ଗାଁରେ ଗୁପଚୁପ ଖାଇବା ମନା
ଗୁଜରାଟର ମେହସାଣା ଜିଲ୍ଲାସ୍ଥିତ ଛାନ୍ସୋଲ୍ ଗ୍ରାମସଭା ପକ୍ଷରୁ ଗାଁରେ ଗୁପଚୁପ, ପ୍ୟାକେଟ୍ ସ୍ନାକ୍ସ, ପକୋଡ଼ା, ବଡାପାଓ ଭଳି ଫାଷ୍ଟଫୁଡ୍ ବିକ୍ରି ଉପରେ ସଂପୂର୍ଣ୍ଣ କଟକଣା ଲଗାଯାଇଛି, ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚାର ବିଷୟ ପାଲଟିଛି । ଗାଁର ପିଲାମାନେ ଅତ୍ୟଧିକ ବାହାର ଖାଦ୍ୟ ଖାଇ ଘର ରନ୍ଧା ଖାଦ୍ୟ ଏବଂ ସ୍କୁଲର ମଧ୍ୟାହ୍ନ ଭୋଜନ ପ୍ରତି ଅରୁଚି ଦେଖାଉଥିବାରୁ ଗ୍ରାମବାସୀଙ୍କ ଅଭିଯୋଗ କ୍ରମେ ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏହି ନିୟମ ଅମାନ୍ୟ କରୁଥିବା ଦୋକାନୀଙ୍କ ଉପରେ ପ୍ରଥମ ଥର ପାଇଁ ୫,୦୦୦ ଟଙ୍କା ଏବଂ ଦ୍ୱିତୀୟ ଥର ପାଇଁ ୧୦,୦୦୦ ଟଙ୍କାର ଜରିମାନା ବିଧାନ ରଖାଯାଇଛି । କେବଳ ଏହି ଗୋଟିଏ ଗାଁ ନୁହେଁ ଏଭଳି ଅନ୍ୟ ଚାରୋଟି ଗାଁରେ ମଧ୍ୟ ୫ ଓ ୧୦ ଟଙ୍କିଆ ସ୍ନାକ୍ସ ପ୍ୟାକେଟ୍, ପ୍ଲାଷ୍ଟିକ୍ ଜାର୍ ଓ କପ୍ ବିକ୍ରି ଉପରେ ବିଭିନ୍ନ ପ୍ରକାରର କଟକଣା ସହ ଜରିମାନା ବ୍ୟବସ୍ଥା ଲାଗୁ କରାଯାଇଛି । ତେବେ ସୋସିଆଲ ମିଡିଆରେ ଏହାକୁ ମିଶ୍ରପ୍ରତିକ୍ରିୟା ମିଳିଛି । କେହି ଏହାକୁ ସମର୍ଥନ କରୁଥିବାବେଳେ କେହି ସମାଲୋଚନା କରୁଛନ୍ତି ।




