୟକ ହେବ । ପ୍ରାୟ ୨୮ କିଲୋମିଟର ଲମ୍ବ ଏବଂ ୩୩ ଫୁଟ ଗଭୀର ବିଶିଷ୍ଟ ଏହି ହ୍ରଦର ଜଳ ସଂରକ୍ଷଣ କ୍ଷମତା ୧୪୧୩ ମିଲିୟନ କ୍ୟୁବିକ୍ ଫୁଟ୍ ରହିଛି । ମରୁଭୂମିର ବାଲିଆ ମାଟି ଯେପରି ଶୀଘ୍ର ପାଣି ଶୋଷି ନନେବ, ସେଥିପାଇଁ ହ୍ରଦ ଶଯ୍ୟାରେ ୩୦୦ ମାଇକ୍ରୋନର ଏକ ବିଶେଷ 'ଏଚଡିପିଇ' ପ୍ଲାଷ୍ଟିକ ସିଟ୍ ବିଛାଯାଇଛି । ଏହାସହ ଏହାକୁ ପ୍ରାୟ ୧୦୦ ବର୍ଷ ପର୍ଯ୍ୟନ୍ତ ସୁରକ୍ଷିତ ରଖିବା ପାଇଁ ତା' ଉପରେ ଅଢେଇ ଫୁଟର ମାଟି ସ୍ତର ଦିଆଯାଇଛି । ଇନ୍ଦିରା ଗାନ୍ଧୀ କେନାଲ ସହ ସଂଯୁକ୍ତ ଏହି ହ୍ରଦରୁ ବଡ଼ ବଡ଼ ପାଇପ୍ ମାଧ୍ୟମରେ ପାଣିକୁ ପ୍ରଥମେ ମୋହନଗଡ଼ ଫିଲ୍ଟର ପ୍ଲାଣ୍ଟକୁ ପଠାଯିବ ଏବଂ ସେଠାରୁ ବିଶୁଦ୍ଧ କରାଯାଇ ପାଇପଲାଇନ ଯୋଗେ ଲୋକଙ୍କ ଘରକୁ ଯୋଗାଇ ଦିଆଯିବ । ପ୍ରତିବର୍ଷ କେନାଲ ମରାମତି ସମୟରେ ପ୍ରାୟ ଏକ ମାସ ପାଇଁ ଜଳ ଯୋଗାଣ ବନ୍ଦ ରହୁଥିବାରୁ ଏହି ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଦେଖାଦେଉଥିବା ଉତ୍କଟ ଜଳାଭାବକୁ ଦୂର କରିବା ପାଇଁ ଏହି ପ୍ରକଳ୍ପ ଏକ ବର୍ଷର ଜଳ ବ୍ୟାକଅପ୍ ପ୍ରଦାନ କରିବ । ପ୍ରାୟ ୪୦୦ ଶ୍ରମିକ ଏବଂ ୧୦ ଜଣ ଇଞ୍ଜିନିୟରଙ୍କ ଅକ୍ଳାନ୍ତ ପରିଶ୍ରମ ଯୋଗୁଁ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ସଫଳତାର ସହ ସମ୍ପୂର୍ଣ୍ଣ ହୋଇପାରିଛି ।



