ନଦୀ ସଫାକରିବାରୁ ତଦନ୍ତର ସାମ୍ନା

ନଦୀ ସଫାକରିବାରୁ ତଦନ୍ତର ସାମ୍ନା
Ipsita Picture
By: Ipsita
Published On

 

ଇଂଲଣ୍ଡରେ ଏକ ପ୍ରଦୂଷିତ ନଦୀର ସଫେଇ କରିବା ପରେ ଜଣେ ପରିବେଶ ଓକିଲଙ୍କୁ ଆଇନଗତ ତଦନ୍ତର ସାମ୍ନା କରିବାକୁ ପଡ଼ୁଥିବା ଜଣାପଡିଛି । ଏପରିକି ତାଙ୍କୁ ଏବେ ଜେଲ୍ ଦଣ୍ଡ ମଧ୍ୟ ହୋଇପାରେ ବୋଲି ଜଣାପଡିଛି । ସୂଚନା ଅନୁଯାୟୀ, ୪୦ ବର୍ଷୀୟ ପଲ୍ ପାଉଲ୍ସଲ୍ୟାଣ୍ଡ ସ୍ୱେଚ୍ଛାସେବୀମାନଙ୍କ ସହ ମିଶି ନଦୀରୁ ୨୦୦ରୁ ଅଧିକ ବ୍ୟାଗ୍ ଆବର୍ଜନା ବାହାର କରିଥିଲେ। ପୂର୍ବ ଲଣ୍ଡନର ଏଲ୍ଡର୍ସ ବ୍ରୁକ୍ ନଦୀର ସଫେଇ ପାଇଁ ପଲ୍ 'ରିଭର ରୋଡିଙ୍ଗ୍ ଟ୍ରଷ୍ଟ'ର ସ୍ୱେଚ୍ଛାସେବୀମାନଙ୍କ ସହ ମିଶି ୧୦ ଦିନ ପର୍ଯ୍ୟନ୍ତ ଏକ ଅଭିଯାନ ଚଲାଇଥିଲେ । ଏଥିପାଇଁ ଏକ ଖୋଦେଇ ମେସିନ୍ ମଧ୍ୟ ଭଡ଼ାରେ ଅଣାଯାଇଥିଲା । ଯାହା ସାହାଯ୍ୟରେ ଟିମ୍ ନଦୀରୁ ପ୍ଲାଷ୍ଟିକ ପ୍ୟାକେଜିଂ, ଛୁଞ୍ଚି, ଘରୋଇ ଉପକରଣ ଏବଂ ଅସ୍ତ୍ରଶସ୍ତ୍ର ବାହାର କରିଥିଲେ । ତେବେ ସଫେଇ କାର୍ଯ୍ୟ ପରେ ପରିବେଶ ଏଜେନ୍ସି ପକ୍ଷରୁ ପଲ୍ଙ୍କୁ ଏକ ନୋଟିସ୍ ପଠାଯାଇ ତଦନ୍ତ ଆରମ୍ଭ କରାଯାଇଛି । କାରଣ ଏଜେନ୍ସିର ଅଭିଯୋଗ ଅନୁଯାୟୀ ନଦୀରେ ବିନା ଅନୁମତିରେ ସଫେଇ ଏବଂ ଆବର୍ଜନା ହଟାଇବା କାମ କରାଯାଇଛି । ଅନ୍ୟପଟେ ପଲ୍ ଓଲଟା ଅଭିଯୋଗ କରିଛନ୍ତି ଯେ ଏଜେନ୍ସି ନଦୀରେ ସୀୱେଜ୍ ଏବଂ ବେଆଇନ ଆବର୍ଜନା ଫିଙ୍ଗୁଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବଦଳରେ ସ୍ୱେଚ୍ଛାସେବୀମାନଙ୍କୁ ଟାର୍ଗେଟ୍ କରୁଛି । ଯଦିଓ ଏହି ସଫେଇ ପରେ ନଦୀକୁ ବନ୍ୟଜନ୍ତୁ ଫେରିବା ସହ ସ୍ଥାନୀୟ ଅଞ୍ଚଳର ସ୍ଥିତିରେ ସୁଧାର ଆସିଛି । ରିପୋର୍ଟ ଅନୁଯାୟୀ, ଯଦି ଏହି ମାମଲାରେ ନିୟମ ଉଲ୍ଲଙ୍ଘନ ହୋଇଥିବା ପ୍ରମାଣିତ ହୁଏ, ତେବେ ପଲ୍ଙ୍କୁ ସର୍ବାଧିକ ୨ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡାଦେଶ ହୋଇପାରେ ।

Tags: