ଡଷ୍ଟବିନ ପିନ୍ଧି ନିର୍ବାଚନୀ ପ୍ରଚାର
ବ୍ରିଟେନର କ୍ଲାକ୍ଟନ୍ ଆସନରେ ହେବାକୁ ଥିବା ଉପନିର୍ବାଚନରେ ‘କାଉଣ୍ଟ ବିନଫେସ୍’ ନାମକ ଜଣେ କମେଡିଆନ୍ ମୁଣ୍ଡରେ ଡଷ୍ଟବିନ୍ ପିନ୍ଧି ସଂସଦ ନିର୍ବାଚନ ଲଢ଼ୁଥିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ତାଙ୍କର ଅସଲି ନାମ ଜନ୍ ହାର୍ଭି କିନ୍ତୁ ପ୍ରଚାର ସମୟରେ ନିଜ ଚେହେରାକୁ ଡଷ୍ଟବିନରେ ଢାଙ୍କି ସେ ନିଜକୁ ଜଣେ ‘ଇଣ୍ଟରଗାଲାକ୍ଟିକ୍ ସ୍ପେସ୍ ୱାରିୟର୍ ବୋଲି ପରିଚୟ ଦିଅନ୍ତି । ଗତ ୧୦ ବର୍ଷ ହେବ ନିର୍ବାଚନୀ ମଇଦାନରେ ସକ୍ରିୟ ଥିବା ବିନଫେସ୍ ପୂର୍ବରୁ ‘ଲର୍ଡ ବକେଟହେଡ୍’ ନାମରେ ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍, ଋଷି ସୁନକ ଏବଂ ଲଣ୍ଡନ ମେୟର ସାଦିକ୍ ଖାନ୍ଙ୍କ ବିରୋଧରେ ପ୍ରତିଦ୍ୱନ୍ଦ୍ୱିତା କରିସାରିଛନ୍ତି । ନିଜ ନିର୍ବାଚନୀ ଇସ୍ତାହାରରେ ଟିକସ କମାଇବା ଓ ଶସ୍ତା ଘର ଯୋଗାଇବା ସହ ଟ୍ରାଫିକ୍ ନିୟମ ଭାଙ୍ଗୁଥିବା ସାଇକେଲ ଚାଳକଙ୍କୁ ଦଣ୍ଡ ସ୍ୱରୂପ 'ୟୁନିସାଇକେଲ' ଚଳାଇବା ଭଳି ଅନେକ ହାସ୍ୟରସାତ୍ମକ ପ୍ରତିଶ୍ରୁତି ସେ ଦେଇଛନ୍ତି । ନିଜର ଜିତିବା ସମ୍ଭାବନା କମ୍ ବୋଲି ସ୍ୱୀକାର କରିବା ସହ ପାରମ୍ପରିକ ନେତାଙ୍କଠାରୁ କିଛି ନୂଆ ଦେଖାଇବା ପାଇଁ ସେ ଏହି ପ୍ରୟାସ ଜାରି ରଖିଥିବା କହିଛନ୍ତି ।




