ଗିନିଜ ରେକର୍ଡରେ ଗଧ
ଅନେକ ସମୟରେ ବିଭିନ୍ନ ପଶୁମାନେ ନିଜ ନିଜର ଅଙ୍ଗ ପାଇଁ ଗିନିଜ ରେକର୍ଡରେ ନିଜ ନାଁକୁ ସାମିଲ କରନ୍ତି । ସେହି ତାଲିକାରେ ଏକ ଗଧ ସାମିଲ ହୋଇଛି । ଆମେରିକାର ଜର୍ଜିଆରେ ରହୁଥିବା ‘ହୋପ୍’ ନାମକ ଏକ ଗଧ ନିଜର ଅସାଧାରଣ ଲମ୍ବା କାନ ପାଇଁ ଗିନିଜ୍ ୱାର୍ଲ୍ଡ ରେକର୍ଡ କରି ସମଗ୍ର ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି । ହୋପ୍ର କାନର ଲମ୍ବ ପ୍ରାୟ ୪୦.୨୦ ସେଣ୍ଟିମିଟର ବା ୧ ଫୁଟ୍ ୩ ଇଞ୍ଚ । ପୂର୍ବରୁ ବ୍ରିଟେନର ‘ବାମ୍ବୁ’ ନାମକ ଗଧ ନାମରେ ଥିବା ରେକର୍ଡକୁ ହୋପ ଭାଙ୍ଗିଛି । ଏହି ବିଶ୍ୱ ରେକର୍ଡ ପଛରେ ଏକ ଭାବପୂର୍ଣ୍ଣ କାହାଣୀ ରହିଛି; କିଛି ବର୍ଷ ପୂର୍ବେ ହୋପ୍କୁ ଅତ୍ୟନ୍ତ ଦୁର୍ବଳ ଅବସ୍ଥାରେ ଉଦ୍ଧାର କରାଯାଇଥିଲା ଏବଂ ତା’ର ମାଲିକାଣୀ ହନ୍ନା ଫ୍ରଷ୍ଟ ତା’ର ଯତ୍ନ ନେଇଥିଲେ । ପରେ ଏକ ସ୍ୱାସ୍ଥ୍ୟ ପରୀକ୍ଷା ସମୟରେ ଡାକ୍ତର ତା’ର ଲମ୍ବା କାନ ଉପରେ ଧ୍ୟାନ ଦେଇଥିଲେ, ଯାହା ପରେ ଗିନିଜ୍ ୱାର୍ଲ୍ଡ ରେକର୍ଡ ପାଇଁ ଆବେଦନ କରାଯାଇଥିଲା । ବିଶେଷଜ୍ଞମାନେ ମାପ ନେବା ପରେ ଏହାକୁ ବିଶ୍ୱର ସବୁଠାରୁ ଲମ୍ବା କାନ ଥିବା ଗଧ ଭାବେ ଘୋଷଣା କରିଥିଲେ ।



