ରପ୍ତାନି ଧାରା
ପ୍ରତିବର୍ଷ ଭାରତରୁ ଅନେକ ସାମଗ୍ରୀ ବିଦେଶକୁ ରପ୍ତାନି ହୋଇଥାଏ, କାରଣ ବିଦେଶରେ ଭାରତୀୟ ହସ୍ତତନ୍ତର ଅନେଦ ଚାହିଦା ରହିଛି । ରପ୍ତାନି ହେଉଥିବା ପ୍ରମୁଖ ସାମଗ୍ରୀଗୁଡ଼ିକ ମଧ୍ୟରେ ମ୍ୟାଟ୍, କାର୍ପେଟ୍, ବେଡ୍ସିଟ୍ ଏବଂ କୁସନ କଭର ଅନ୍ୟତମ । ଏକ ରିପୋର୍ଟ ଅନୁସାରେ ଆର୍ଥିକ ବର୍ଷ ୨୦୨୩ରେ ମ୍ୟାଟ୍ ରପ୍ତାନିର ଅଂଶ ମୋଟ ହସ୍ତତନ୍ତ ରପ୍ତାନିର ୧୨.୪୦% ଥିଲା। ସେହିଭଳି ହୋମ ଟେକ୍ସଟାଇଲ୍ସର ଅଂଶ ୬୦% ରୁ ଅଧିକ। ଆର୍ଥିକ ବର୍ଷ ୨୦୨୫ରେ କାର୍ପେଟ୍ ଏବଂ ଚଟାଣ ସାମଗ୍ରୀ ରପ୍ତାନିର ମୂଲ୍ୟ ୧.୬୩ ବିଲିୟନ ଆମେରିକୀୟ ଡଲାର ଥିଲା। ଭାରତୀୟ ସିଲ୍କ ସ୍କାର୍ଫ ମଧ୍ୟ ବିଶ୍ୱରେ ଖୁବ୍ ଲୋକପ୍ରିୟ। କରୁର, ପାନିପଥ, ବାରାଣସୀ ଏବଂ କନ୍ନୁର ହେଉଛି ପ୍ରମୁଖ ରପ୍ତାନି କେନ୍ଦ୍ର । ଭାରତ ବିଶ୍ୱର ୨୦ରୁ ଅଧିକ ଦେଶକୁ ହସ୍ତତନ୍ତ ସାମଗ୍ରୀ ରପ୍ତାନି କରିଥାଏ । ପ୍ରମୁଖ ଆମଦାନୀକାରୀ ଦେଶଗୁଡ଼ିକ ହେଲା ଆମେରିକା, ସଂଯୁକ୍ତ ଆରବ ଏମିରେଟ୍ସ, ନେଦରଲ୍ୟାଣ୍ଡ, ଫ୍ରାନ୍ସ, ବ୍ରିଟେନ, ଇଟାଲୀ, ଜର୍ମାନୀ ଏବଂ ଅଷ୍ଟ୍ରେଲିଆ । ଗତ ଆଠ ବର୍ଷ ଧରି ଆମେରିକା ଶୀର୍ଷ ସ୍ଥାନରେ ରହିଛି । ଆର୍ଥିକ ବର୍ଷ ୨୦୨୫ରେ ଭାରତର ମୋଟ ହସ୍ତତନ୍ତ ରପ୍ତାନିରେ ଆମେରିକାର ଅଂଶ ୨୮.୧% ଏବଂ ୟୁଏଇର ଅଂଶ ୧୫.୨% ଥିଲାବୋଲି ସୂଚନା ରହିଛି ।
ସେହିଭଳି ଓଡ଼ିଶାର କଳା ଓ ସଂସ୍କୃତିର ପ୍ରତୀକ ହେଉଛି ହସ୍ତତନ୍ତ । କେବଳ ଓଡ଼ିଶାନୁହେଁ ଅନ୍ୟ ରାଜ୍ୟରେ ମଧ୍ୟ ଏଭଳି ଅନେକ ଯୋଜନା ରହିଛି ଯାହା ହସ୍ତତନ୍ତକୁ ଏକ ନୂଆ ସ୍ତରକୁ ନେଉଛି । ବୁଣାକାରମାନଙ୍କର ଆର୍ଥିକ ବିକାଶ ଏବଂ ଏହି ପାରମ୍ପରିକ ଶିଳ୍ପକୁ ସମୃଦ୍ଧ କରିବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନେକ ଜନକଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ ହେଉଛି । ସରକାରଙ୍କ ସମସ୍ତ ଯୋଜନାଗୁଡ଼ିକର ମୁଖ୍ୟ ଲକ୍ଷ୍ୟ ହେଉଛି ବୁଣାକାରଙ୍କ ଜୀବନଧାରଣର ମାନ ବୃଦ୍ଧି କରିବା ଏବଂ ଓଡ଼ିଶାର ଶାଢ଼ୀ, କପଡ଼ା ତଥା ହସ୍ତତନ୍ତ ସାମଗ୍ରୀକୁ ବିଶ୍ୱ ବଜାରରେ ଏକ ସ୍ୱତନ୍ତ୍ର ପରିଚୟ ଦେବା ।



