୨୦ ଇଞ୍ଚର କବକ ଠାବ

୨୦ ଇଞ୍ଚର କବକ ଠାବ
Ipsita Picture
By: Ipsita
Published On

 

ବିଜ୍ଞାନୀମାନେ ଚୀନର ୟୁନ୍ନାନ୍ ପ୍ରଦେଶର ଜଙ୍ଗଲରେ ‘ଡିଆନଜୁନସ ରେକ୍ସ’ ନାମକ ଏକ ବିଶାଳକାୟ କବକ ବା ଫଙ୍ଗସ୍ ଆବିଷ୍କାର କରିଛନ୍ତି । ଏହି କବକ ୨୦ ଇଞ୍ଚ (୫୦ ସେଣ୍ଟିମିଟର) ଉଚ୍ଚ ଏବଂ ପ୍ରାୟ ୨.୨ କିଲୋଗ୍ରାମ ଓଜନର ବୋଲି ଆକଳନ କରାଯାଇଛି ।  ଏହାର ନାମ ପ୍ରସିଦ୍ଧ ଡାଇନୋସର ଟାଇରାନୋସରସ୍ ରେକ୍ସଙ୍କ ନାମାନୁସାରେ ରଖାଯାଇଛି । ସିଏନ୍ଏନ୍ ଅନୁଯାୟୀ, ୨୦୨୪ ଏବଂ ୨୦୨୫ ମସିହାରେ କବକ ବିବିଧତା ସର୍ବେକ୍ଷଣ ସମୟରେ ଏହି ଆବିଷ୍କାର କରାଯାଇଥିଲା । ଯାହାର ବିବରଣୀ ସେପ୍ଟେମ୍ବର ୨୮ରେ ‘ଫ୍ରଣ୍ଟିଅର୍ସ ଇନ୍ ଫଙ୍ଗାଲ୍ ବାୟୋଲୋଜି’ ଜର୍ନାଲରେ ପ୍ରକାଶିତ ହୋଇଥିଲା । ଏହି କବକର ଫିକା ହଳଦିଆ ରଙ୍ଗର ଆଙ୍ଗୁଠି ଭଳି ଗଠନ ରହିଛି ଯାହାକୁ ଷ୍ଟ୍ରୋମାଟା କୁହାଯାଏ ଏବଂ ଏହା ବିମାନର କ୍ୟାରି-ଅନ୍ ସୁଟକେସ୍ ଉଚ୍ଚତା ବିଶିଷ୍ଟ । ଏହା 'ଆସ୍କୋମାଇକୋଟା'  ସମୂହର ଅନ୍ତର୍ଭୁକ୍ତ, ଯାହା ପ୍ରାୟ ୬୫,୦୦୦ ପ୍ରଜାତିକୁ ନେଇ ଗଠିତ ସବୁଠାରୁ ବିବିଧ କବକ ସମୂହ ଅଟେ । ବିଜ୍ଞାନୀମାନଙ୍କ ଅନୁଯାୟୀ, ଏହା ଏହି ସମୂହର ସବୁଠାରୁ ବଡ଼ କବକ ଅଟେ, ଯାହା ପୂର୍ବରୁ କେନ୍ୟାରେ ମିଳୁଥିବା 'ଏଙ୍ଗଲରୋମାଇସେସ୍ ଗୋଏଟଜେଇ' କୁ ପଛରେ ପକାଇଛି । ଜଣେ ସ୍ଥାନୀୟ ବ୍ୟକ୍ତି ଏହି ଅସାଧାରଣ କବକର ଫଟୋ ଗବେଷକମାନଙ୍କୁ ପଠାଇବା ପରେ ଏହା ଚର୍ଚ୍ଚାକୁ ଆସିଥିଲା । ଚୀନର କୁନମିଂ ଇନଷ୍ଟିଚ୍ୟୁଟ୍ ଅଫ୍ ବଟାନିର ଆସୋସିଏଟ୍ ପ୍ରଫେସର ତଥା ଅଧ୍ୟୟନର ସହ - ଲେଖକ ଇନ୍ଦୁନିଲ୍ ସେନାନାୟକଙ୍କ ସୂଚନା ଅନୁସାରେ ଲୋକମାନେ ପୂର୍ବରୁ ଏହାକୁ ଦେଖିଥିଲେ ମଧ୍ୟ ଏହାର ଗୁରୁତ୍ୱ ବୁଝିପାରି ନଥିଲେ । ଗବେଷଣାରୁ ଜଣାପଡ଼ିଛି ଯେ, ଡି ରେକ୍ସ 'ଡିଆନଜୁନାସି' ନାମକ ଏକ ପୂର୍ବରୁ ଅଜ୍ଞାତ କବକ ପରିବାରର ଅଂଶ ଅଟେ । ଯାହା ପ୍ରାୟ ୬୬ ନିୟୁତ ବର୍ଷ ପୂର୍ବେ ଗ୍ରହାଣୁ ବିସ୍ଫୋରଣ ଯୋଗୁଁ ଘଟିଥିବା ଗଣବିଲୁପ୍ତିର ପ୍ରାୟ ୧ ନିୟୁତ ବର୍ଷ ପରେ ସୃଷ୍ଟି ହୋଇଥିଲା । ଯେଉଁ ସମୟରେ ଉଦ୍ଭିଦ ଆଲୋକସଶ୍ଲେଷଣ ହ୍ରାସ ପାଇଥିଲା ଏବଂ ପ୍ରଚୁର ମୃତ ମୃତ୍ତିକା ଓ ମୃତଦେହ ଜମା ହୋଇଥିଲା । ଯାହା ଏହି ପରିବାରର କବକଗୁଡ଼ିକୁ ବୃଦ୍ଧି ପାଇବାରେ ସାହାଯ୍ୟ କରିଥିଲା । ଏହି ଆବିଷ୍କାର ପୃଥିବୀରେ ଥିବା କବକ ବିବିଧତା ସମ୍ପର୍କରେ ଆହୁରି ଅନେକ କିଛି ଜାଣିବାର ବାକି ଅଛି ବୋଲି ଦର୍ଶାଉଛି ।

Tags: