ପୃଥିବୀରେ ମଙ୍ଗଳର ପଥର ଠାବ
୨୦୨୨ ମସିହାରେ ସାହାରା ମରୁଭୂମିରୁ ମିଳିଥିବା ପ୍ରାୟ ୮୦୦ ଗ୍ରାମ୍ ଓଜନର ଏକ ଗୋଲାପୀ ରଙ୍ଗର ପଥର ମଙ୍ଗଳ ଗ୍ରହର ହୋଇଥିବା ସ୍ପଷ୍ଟ ହୋଇଛି । ଆମେରିକାର ମହାକାଶ ଗବେଷଣା ସଂସ୍ଥା 'ନାସା'ର ସହାୟତାରେ କରାଯାଇଥିବା ଗବେଷଣାରୁ ପ୍ରମାଣିତ ହୋଇଛି ଯେ 'ଟେଘାଜା ୦୦୧' ନାମକ ଏହି ଉଲ୍କାପିଣ୍ଡଟି ୪.୧ ବିଲିୟନ୍ ବା ୪୧୦ କୋଟି ବର୍ଷରୁ ଅଧିକ ପୁରୁଣା । ବର୍ତ୍ତମାନ ଏହାର ବିଭିନ୍ନ ଖଣ୍ଡ ବିଶେଷକୁ ୪ଟି ବାକ୍ସ ଓ ପ୍ୟାକେଟ୍ରେ ସୁରକ୍ଷିତ ରଖାଯାଇଛି । ଆରମ୍ଭରୁ ଏହାର ଉତ୍ପତ୍ତି ସମ୍ପର୍କରେ ଜଣାନଥିବାରୁ ବୈଜ୍ଞାନିକମାନେ ଏଥିରେ ଥିବା ଅମ୍ଳଜାନ ଆଇସୋଟୋପ୍ ଅନୁପାତ ପରୀକ୍ଷା କରି ଏହା ମଙ୍ଗଳ ଗ୍ରହର ପଥର ସହ ମିଶୁଥିବା ସ୍ପଷ୍ଟ କରିଥିଲେ । ପରବର୍ତ୍ତୀ ସମୟରେ ଏହାର ସୂକ୍ଷ୍ମ ଗଠନ, ଖଣିଜ ରଚନା, ରାସାୟନିକ ବୈଶିଷ୍ଟ୍ୟ ଏବଂ ସୂକ୍ଷ୍ମ 'ଜିରକନ୍' କ୍ରିଷ୍ଟାଲ୍ର ଅନୁଧ୍ୟାନ କରି ଏହାର ପ୍ରକୃତ ବୟସ ନିରୂପଣ କରିଛନ୍ତି । ଏହି ପଥରରେ ଥିବା ଖଣିଜ ପଦାର୍ଥ ଓ ସେଗୁଡ଼ିକର ବାହ୍ୟ ଗଠନରୁ ସ୍ପଷ୍ଟ ସୂଚନା ମିଳିଛି ଯେ ମଙ୍ଗଳ ଗ୍ରହର ପ୍ରାରମ୍ଭିକ ଇତିହାସରେ ଜଳ ସହ ଏହି ପଥରଗୁଡ଼ିକର ସଂସ୍ପର୍ଶ ଆସିଥିଲା । ଯାହା ପ୍ରମାଣ କରେ ଯେ ଅତୀତରେ ମଙ୍ଗଳ ଗ୍ରହ ଆଜି ପରି ଅଧିକ ଥଣ୍ଡା ଓ ଶୁଷ୍କ ନଥିଲା । ଏହି ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର ବୈଜ୍ଞାନିକମାନଙ୍କୁ ମଙ୍ଗଳର ପ୍ରାଚୀନ ପରିବେଶ, ସେଠାରେ ଜଳର ପରିମାଣ ଏବଂ ସମୟକ୍ରମେ ଜଳ କିପରି ହ୍ରାସ ପାଇଲା ତାହା ବୁଝିବାରେ ସାହାଯ୍ୟ କରିବ । ଯଦିଓ ଜଳର ସନ୍ଧାନ ମିଳିବା ଦ୍ୱାରା ମଙ୍ଗଳରେ ଜୀବସତ୍ତା ଥିବା ସମ୍ପୂର୍ଣ୍ଣ ପ୍ରମାଣିତ ହୁଏ ନାହିଁ ଏବଂ ଏଥିପାଇଁ ଅଧିକ ଗବେଷଣାର ଆବଶ୍ୟକତା ରହିଛି । କୌଣସି ବିଶାଳ ମହାକାଶୀୟ ପିଣ୍ଡର ଧକ୍କା ଯୋଗୁଁ ମଙ୍ଗଳ ପୃଷ୍ଠରୁ ବିଚ୍ଛିନ୍ନ ହୋଇ ଦୀର୍ଘ ମହାକାଶ ଯାତ୍ରା ପରେ ପୃଥିବୀରେ ପଡ଼ିଥିବା ଏହି ପଥରଟି ମଙ୍ଗଳରୁ ଆସିଥିବା ସବୁଠାରୁ ପ୍ରାଚୀନ ଉଲ୍କାପିଣ୍ଡଗୁଡ଼ିକ ମଧ୍ୟରୁ ଅନ୍ୟତମ । ଯାହା ମରୁଭୂମି ଅଞ୍ଚଳ ହୋଇଥିବାରୁ ସହଜରେ ଚିହ୍ନଟ ହୋଇପାରିଥିଲା ।




